ପୋଲିସ ଏସଆଇ କେଳେଙ୍କାରୀ ମାମଲା : ପ୍ରଭାବଶାଳୀ ବ୍ୟକ୍ତିଙ୍କୁ ସୁରକ୍ଷା ଦେଉଛି କି ସିବିଆଇ ?, ଅଭିଯୋଗ ଆଣିଛି ବିଜେଡି

ଭୁବନେଶ୍ୱର : ବଡ଼ ମାଛଙ୍କୁ ସୁରକ୍ଷା ଦେଉଛି କି ସିବିଆଇ ? ପୋଲିସ ଏସଆଇ କେଳେଙ୍କାରୀ ମାମଲାରେ ବଡ଼ ମୁଣ୍ଡକୁ ସୁରକ୍ଷା ଦେଉଛି ସିବିଆଇ। ଏମିତି ଗୁରୁତର ଅଭିଯୋଗ କରିଛି ବିଜେଡି । ଶଙ୍ଖ ଭବନରେ ଆୟୋଜିତ ସମ୍ବାଦିକ ସମ୍ମିଳନୀରେ ବିଜେଡି ମୁଖପାତ୍ର ଲେନିନ୍ ମହାନ୍ତି କହିଛନ୍ତି ଯେ, CBI ଏହି ଦୁର୍ନୀତିରେ ସମ୍ପୃକ୍ତ ପ୍ରଭାବଶାଳୀ ବ୍ୟକ୍ତିଙ୍କୁ ସୁରକ୍ଷା ଦେବାକୁ ଚେଷ୍ଟା କରୁଛି । CBI ଦାଖଲ କରିଥିବା ପ୍ରାରମ୍ଭିକ ଚାର୍ଜସିଟ୍ ରେ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟକୁ ଲୁଚାଇ ଦିଆଯାଇଛି ।

ଓଡ଼ିଶା ପୋଲିସ୍ ନିଯୁକ୍ତି ବୋର୍ଡ (OPRB) ର ଅଜ୍ଞାତରେ ଏତେ ବଡ଼ ଦୁର୍ନୀତି କେମିତି ହେଲା ବୋଲି ସେ ପ୍ରଶ୍ନ କରିଛନ୍ତି । ଅଧିକାରୀଙ୍କୁ ମିଳୁଛି ସୁରକ୍ଷା । ଚାର୍ଜସିଟ୍ ରେ ପୋଲିସ୍ ବୋର୍ଡ କିମ୍ବା ଗୃହ ବିଭାଗର କୌଣସି ଅଧିକାରୀଙ୍କ ନାମ ନଥିବାରୁ ବିଜେଡି ସନ୍ଦେହ ପ୍ରକାଶ କରିଛି । ପରୀକ୍ଷା ଦାୟିତ୍ୱ ଗୋଟିଏ କମ୍ପାନୀ ପରେ ଆଉ ଗୋଟିଏ କମ୍ପାନୀକୁ ହସ୍ତାନ୍ତର କରାଯାଇଥିଲା, ଯାହାକି ଏହି ଦୁର୍ନୀତିର ମୁଖ୍ୟ କାରଣ। ଏଥିପାଇଁ ଅନୁମତି ଦେଇଥିବା ଅଧିକାରୀଙ୍କ ବିରୋଧରେ କାହିଁକି ତଦନ୍ତ ହେଉନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି । ଗୃହ ବିଭାଗ ଏବଂ ପୋଲିସ୍ ନିଯୁକ୍ତି ବୋର୍ଡର ବିଫଳତା ଯୋଗୁଁ ଏହି ଘୋଟାଲା ହୋଇଛି । ତେଣୁ ସମ୍ପୃକ୍ତ ସମସ୍ତ “ବଡ଼ ପଣ୍ଡା”ଙ୍କ ବିରୋଧରେ ନିରପେକ୍ଷ ତଦନ୍ତ ଓ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ବିଜେଡି ଦାବି କରିଛି ।

Also Read : ଧାନ କିଣିବାକୁ ଆସୁ ନାହାନ୍ତି ମିଲର, ମଣ୍ଡିରେ ପଡ଼ି ରହିଛି ହଜାର ହଜାର ବସ୍ତା ଧାନ