ରାଜ୍ୟସଭା ସଦସ୍ୟ ପଦ ଛାଡିଲେ ବିଜେଡି ନେତ୍ରୀ ମମତା ମହନ୍ତ, ଆଜି ଧରିଲେ ପଦ୍ମ

 ଭୁବନେଶ୍ୱର : କାଲି ଛାଡ଼ିଥିଲେ ବିଜେଡି, ଆଜି ଧରିଲେ ପଦ୍ମ । ମମତା ମହନ୍ତଙ୍କୁ ନେଇ ଏବେ ରାଜ୍ୟ ରାଜନୀତି ବେଶ ସରଗରମ । ତାଙ୍କ ଇସ୍ତଫା ପରେ ଖାଲି ହୋଇଛି ଗୋଟିଏ ରାଜ୍ୟସଭା ଆସନ । ଏହି ଆସନର ଉପନିର୍ବାଚନ ହେଲେ ମମତାଙ୍କ ସ୍ଥାନରେ କିଏ ଯିବେ ରାଜ୍ୟସଭା ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କୁ ଏ ଆସନରୁ ରାଜ୍ୟସଭାକୁ ବିଜେପି ପଠାଇବାର ସମ୍ଭାବନା ରହିଛି । କିମ୍ବା ପୁଣି ବିଜେପି ତାଙ୍କୁ ରାଜ୍ୟସଭାକୁ ମନୋନୀତ କରିପାରେ ବୋଲି କୁହାଯାଉଛି । ସେପଟେ ବିଜେଡି କହିଛି, ଯିଏ ବି ଦଳରୁ ଗଲେ କିଛି ଫରକ ପଡିବ ନାହିଁ  ।

ନୂଆଦିଲ୍ଲୀରେ ବିଜେପି ମୁଖ୍ୟାଳୟରେ ବରିଷ୍ଠ ନେତାଙ୍କ ଉପସ୍ଥିତିରେ ମମତା ମହନ୍ତ ଦଳରେ ସାମିଲ ହୋଇଛନ୍ତି । ରାଜ୍ୟସଭା ସଦସ୍ୟ ପଦ ସହ ବିଜେଡି କାହିଁକି ଛାଡିଲେ ମମତା ମହନ୍ତ । ଏହା ପଛର କଣ ରହିଛି ରାଜନୈତିକ ସମୀକରଣ । ଆହୁରି ବର୍ଷେ ୮ ମାସ ବାକି ଥିଲା ମମତା ମହନ୍ତଙ୍କର କାର୍ଯ୍ୟକାଳ ।

ଏବେ କଣ ପାଇଁ ବିଜେଡି ସହ ରାଜ୍ୟସଭା ସଦସ୍ୟ ପଦ ଛାଡିଲେ ମମତା । ବିଧାନସଭାରେ ସଂଖ୍ୟା ଦୃଷ୍ଟିରୁ ରାଜ୍ୟସଭା ଉପନିର୍ବାଚନରେ ବିଜେପି ପ୍ରାର୍ଥୀଙ୍କ ବିଜୟ ସୁନିଶ୍ଚିତ । ତେଣୁ ଏବେ ରାଜ୍ୟସଭାକୁ ମମତାଙ୍କ ସ୍ଥାନରେ କିଏ ଯିବେ ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି ।  ବିଜେପି ସଭାପତି ମନମୋହନ ସାମଲଙ୍କୁ ଏ ଆସନରୁ ରାଜ୍ୟସଭାକୁ ବିଜେପି ଯଦି  ପଠାଏ,  ତା’ ହେଲେ ମମତା ମହନ୍ତଙ୍କୁ ପ୍ରସ୍ତାବିତ ଉତ୍ତର ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷା କରାଯିବା ନେଇ ମଧ୍ୟ ଚର୍ଚ୍ଚା ହେଉଛି ।

ଦିଲ୍ଲୀ ମହଲରେ ଚର୍ଚ୍ଚା ଅନୁସାରେ ଏବେ ରାଜ୍ୟସଭାରେ ବିଜେପିର ସଂଖ୍ୟାଗରିଷ୍ଠତା ନାହିଁ । ତେଣୁ ବିଜେପିର ନଜର ରହିଛି ୱାଇଏସଆରକଂଗ୍ରେସ, ବିଜେଡି ଓ ବିଆରଏସ ଆଦି ଦଳ ଉପରେ । ଏବେ ରାଜ୍ୟସଭାରେ ବିଜେଡିର ୮ ଜଣ ସାଂସଦ ଅଛନ୍ତି । ରାଜ୍ୟସଭାରେ ବିରୋଧୀଙ୍କ ସଂଖ୍ୟା କମିଲେ ଏହା ବିଜେପିକୁ ଫାଇଦା ମିଳିବ । ତେଣୁ ରାଜ୍ୟସଭାରେ ବିଜେପି ନିଜର ମଜଭୁତ ସ୍ଥିତି ଜାହିର କରିବା ପାଇଁ ପ୍ରୟାସ ଆରମ୍ଭ କରିଥିବା କୁହାଯାଉଛି।

ତେବେ ମମତା ମହନ୍ତଙ୍କ ପ୍ରସଙ୍ଗରେ ବିଜେଡି ର ସାମ୍ବାଦିକ ସମ୍ମିଳନୀ କରିଛି । ବ୍ୟକ୍ତିଗତ ସ୍ବାର୍ଥ ପାଇଁ ଚଞ୍ଚକତା କରି ମମତା ଇସ୍ତଫା ଦେଇଛନ୍ତି । ବିଜେଡି ଅତୀତରେ ଅନେକ ମହିଳାଙ୍କ ସାମର୍ଥ୍ୟ ନେଇ ସେମାନଙ୍କୁ ସୁଯୋଗ ଦେଇଛି । କୁଡୁମି ସମାଜର ଅଭିବୃଦ୍ଧି ପାଇଁ ନବୀନ ସରକାର ଅନେକ କାର୍ଯ୍ୟ କରିଛନ୍ତି । ମମତା ଯେଉଁ ମନ୍ତବ୍ୟ ଦେଇଛନ୍ତି ତାହା ଭିତ୍ତିହିନ । ମୟୂରଭଞ୍ଜ ବାସୀଙ୍କୁ ମମତା ଧୋକା ଦେଇଛନ୍ତି। ମୟୂରଭଞ୍ଜ ବାସୀ ଏହାର ଜବାବ ଦେବେ ବୋଲି  ବିଜେଡି କହିଛି ।

You might also like