ଭୁବନେଶ୍ୱର : ଷଷ୍ଠ ଥର ନବୀନ ସରକାର । ଓଡ଼ିଶା ଗଣମାଧ୍ୟମ ସକାଳ ଓ ପ୍ରଗତିବାଦୀର ସର୍ଭେରେ ବିଜେଡିକୁ ସ୍ପଷ୍ଟ ବହୁମତ ନେଇ ରିପୋର୍ଟ । ୨୦୨୪ ମହାପର୍ବର ବୁଥ୍ ବାହୁଡ଼ା ଜନମତ ରିପୋର୍ଟ ଅନୁସାରେ ଓଡ଼ିଶାରେ ୧୪୭ ବିଧାନସଭା ଆସନ ମଧ୍ୟରୁ ବିଜେଡି ସପକ୍ଷରେ ୧୧୭, ବିଜେପିକୁ ୧୧ ଓ କଂଗ୍ରେସକୁ ୨ଟି ଆସନ ମିଳି ପାରେ ।
ସକାଳ ବୁଥ୍ ବାହୁଡା ସର୍ଭେରୁ ମିଳିଛି ଏହି ତଥ୍ୟ । ଅବଶିଷ୍ଟ ୧୭ଟି ବିଧାନସଭା କ୍ଷେତ୍ରରେ ବିଭିନ୍ନ ଦଳ କଡ଼ା ମୁକାବିଲାର ସମ୍ମୁଖୀନ ହୋଇଛନ୍ତି । ସେହିପରି ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ୪ ସଂସଦୀୟ କ୍ଷେତ୍ର ଅଧୀନସ୍ଥ ୨୮ ବିଧାନସଭା ଆସନରୁ ବିଜେଡି ୨୩ ଓ ବିଜେପି ୨ଟି ଆସନରେ ବିଜୟୀ ହୋଇପାରନ୍ତି ।
ଅବଶିଷ୍ଟ ୩ଟି ଆସନରେ କଡା ମୁକାବିଲା ହୋଇଛି । ସେହିପରି ୨୧ଟି ଲୋକସଭା ଆସନ ମଧ୍ୟରୁ ବିଜେଡି ସପକ୍ଷରେ ୧୧ ଓ ବିଜେପି ସପକ୍ଷରେ ୬ଟି ଆସନ ଯାଇପାରେ । ଏହାବ୍ୟତୀତ ୩ଟି ସଂସଦୀୟ କ୍ଷେତ୍ରରେ ବିଜେଡି-ବିଜେପି ମଧ୍ୟରେ କଡା ମୁକାବିଲା ହୋଇଥିବା ଏବଂ ବାଲେଶ୍ବର ସଂସଦୀୟ କ୍ଷେତ୍ରରେ ବିଜେଡି-କଂଗ୍ରେସ ଓ ବିଜେପି ମଧ୍ୟରେ ତ୍ରିମୁଖୀ ଲଢେଇ ହୋଇଥିବା କୁହାଯାଉଛି ।
ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, କଳାହାଣ୍ଡି ଲୋକସଭା କ୍ଷେତ୍ର ଅଧୀନରେ ଥିବା ସମସ୍ତ ବିଧାନସଭା କ୍ଷେତ୍ରରେ ବିଜେଡି କ୍ଲିନ୍ ସ୍ବିପ୍ କରୁଥିବା ସକାଳ ଆକଳନ କରିଛି । ସେହିପରି ପ୍ରଗତିବାଦୀ ସର୍ଭେରେ ବିଜେଡିକୁ ୯୪, ବିଜେପିକୁ ୪୧ ଓ କଂଗ୍ରେସକୁ ୧୦ ଏବଂ ଗୋଟିଏ ଗୋଟିଏ ଆସନ ସିପିଏମ ଏବଂ ସ୍ବାଧୀନ ପ୍ରାର୍ଥୀଙ୍କୁ ଯିବ । ଲୋକସଭା ଆସନ ଗୁଡ଼ିକରେ ବିଜେଡିକୁ ବିଜେପି ଏଥର କଡା ଟକ୍କର ଦେଇଛି। ବିଜେଡିକୁ ୧୧ ଓ ବିଜେପିକୁ ୧୦ଟି ଆସନ ମିଳିପାରେ ।