ଜନ୍ମରୁ ରାଜନୀତିରେ ସଫଳ ଥିବା ବିଜେଡିକୁ ୨୧ ପୂରି ଚାଲିବ ୨୨, ସରକାରଙ୍କ ସଫଳତା କଥା ଧରି ଗାଁଠୁ ସହର ସବୁଠି ପାଳିବ ପ୍ରତିଷ୍ଠା ଦିବସ

ଭୁବନେଶ୍ବର : ଡିସେମ୍ବର ୨୬ । ବିଜେଡିର ପ୍ରତିଷ୍ଠା ଦିବସ । ଦଳକୁ ୨୧ ପୂରି ୨୨ ଚାଲିବ । ଗାଁ ଠୁ ସହର, ପ୍ରତି ନିର୍ବାଚନମଣ୍ଡଳୀରୁ ଆରମ୍ଭ କରି ରାଜଧାନୀ ଭୁବନେଶ୍ୱର ଯାଏଁ ସବୁଠି ପ୍ରତିଷ୍ଠା ଦିବସ ପାଳନ ପାଇଁ ନିଷ୍ପତ୍ତି ନେଇଛି ବିଜେଡି । ଆଗକୁ ଆସୁଛି ନିର୍ବାଚନ । ଏହା ପୂର୍ବରୁ ପ୍ରତିଷ୍ଠା ଦିବସ ପାଳନ ଜରିଆରେ ରାଜ୍ୟ ସରକାରଙ୍କ ସଫଳତା ଓ କେନ୍ଦ୍ର ସରକାରଙ୍କ ଓଡ଼ିଶା ପ୍ରତି ଅବହେଳାକୁ ନେଇ ଲୋକଙ୍କ ପାଖରେ ପହଞ୍ଚାଇବ ଦଳ । ଜନସାଧାରଣଙ୍କୁ ଦେଇଥିବା ପ୍ରତିଶ୍ରୁତି କେତେ ପୂରଣ କରିଛି ତା’ର ମଧ୍ୟ ହିସାବ ଦେବ । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଚିଠି ଲେଖି ଦଳୀୟ ସାଂସଦ ଓ ବିଧାୟକଙ୍କୁ ଅତି କମ୍‌ରେ ମାସକର ଦରମା ଦଳୀୟ ପାଣ୍ଠିକୁ ଦାନ କରିବା ପାଇଁ ଅନୁରୋଧ କରିଛନ୍ତି। ସେହିପରି ବିଜେଡି ଜିଲ୍ଲା ସଭାପତିମାନେ ଦଳୀୟ ପାଣ୍ଠିକୁ ସହାୟତା ଦେବା ଲାଗି ଶୁଭେଚ୍ଛୁ ଓ ସମର୍ଥକଙ୍କ ଠାରୁ ସହଯୋଗ ଲୋଡ଼ିବାକୁ କୁହାଯାଇଛି । ଏଥର ପ୍ରତିଷ୍ଠା ଦିବସରେ ସୁପ୍ରିମୋଙ୍କ ଆଭିମୁଖ୍ୟ କଣ ରହିବ ତା’କୁ ଏବେ ଅପେକ୍ଷା ।

ସେପଟେ ଆସନ୍ତାକାଲି ଠାରୁ ବିଜେପିର ‘ଜବାବ ମାଗୁଛି ଓଡ଼ିଶା’ କାର‌୍ୟ୍ୟକ୍ରମ । ଏହା ମାଧ୍ୟମରେ ରାଜ୍ୟ ସରକାରଙ୍କ ବିଫଳତା ଲୋକଙ୍କ ପାଖରେ ପହଞ୍ଚାଇବ ବୋଲି ଦଳ କହିଛି । ସେହିପରି କଂଗ୍ରେସ ଆସନ୍ତାକାଲି କଳାଦିବସ ପାଳନ କରିବ । ପଞ୍ଚାୟତିରାଜ ବ୍ୟବସ୍ଥାକୁ ରାଜ୍ୟ ସରକାର ଧୂଳିସାତ କରିଥିବା ଦଳ ଅଭିଯୋଗ କରିଛି ।

ଗତବର୍ଷ ପୁରୀରେ ରାଜ୍ୟସ୍ତରୀୟ ପ୍ରତିଷ୍ଠା ଦିବସ ପାଳନ କରିଥିଲା ବିଜେଡି। ଏଥର କିନ୍ତୁ ଗ୍ରାଉଣ୍ଡ ଜିରୋରେ ପାଳନ କରିବା ପାଇଁ ନିଷ୍ପତ୍ତି ନେଇଛି ।