ବିଜେଡି ପ୍ରତିଷ୍ଠା ଦିବସରେ ବିଜେପିର ଜବାବ ମାଗୁଛି ଓଡ଼ିଶା ଅଭିଯାନ ଆରମ୍ଭ

ଭୁବନେଶ୍ବର (କେନ୍ୟୁଜ୍) : ଆଗାମୀ ନିର୍ବାଚନ ପୂର୍ବରୁ ଆଟାକିଂ ମୁଡରେ ବିଜେଡି ସୁପ୍ରିମୋ । ଆର୍ଥିକ ସ୍ୱାଧୀନତା କଥା ଉଠାଇ କେନ୍ଦ୍ରକୁ ଶାଣିତ ଆକ୍ରମଣ କରିଛନ୍ତି ନବୀନ । ନାଁ ନ ନେଇ ପ୍ରଧାନମନ୍ତ୍ରୀଙ୍କୁ ନିଶାନା କରିଛନ୍ତି । ଆଜି ବିଜେଡି ପ୍ରତିଷ୍ଠା ଦିବସ ଉତ୍ସବରେ ନବୀନଙ୍କ ରୋକଠୋକ ଆଭିମୁଖ୍ୟର ଝଲକ ଦେଖିବାକୁ ମିଳିଛି । କେବଳ ସେତିକି ନୁହେଁ ଅଭିଭାଷଣରେ ଉଠାଇଥିବା ୯ଟି ପ୍ରସଙ୍ଗକୁ ଘରେ ଘରେ ପହଞ୍ଚାଇବା ପାଇଁ ଦଳର ନେତା ଓ କର୍ମୀଙ୍କୁ ଆହ୍ଵାନ ଦେଇଛନ୍ତି ନବୀନ ।
ନରମ ନୁହେଁ ରୋକଠୋକ ଆଭିମୁଖ୍ୟ । ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ କଠୋର ହେଉଛନ୍ତି ବିଜେଡି ସୁପ୍ରିମୋ । କେନ୍ଦ୍ର ବିରୋଧୀ ସ୍ୱରକୁ ଆହୁରି ଶାଣିତ କରିଛନ୍ତି ନବୀନ । ବିଜୁ ବାବୁଙ୍କ ଭଳି ଓଡ଼ିଶାର ବିକାଶ ପାଇଁ ଆର୍ଥିକ ସ୍ୱାଧୀନତା ଦାବି ଉଠାଇଛନ୍ତି। କହିଛନ୍ତି, ଯଦି ଆର୍ଥିକ ସ୍ୱାଧୀନତା ମିଳିବ ତେବେ କେନ୍ଦ୍ରୀୟ ପାଣ୍ଠି କି ଅନୁଦାନ ଦରକାର ନାହିଁ। ଏପରିକି ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦରକାର ନାହିଁ। ପୂର୍ବରୁ ୯୦ ଦଶକରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ଆର୍ଥିକ ସ୍ୱାଧୀନତା କଥା ଉଠାଇ ଜାତୀୟ ରାଜନୀତିରେ ହଟଚମଟ ସୃଷ୍ଟି କରିଥିଲେ । ସେତେବେଳ ବିଜୁ ବାବୁ କହିଥିଲେ, ଆର୍ଥିକ ସ୍ୱାଧୀନତା ମିଳିଲେ ଦକ୍ଷିଣ ଏସିଆରେ ଓଡ଼ିଶାକୁ ଏକ ଆଗୁଆ ରାଜ୍ୟ ଭାବେ ଗଢ଼ି ତୋଳିବେ । ଏବେ ସେହି ରାସ୍ତାରେ ପାଦ ଥାପି ବିଜୁ ବାବୁଙ୍କ ଦାବିକୁ ଦୋହରାଇଛନ୍ତି ନବୀନ ।
ଭୁବନେଶ୍ୱର ରାଜ୍ୟ ବିଜେଡି କାର୍ୟ୍ୟାଳୟରେ ୨୧ ତମ ପ୍ରତିଷ୍ଠା ଦିବସରେ ନବୀନ କେନ୍ଦ୍ର ବିରୋଧରେ ଗର୍ଜି ଥିଲେ । କୋଇଲା ରୟାଲଟି ପ୍ରସଙ୍ଗ ଉଠାଇ କେନ୍ଦ୍ରକୁ କାଠଗଡ଼ାରେ ଠିଆ କରାଇଛନ୍ତି। ୨୦୧୫ରୁ ଏ ପର୍ୟ୍ୟନ୍ତ କୋଲ୍ ରୟାଲଟି ସଂଶୋଧନ ହୋଇନାହିଁ। ଓଡିଶାରୁ କୋଇଲା ନେଲେ, କମ୍ପାନୀ ତିଆରି କଲେ କିନ୍ତୁ ଓଡ଼ିଶାକୁ କେବଳ ପ୍ରଦୂଷଣ ମିଳୁଛି। କେବଳ ନିର୍ବାଚନ ଆସିଲେ ଦୁଇ ଜାତୀୟ ଦଳର ଓଡ଼ିଶା କଥା ମନେ ପଡ଼େ ବୋଲି କଟାକ୍ଷ କରିଛନ୍ତି ବିଜେଡି ସୁପ୍ରିମୋ।
୨୨ ବର୍ଷରେ ପାଦ ଥାପିଛି ବିଜେଡି । ନିର୍ବାଚନ ମଣ୍ଡଳୀଠୁ ଆରମ୍ଭ କରି ଭୁବନେଶ୍ୱର ଯାଏ ଧୂମଧାମରେ ପାଳିତ ହୋଇଛି ଦଳର ପ୍ରତିଷ୍ଠା ଦିବସ । ହଜାର ହଜାର ସଂଖ୍ୟାରେ ନେତା ଓ କର୍ମୀ ସାମିଲ ହୋଇଥିଲେ । ପ୍ରତିଷ୍ଠା ଦିବସରେ ଦଳୀୟ କର୍ପୋରେଟର, ବିଧାୟକ, ସାଂସଦ, ମୁଖ୍ୟମନ୍ତ୍ରୀ ମାସକର ଦରମା ଦଳୀୟ ପାଣ୍ଠିକୁ ଚେକ ମାଧ୍ୟମରେ ପ୍ରଦାନ କରିଛନ୍ତି।
ଆଜିଠାରୁ ବିଜେପି ଯୁବ ମୋର୍ଚ୍ଚା ଆରମ୍ଭ କରିଛି ଜବାବ ମାଗୁଛି ଓଡ଼ିଶା ରଥ କାର୍ୟ୍ୟକ୍ରମ। ରାଜ୍ୟ ସରକାରଙ୍କ ବିଫଳତା ଅଭିଯୋଗ ଧରି, ଲୋକଙ୍କ ପାଖରେ ପହଞ୍ଚିବ ଦଳ। ଆଜିର ଶୁଭାରମ୍ଭ କାର୍ୟ୍ୟକ୍ରମରେ ନବୀନଙ୍କ ନଅଟି କଥାର ଜବାବ ରଖିଥିଲେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ। ସେହିପରି ପିଠାରେ ଅଯଥା ଅର୍ଥ ଖର୍ଚ୍ଚ ହେଉଥିବା ଅଭିଯୋଗ କରିଥିଲେ ବିଜେପି ବିଧାୟକ ଦଳ ନେତା କେ.ଭି.ସିଂହଦେଓ।
ସେପଟେ ସାରା ରାଜ୍ୟରେ କଂଗ୍ରେସ ପାଳିଛି କଳା ଦିବସ। ପଞ୍ଚାୟତିରାଜ ବ୍ୟବସ୍ଥାକୁ ରାଜ୍ୟ ସରକାର ଧୂଳିସାତ କରିଥିବା ଦଳର ଅଭିଯୋଗ। ପିଠା ଓ ଆମ ଗାଁ ଆମ ବିକାଶ କାର୍ୟ୍ୟକ୍ରମ ମାଧ୍ୟମରେ ପଞ୍ଚାୟତର କ୍ଷମତାକୁ ସଂକୁଚିତ କରିବାକୁ ଉଦ୍ୟମ କରାଯାଉଥିବା ଅଭିଯୋଗ ହୋଇଛି। କଂଗ୍ରେସର କଳା ଦିବସ, ବିଜେଡି କେନ୍ଦ୍ରଠାରୁ ଜବାବ ମାଗୁଛି, ବିଜେପି ରାଜ୍ୟଠାରୁ ଜବାବ ମାଗୁଛି। ଏହି ରାଜନୀତି ସୂଚାଉଛି ଆଗକୁ ନିର୍ବାଚନ ଋତୁ ଆସୁଛି।