ଥମୁନି ବାର୍ଡ ଫ୍ଲୁ ଭୟ, ଡେରାବିଶ ଗାଁରେ ଭସାଇ ଦେଲେ ଶହ ଶହ ମଲା କୁକୁଡ଼ା
ଭୁବନେଶ୍ୱର : ଥମୁନି ବାର୍ଡ ଫ୍ଲୁ ଭୟ । ପିପିଲି ପରେ ଡେଲାଙ୍ଗ ଓ ନିମାପଡ଼ାରେ କୁକୁଡ଼ା ମରା ଅଭିଯାନ। ଡେଲାଙ୍ଗ ମୋଟରି ପଞ୍ଚାୟତର ସୁମିତ୍ରା ସାମନ୍ତରାୟଙ୍କ ଫାର୍ମରୁ ନମୁନା ଯାଇଥିଲା । ପଜିଟିଭ୍ ରିପୋର୍ଟ ଆସିବା ପରେ ଫାର୍ମରେ ଥିବା ୩ ହଜାର ୨୦୦ କୁକୁଡ଼ା ମରାଯାଉଛି । ସେହିପରି ନିମାପଡ଼ା ବ୍ଲକର ଅଲଣ୍ଡା, କୋଟକସାଙ୍ଗର ଅତୁଲ୍ୟ କୁମାର ସିଂଙ୍କ ଫାର୍ମ ରୁ ଏକ କିଲୋମିଟର ପରିଧିରେ ଥିବା ୫୦ରୁ ଅଧିକ ଫାର୍ମର ସମସ୍ତ କୁକୁଡ଼ାକୁ ମରାଯାଇ ପୋତାଯିବ।
ଏପଟେ କେନ୍ଦ୍ରାପଡ଼ାରେ ବାର୍ଡ ଫ୍ଲୁ ଭୟ । ଡେରାବିଶ ବ୍ଲକ୍ ନରସିଂହପୁର ପଞ୍ଚାୟତର ନରସିଂହପୁର ଗାଁରେ ଶହ ଶହ ମଲା କୁକୁଡ଼ାକୁ ବସ୍ତାରେ ବାନ୍ଧି ରାସ୍ତାକଡ଼ ଓ ନାଳରେ ଭସାଯାଇଛି। ବାର୍ଡ ଫ୍ଲୁକୁ ନେଇ ସ୍ଥାନୀୟ ଲୋକ ଭୟଭୀତ ହେବା ସହ ତୁରନ୍ତ କୁକୁଡ଼ା ମାରି ପୋତିବା ପାଇଁ ଦାବି ହୋଇଛି। ଅନ୍ୟପଟେ କୁକୁଡ଼ାର ନମୁନା ସଂଗ୍ରହ କରାଯାଇ ଲୋକଙ୍କୁ ସଚେତନ କରାଯିବ ବୋଲି କହିଛନ୍ତି ପ୍ରାଣୀ ଚିକିତ୍ସା ଅଧିକାରୀ । ନିମାପଡ଼ାରେ କୋଠକୁସାଙ୍ଗରେ ମନୋଜ ଦାଶ ଓ ଡେଲାଙ୍ଗ ମୋଟରିରେ କୁନି ପରିଡାଙ୍କ ଫାର୍ମରେ ଆରମ୍ଭ ହୋଇଛି କୁକୁଡ଼ା ମରା । ଏବେ ଚିନ୍ତାରେ କୁକୁଡ଼ା ଚାଷୀ । ଡେଲାଙ୍ଗ ଓ ନିମାପଡ଼ାରେ ବାର୍ଡ ଫ୍ଲୁ ଚିହ୍ନଟ ପରେ ବାର୍ଡ ଫ୍ଲୁ ଚିହ୍ନଟ ଅଞ୍ଚଳରେ ଗତକାଲି ଠାରୁ ଆରମ୍ଭ ହୋଇଛି କୁକୁଡ଼ା ମରା ପ୍ରକିୟା । ଆରଆରଟି ଟିମ୍ ଦ୍ବାରା ଆରମ୍ଭ ହୋଇଛି ଏହି କୁକୁଡ଼ା ମରା ଅଭିଯାନ । ମନୋଜଙ୍କ ଫାର୍ମରୁ ପ୍ରାୟ ୩୧୪ଟି କୁକୁଡ଼ା ମାରିସାରିଲାଣି ଆରଆରଟି ଟିମ୍ । ଆଜି ନୂଆ ସନ୍ଥର ରମେଶ ବାରିକଙ୍କ ଫାର୍ମରେ ଆଜି ଆରମ୍ଭ ହେବ କିଲିଂ ।