ବାର୍ଡ ଫ୍ଲୁ ସଙ୍କଟ: ପରୀକ୍ଷା ପାଇଁ ଫାର୍ମରୁ ଭୋପାଳ ଗଲା ନମୁନା, ଆଗକୁ କର୍ମଚାରୀଙ୍କର ବି ହେବ ଟେଷ୍ଟ

ପିପିଲି : ଟଳିନି ବାର୍ଡ ଫ୍ଲୁ ସଙ୍କଟ। ପରୀକ୍ଷା ପାଇଁ ଭୋପାଳ ଗଲା ନମୁନା । ନିମାପଡ଼ା ଓ ଡେଲାଙ୍ଗ ଫାର୍ମରୁ ପଠାଗଲା ନମୁନା । ପିପିଲି ଓ ସତ୍ୟବାଦୀରେ ମୋଟ ୩୦ ହଜାର କୁକୁଡ଼ା ମରାଯାଇଛି।  ପିପିଲି ଓ ସତ୍ୟବାଦୀକୁ ଲାଗିଥିବା ନିମାପଡ଼ା ଓ ଡେଲାଙ୍ଗ ବ୍ଲକରେ ବାର୍ଡ ଫ୍ଲୁ ବ୍ୟାପିଛି କି ନାହିଁ ତାହା ଜାଣିବାକୁ ୫ରୁ ୭ଟି ଫାର୍ମରୁ ନମୁନା ସଂଗ୍ରହ କରି ଭୋପାଳ ପଠାଯାଇଛି । ରିପୋର୍ଟ ଆସିବା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ । ସଂପୃକ୍ତ ଅଞ୍ଚଳରେ ସ୍ବାସ୍ଥ୍ୟ ବିଭାଗ ମଧ୍ୟ ଡେରା ପକାଇଛି । ବାର୍ଡ ଫ୍ଲୁ ଭୂତାଣୁରେ କୌଣସି ବ୍ୟକ୍ତି ସଂକ୍ରମିତ ହୋଇନାହାନ୍ତି । ତଥାପି ସତର୍କ ରହିବାକୁ ସ୍ବାସ୍ଥ୍ୟ ବିଭାଗ ପରାମର୍ଶ ଦେଇଛି ।

ସେହିପରି ପିପିଲିର ମଙ୍ଗଳପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ୨୪ଘଣ୍ଟିଆ କଣ୍ଟ୍ରୋଲ ରୁମ୍‌‌ ଖୋଲାଯାଇଥିବା ବେଳେ ଆଶାକର୍ମୀ ମାନେ ଘରକୁ ଘର ବୁଲି ଲୋକଙ୍କ ସ୍ୱାସ୍ଥ୍ୟାବସ୍ଥା ସଂପର୍କରେ ତଥ୍ୟ ସଂଗ୍ରହ କରୁଛନ୍ତି। ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ପରେ ପୁରୀର ଶ୍ରୀଜଗନ୍ନାଥ ମେଡିକାଲ କଲେଜର ଡାକ୍ତର ମାୟାଧର ପଣ୍ଡାଙ୍କ ନେତୃତ୍ୱରେ ଏକ ୪ଜଣିଆ ଡାକ୍ତରୀ ଦଳ ଗୁରୁବାର ଦିନ ମଙ୍ଗଳପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଁଞ୍ଚି ସେଠାରେ ବ୍ଲକ ଜନସ୍ୱାସ୍ଥ୍ୟ ଅଧିକାରୀ (ବିପିଏଚ୍‌‌ଓ) ଡାକ୍ତର ବିନୟ କୁମାର ପଣ୍ଡାଙ୍କ ସହ ଆଲୋଚନା କରିଥିଲେ । ତେବେ ବାର୍ଡ-ଫ୍ଲୁ ପ୍ରଭାବିତ ଅଞ୍ଚଳରେ ଥିବା କୁକୁଡା ଫାର୍ମରେ କାମ କରୁଥିବା ବ୍ୟକ୍ତିଙ୍କ ସ୍ୱାବ୍‌‌କୁ ସଂଗ୍ରହ କରି ପରୀକ୍ଷା ପାଇଁ ଲ୍ୟାବ୍‌‌କୁ ପଠାଯିବ ବୋଲି ସୂଚନା ମିଳିଛି । ମଙ୍ଗଳପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ଶୁକ୍ରବାର କିମ୍ବା ଶନିବାର ଠାରୁ ଏହି ଅଭିଯାନ ଆରମ୍ଭ ହେବ ବୋଲି ଡାକ୍ତର ପଣ୍ଡା ସୂଚନା ଦେଇଛନ୍ତି ।

ସେପଟେ ପିପିଲି ଏବଂ ଆଖପାଖ ଅଞ୍ଚଳର ୯ଟି ଫାର୍ମରେ କୁକୁଡ଼ଙ୍କ ପାଖରେ ବାର୍ଡ ଫ୍ଲୁ ଚିହ୍ନଟ ପରେ ୨୪ ତାରିଖରୁ ଏପର୍ଯ୍ୟନ୍ତ କୁକୁଡ଼ା ମରା ଅଭିଯାନ ଚାଲିଛି। କୁକୁଡ଼ା ମାରିବା ପାଇଁ ୨୧ ଟିମ୍ ଓ ସାନିଟାଇଜେସନ ପାଇଁ ୧୦ଟି ଟିମ୍ ନିୟୋଜିତ କରାଯାଇଛି । କ୍ଷତିପୂରଣ ମିଳୁଥିବାରୁ କୁକୁଡ଼ା ମାରିବାରେ ସହଯୋଗ କରୁଛନ୍ତି ଚାଷୀ ।