ଚିନ୍ତା ବଢାଇଛି ବାର୍ଡ ଫ୍ଲୁ : ସ୍ଥିତି ଯାଞ୍ଚ ପାଇଁ ଆଜି ଓଡ଼ିଶା ଆସୁଛନ୍ତି କେନ୍ଦ୍ରୀୟ ଟିମ୍

ଭୁବନେଶ୍ୱର : ରାଜ୍ୟରେ ଚିନ୍ତା ବଢାଇଛି ବାର୍ଡ ଫ୍ଲୁ । ରାଜ୍ୟରେ କଣ ରହିଛି ସ୍ଥିତି ଯାଞ୍ଚ ପାଇଁ ଆଜି କେନ୍ଦ୍ରରୁ ଏକ ଟିମ୍ ଓଡ଼ିଶା ଆସି ବାର୍ଡ ଫ୍ଲୁ ଅଞ୍ଚଳରେ ସମୀକ୍ଷା କରିବେ । ଏହି ବିଶେଷଜ୍ଞ ଦଳ ପୁରୀ ଜିଲ୍ଲାର ସତ୍ୟବାଦୀ, ପିପିଲି, ନିମାପଡା ଓ ଡେଲାଙ୍ଗ ବ୍ଲକରେ ସ୍ଥିତି ଯାଞ୍ଚ କରିବେ । ରାଜ୍ୟରେ ବାର୍ଡ-ଫ୍ଲୁ ନେଇ ଭୟଭୀତ ନହେବାକୁ ପରାମର୍ଶ ଦେଇଛି ସ୍ବାସ୍ଥ୍ୟ ବିଭାଗ । ପିପିଲି ଏବଂ ସତ୍ୟବାଦୀ ବ୍ଲକରେ ସ୍ଥିତିରେ ସୁଧାର ଆସିଥିବାବେଳେ ନିମାପଡ଼ା ଏବଂ ଡେଲାଙ୍ଗରେ କୁକୁଡ଼ା ମରା ଅଭିଯାନ ଜାରି ରହିଛି । ସଂକ୍ରମଣ ରୋକିବା ପାଇଁ ୫୧ଟି ରାପିଡ୍ ରେସପନ୍ସ ଟିମ୍ ପକ୍ଷୀମାନଙ୍କୁ ମାରିବା ଏବଂ କୁକୁଡ଼ା ଫାର୍ମଗୁଡ଼ିକର ବିଶୋଧନ କାର୍ଯ୍ୟରେ ନିୟୋଜିତ ଅଛନ୍ତି । ତେବେ ଆଜି କେନ୍ଦ୍ରୀୟ ଟିମ୍ ଆସି ସଂକ୍ରମଣ ସ୍ଥଳ ଯାଞ୍ଚ କରିବା ସହ ଏହାର ନିରାକରଣ ଦିଗରେ ଆଲୋଚନା କରିବେ ।
ଅନ୍ୟପଟେ କେନ୍ଦ୍ରାପଡ଼ାରେ ବାର୍ଡ-ଫ୍ଲୁ ନେଇ ସନ୍ଦେହ କରାଯାଉଥିବାବେଳେ ନମୁନା ଭୋପାଳ ପଠାଯାଇଛି । ଅନ୍ୟପକ୍ଷରେ କୁକୁଡ଼ା ମରା ଅଭିଯାନରେ ସାମିଲ ବ୍ୟକ୍ତିଙ୍କ ସ୍ବାସ୍ଥ୍ୟ ଯାଞ୍ଚ କରାଯାଉଥିବା ବେଳେ ଫାର୍ମରେ କାର୍ଯ୍ୟ କରୁଥିବା ବ୍ୟକ୍ତିଙ୍କ ସ୍ବାସ୍ଥ୍ୟ ଯାଞ୍ଚ ହେଉଛି ଓ ପ୍ରତିଷେଧକ ଦିଆଯାଉଛି । ଏପର୍ଯ୍ୟନ୍ତ ସେଭଳି କୌଣସି ବାର୍ଡ-ଫ୍ଲୁ ଲକ୍ଷଣ ଦେଖାଦେଇନଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି । ପୂର୍ବରୁ ପରୀକ୍ଷା ପାଇଁ ପଠାଯାଇଥିବା ସନ୍ଦିଗ୍ଧ ନମୁନା ନେଗେଟିଭ ଆସିଛି । ତେବେ ବାର୍ଡ ଫ୍ଲୁ ନେଇ ସତର୍କ ରହିବାକୁ ସବୁ ଜିଲ୍ଲାକୁ ଆଲର୍ଟ କରାଯାଇଛି । କୁକୁଡ଼ା ଫାର୍ମରେ କାମ କରୁଥିବା ଓ କୁକୁଡ଼ା ସଂସ୍ପର୍ଶରେ ଆସୁଥିବା ଲୋକ ଅଧିକ ସତର୍କ ରହିବାକୁ ସ୍ୱାସ୍ଥ୍ୟ ବିଭାଗର ପକ୍ଷରୁ ପରାମର୍ଶ ଦିଆଯାଇଛି ।