ପୁଣି ରାଜ୍ୟକୁ ଫେରିଛି ବାର୍ଡ ଫ୍ଲୁ ଆତଙ୍କ
ପୁରୀ : ପୁଣି ରାଜ୍ୟକୁ ଫେରିଛି ବାର୍ଡ ଫ୍ଲୁ ଆତଙ୍କ । ଚିଲିକା କୃଷ୍ଣପ୍ରସାଦରେ ହଜାର ହଜାର କୁକୁଡ଼ା ମଡ଼କ ପରେ ଦେଖା ଦେଇଛି ଏହି ଆତଙ୍କ । ଗତ ୫ ଦିନ ଧରି କୁକୁଡ଼ା ମଡ଼କ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳାଇଛି । ଏପରିକି କିଛି କୁକୁଡ଼ା ଚାଷୀ ଏହି ଖବର ପାଇଲା ପରେ ଚିନ୍ତାରେ ପଡ଼ିଯାଇଛନ୍ତି ।
କିଛି ସ୍ଥାନରେ କାଉ ମରି ପଡ଼ିଥିବାର ଦୃଶ୍ୟ ଦେଖିବାକୁ ମିଳିଛି । ମୃତ କୁକୁଡାର ରକ୍ତ, ନାଳ, ମୂତ୍ର ପରୀକ୍ଷା ପାଇଁ ପଠାଯାଇଛି । ଏତେ ସଂଖ୍ୟାରେ କୁକୁଡା କାହିଁକି ମରୁଛନ୍ତି, ଏ ସମ୍ପର୍କରେ ସଠିକ ତଥ୍ୟ ଆସିପାରିନାହିଁ । ପରୀକ୍ଷା ପରେ ପ୍ରକୃତ କାରଣ ଜଣାପଡ଼ିବ । ଏଭଳି ସମୟରେ କୁକୁଡା ମାଂସ ଏବଂ ଅଣ୍ଡା ନଖାଇବାକୁ ପରାମର୍ଶ ଦିଆଯାଇଛି ।
ସ୍ଥାନୀୟ କୁକୁଡା ଚାଷୀଙ୍କ କହିବା ଅନୁସାରେ, ଗତ ୫ ଦିନ ହେବ ଏହି ସମସ୍ୟା ଦେଖାଯାଇଥିଲେ ହେଁ ଆଜି ଅଧିକ କୁକୁଡା ମରିଯାଇଥିବା ଦେଖାଯାଇଥିଲା । କୁକୁଡାମାନେ ଦାନା ଖାଉଥିବା ବେଳେ ହିଁ ହଠାତ୍ ଢଳି ପଡୁଛନ୍ତି । ପ୍ରଶାସନ ବର୍ତ୍ତମାନ ସୁଦ୍ଧା ଚାଷୀମାନଙ୍କ ନିକଟରେ ପହଞ୍ଚି ପାରିନାହିଁ । ଚାଷୀମାନେ ଏନେଇ ପ୍ରାଣୀ ବିଭାଗକୁ କହିଥିବା କଥା କହିଛନ୍ତି । ତେବେ ନମୂନା ପରୀକ୍ଷଣ ପରେ ହିଁ ସମ୍ପୁର୍ଣ୍ଣ ସତ୍ୟ ସାମ୍ନାକୁ ଆସିପାରିବ ।