ତୁଟିଲା ବିବାଦ, ୧୧ ମାସ ପରେ ଖୋଲିଛି ବିରଜା – ଅଗ୍ନେଶ୍ୱର ହାଟ

ଯାଜପୁର: ଖୋଲିଲା ବିରଜା ହାଟ । ୧୧ ମାସ ପରେ ଖୋଲିଛି ବିରଜା – ଅଗ୍ନେଶ୍ୱର ହାଟ । ଯାଜପୁର ବିରଜା ପରିକ୍ରମା ପ୍ରକଳ୍ପ ନିକଟରେ ଖୋଲିଛି ପୁରୁଣା ବିରଜା ହାଟ। ସନ୍ଥ ମାଧବ ଅଞ୍ଚଳକୁ ସ୍ଥାନାନ୍ତର ହୋଇଥିବା ହାଟକୁ ନେଇ ପୂର୍ବରୁ ବିବାଦ ଦେଖାଦେଇଥିଲା । ଜିଲା ପ୍ରଶାସନର ନିର୍ଦ୍ଦେଶ କ୍ରମେ ପୋଲିସ ଉପସ୍ଥିତିରେ ଖୋଲିଛି ପୁରୁଣା ବିରଜା ହାଟ । ସେପଟେ ସନ୍ଥ ମାଧବ ଅଞ୍ଚଳରେ ମଧ୍ୟ ଖୋଲିଛି ହାଟ। ସନ୍ଥମାଧବ ହାଟରେ ବ୍ୟବସାୟ ନହେବାରୁ ଅସନ୍ତୋଷ ଥିଲେ ଚାଷୀ ଆଉ ବ୍ୟବସାୟୀ ।  ଆଜି ସକାଳୁ ବିରଜା ଅଗ୍ନେଶ୍ୱର ହାଟରେ ଦୁଇ ପ୍ଲାଟୁନ ପୋଲିସ ସୁରକ୍ଷା ସହ ଆରମ୍ଭ ହୋଇଛି ହାଟ ବ୍ୟବସାୟ ।

ଗତ ଜାନୁଆରୀ ୧୯ ତାରିଖରେ ମନ୍ଦିର ପ୍ରକଳ୍ପ କାର୍ଯ୍ୟ ପାଇଁ ବିରଜା ହାଟକୁ ସନ୍ଥ ମାଧବ ଅଞ୍ଚଳ କୁ ସ୍ଥାନାନ୍ତରିତ କରାଯାଇଥିଲା । ହେଲେ ପୁରୁଣା ଜାଗା ଅର୍ଥାତ୍ ମନ୍ଦିର ନିକଟ ହାଟକୁ ଫେରିବା ପାଇଁ ଦାବି କରିଥିଲେ ବ୍ୟାବସାୟୀ ।  ଯାହାକୁ ନେଇ ବିଧାୟକଙ୍କ ଉପରେ ଆକ୍ରମଣ ଓ ଥାନା ଘେରାଉ କରିଥିଲେ ବ୍ୟବସାୟୀ ।  ଏହାର ସମାଧାନ ପାଇଁ ପ୍ରଶାସନ ଉଭୟ ପକ୍ଷଙ୍କୁ ଡାକି ଆଲୋଚନା କରିବା ପରେ ହାଟକୁ ନେଇ ଲାଗି ରହିଥିବା ବିବାଦ ଉପରୁ ପୂର୍ଣ୍ଣଛେଦ ପଡ଼ିଛି । ପୁରୁଣା ଜାଗାକୁ ଫେରିଛି ହାଟ ।