ବହୁ ଚର୍ଚ୍ଚିତ ବିତ୍ତିହୋତ୍ର ମହାନ୍ତିଙ୍କ ପରଲୋକ । ଭୁବନେଶ୍ୱର ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି । କ୍ୟାନ୍ସରରେ ପୀଡ଼ିତ ଥାଇ ସେ ଏମ୍ସରେ ଚିକିତ୍ସିତ ହେଉଥିଲେ । ବିତ୍ତିହୋତ୍ର ହେଉଛନ୍ତି ପୂର୍ବତନ ଜେଲ୍ ବିଭାଗ ଡିଜି ବିଦ୍ୟାଭୂଷଣ ମହାନ୍ତିଙ୍କ ପୁଅ ।
ଗତକାଲି ବିଳମ୍ବିତ ରାତିରେ ତାଙ୍କର ପରଲୋକ ହୋଇଥିବା ସୂଚନା ରହିଛି । ବିତ୍ତିହୋତ୍ର ଦୀର୍ଘ ଦିନ ହେଲା କ୍ୟାନ୍ସରରେ ପୀଡ଼ିତ ଥିଲେ ।
ଜଣେ କମ୍ପ୍ୟୁଟର ଇଞ୍ଜିନିୟର ବିତ୍ତିହୋତ୍ର ନିଜର ସହପାଠୀ ଜର୍ମାନ ଯୁବତୀଙ୍କୁ ଦୁଷ୍କର୍ମ କରି ଚର୍ଚ୍ଚାକୁ ଆସିଥିଲେ । ୨୦୦୬ ମସିହାରେ ରାଜସ୍ଥାନର ଅଲୱାରରେ ଏହି ଘଟଣା ଘଟିଥିଲା । ସେତେବେଳେ ଏହି ଘଟଣା ସାରା ଦେଶରେ ଚର୍ଚ୍ଚାର ବିଷୟ ହୋଇଥିଲା ।
ଜର୍ମାନ ସହପାଠୀଙ୍କୁ ଦୁଷ୍କର୍ମ ନେଇ ବିତ୍ତିଙ୍କ ନାଁରେ ଅଭିଯୋଗ ହୋଇଥିଲା । ଏହାପରେ ବିତ୍ତିହୋତ୍ରଙ୍କୁ ଗିରଫ କରିଥିଲା ରାଜସ୍ଥାନ ପୋଲିସ ।
ମାତ୍ର ୮ ଦିନରେ କୋର୍ଟ ତ୍ୱରିତ ଶୁଣାଣି କରି ବିତ୍ତିହୋତ୍ରଙ୍କୁ ୭ ବର୍ଷର ସଶ୍ରମ କାରାଦଣ୍ଡାଦେଶ ଦେଇଥିଲେ । ୭ ବର୍ଷ ଜେଲ୍ ଦଣ୍ଡ ସହ ୧୦ ହଜାର ଟଙ୍କା ଜରିମାନା କରିଥିଲେ କୋର୍ଟ । ଜର୍ମାନ ଯୁବତୀଙ୍କୁ ଦୁଷ୍କର୍ମ ମାମଲାରେ ସେ ରାଜସ୍ଥାନର ଜୟପୁର ସେଣ୍ଟ୍ରାଲ ଜେଲରେ ବନ୍ଦୀ ଜୀବନ କାଟୁଥିଲେ ।
ଜେଲ୍ରେ ଥିବାବେଳେ ମା’ଙ୍କ ଦେହ ଅସୁସ୍ଥ ଥିବା ଦର୍ଶାଇ ସେ ପାରୋଲରେ ଆସିଥିଲେ । କିନ୍ତୁ ଅବଧି ଶେଷ ହେବା ପରେ ମଧ୍ୟ ଜେଲ୍କୁ ଫେରି ନ ଥିଲେ । ୭ ବର୍ଷ ଫେରାର ରହିବା ପରେ ୨୦୧୩ରେ ଧରାପଡ଼ିଥିଲେ । ଏକ ବ୍ୟାଙ୍କରେ କାର୍ଯ୍ୟରତ ଥିବା ବେଳେ ୨୦୧୩ରେ ତାଙ୍କୁ କେରଳରୁ ଧରାଯାଇଥିଲା ।