କେନ୍ଦ୍ରାପଡ଼ାରେ ବାର୍ଡ ଫ୍ଲୁ ଚିହ୍ନଟ: ଚାଲିଛି କୁକୁଡ଼ା ମରା ଅଭିଯାନ, ଲୋକଙ୍କୁ ସଚେତନ କରୁଛନ୍ତି ଅଙ୍ଗନବାଡି କର୍ମୀ
କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ାରେ ବାର୍ଡ ଫ୍ଲୁ ଚିହ୍ନଟ ପରେ ଆରମ୍ଭ ହୋଇଛି କୁକୁଡ଼ା । ଦ୍ବିତୀୟ ଦିନରେ ଚାଲିଛି କୁକୁଡ଼ା ମରା ଅଭିଯାନ। ଗତକିଛି ଦିନ ଧରି କେନ୍ଦ୍ରାପଡ଼ାର ଅଧିକାଂଶ ଅଞ୍ଚଳରେ ବାର୍ଡ ଫ୍ଲୁ ଆତଙ୍କ ଦେଖାଯିବା ପରେ ପରୀକ୍ଷା ପାଇଁ କୁକୁଡ଼ା ସ୍ବାବ ନମୁନା ପଠାଯାଇଥିଲା । ଡେରାବିଶ ବ୍ଲକର କିଛି ଗାଁ ଓ ବାଲିଆ ଅଞ୍ଚଳରୁ ନମୁନା ସଂଗ୍ରହ କରି ଅଗଷ୍ଟ ୩୧ତାରିଖରେ ପରୀକ୍ଷା ପାଇଁ ପଠାଇଥିଲେ ।
ମଧ୍ୟପ୍ରଦେଶ ଭୋପାଳରେ ପରୀକ୍ଷା ପାଇଁ ଯାଇଥିବା ନମୂନାରୁ ବାର୍ଡଫ୍ଲୁ ହୋଇଥିବା ସ୍ପଷ୍ଟ ହୋଇଛି । ଏହା ପରେ କୁକୁଡ଼ା ମରା ଅଭିଯାନ ଆରମ୍ଭ ହୋଇଛି । ପ୍ରାଣୀ ଚିକିତ୍ସା ବିଭାଗର ୧୩ଟି ଟିମ ଦ୍ବାରା ବିଭିନ୍ନ ଅଞ୍ଚଳରେ କୁକୁଡ଼ା ମରାଯାଉଛି । ଏହା ପରେ ସବୁ କୁକୁଡ଼ା ଫାର୍ମ ଓ ଆଖପାଖ ଅଞ୍ଚଳକୁ ବିଶୋଧନ କରାଯିବ। ହଜାର ହଜାର ସଂକ୍ରମିତ କୁକୁଡ଼ା ମରିବା ଫଳରେ ପୂରା ଅଞ୍ଚଳକୁ ବାର୍ଡ ଫ୍ଲୁ ବ୍ୟାପିବା ନେଇ ଆଶଙ୍କା ଦେଖାଦେଇଛି । ଫାର୍ମରେ କୁକୁଡ଼ା ମରି ପଡିଥିବାରୁ ଦୁର୍ଗନ୍ଧରେ ପୂରା ଅଞ୍ଚଳ ଫାଟି ପଡୁଛି । ତେଣୁ ପ୍ରଶାସନ କେବଳ କୁକୁଡ଼ା ମାରୁନି ବରଂ ଆଶା ଓ ଅଙ୍ଗନବାଡି କର୍ମୀଙ୍କ ଜରିଆରେ ବାର୍ଡ ଫ୍ଲୁକୁ ନେଇ ଗାଁ ଗାଁରେ ଲୋକଙ୍କୁ ସଚେତନ କରୁଛି । ଅନ୍ୟପଟେ କେନ୍ଦ୍ରାପଡ଼ାରେ ବାର୍ଡ ଫ୍ଲୁ ଚିହ୍ନଟ ହେବା ପରେ ପଡୋଶୀ ଜିଲ୍ଲାକୁ ଏହା ବ୍ୟାପିବାର ସମ୍ଭାବନା ବଢିଛି । କାରଣ ପଜିଟିଭ ରିପୋର୍ଟ ଆସିବା ପୂବରୁ ହିଁ କମ ଦାମରେ ହଜାର ହଜାର କୁକୁଡା ବିକ୍ରି କରିଛନ୍ତି ଦୋକାନୀ । ତେଣୁ ସଂକ୍ରମଣକୁ ରୋକିବା ଏବେ ପ୍ରଶାସନ ପାଇଁ ବଡ଼ ଚ୍ୟାଲେଞ୍ଜ ।