ମଞ୍ଚ ଉପରେ କର୍ମୀଙ୍କୁ ଚାପୁଡା ମାରିଲେ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ୍

ବ୍ରହ୍ମପୁର(କେନ୍ୟୁଜ୍): ରାଗିଗଲେ ସାଂସଦ । କର୍ମୀଙ୍କୁ ଶକ୍ତ ଚାପୁଡା ମାରିଲେ ବ୍ରହ୍ମପୁର ସାଂସଦ । ମଞ୍ଚ ଉପରେ କର୍ମୀଙ୍କୁ ଚାପୁଡା ମାରିଛନ୍ତି ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ । ଗଜପତି ଜିଲ୍ଲା ବିଜେଡି ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକରେ ଏପରି ଘଟଣା ଦେଖିବାକୁ ମିଳିଛି । ଘଟଣା ଘଟିବା ବେଳେ ସ୍ଥାନୀୟ ବିଜେଡି ବହୁ ନେତା ମଧ୍ୟ ସେଠାରେ ଉପସ୍ଥିତ ଥିଲେ । ଚାପୁଡା ମାରିବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । କର୍ମୀଙ୍କୁ ସାଂସଦଙ୍କ ପାଖରେ ଥିବା ବ୍ୟକ୍ତି ଜଣଙ୍କ ବେକରେ ଏକ ଉତ୍ତରୀୟ ପକାଇବାକୁ ଦେଉଛନ୍ତି । ହେଲେ କର୍ମୀ ଜଣଙ୍କ ଉତ୍ତରୀୟକୁ ନିଜ ବେକରେ ନ ପକାଇ ସାଂସଦଙ୍କ ହାତକୁ ବଢାଇ ଦେଇଥିଲେ । ଆଉ ସାଂସଦ ହଠାତ ଏହି କର୍ମୀଙ୍କୁ ସର୍ବ ସମ୍ମୁଖରେ ଏକ ଶକ୍ତ ଚାପୁଡା ମାରିଥିଲେ ।

ଦେଖନ୍ତୁ ଭିଡିଓ:

ଅପରପଟେ କର୍ମୀଙ୍କୁ ମାଡ଼ ମାରିଥିବା ଘଟଣାକୁ ନେଇ ପ୍ରତିକ୍ରୀୟ ରଖିଛନ୍ତି ସାଂସଦ ଚନ୍ଦ୍ରଶେଖର ସାହୁ । ସେ କହିଛନ୍ତି ଗଜପତିରେ ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ସହ ମିଶ୍ରଣ ପର୍ବ ଥିଲା । କିଛି କଂଗ୍ରେସ ଓ ବିଜେପି କର୍ମୀ ବିଜେଡିରେ ସାମିଲ ହୋଇଥିଲେ । ପର୍ଯ୍ୟବେକ୍ଷକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ କଂଗ୍ରେସର ସେହି କର୍ମୀଙ୍କୁ ସ୍ୱାଗତ କରିବା ପାଇଁ ଉତ୍ତରୀୟ ପକାଉଥିଲେ । ହେଲେ ସେ ନିଶାଶକ୍ତ ଥିବାରୁ ଚନ୍ଦ୍ରଶେଖର ସାହୁଙ୍କ ଦ୍ୱାରା ଉତ୍ତରୀୟ ପକାଇବାକୁ ଚାହିଁଥିଲେ । ଏହି ସମୟରେ ଏପରି ଘଟଣା ଘଟିଥିବା କହିଛନ୍ତି । ପରବର୍ତ୍ତୀ ସମୟରେ ସେହି କର୍ମୀ ଜଣଙ୍କ କ୍ଷମା ମାଗିଥିବା କହିଛନ୍ତି ସାଂସଦ ଚନ୍ଦ୍ରଶେଖର ସାହୁ ।