ଆଜି ବସିବ ବିଜେଡି ସଂସଦୀୟ ଦଳ ବୈଠକ, ଦଳର ସୁପ୍ରିମୋ କେଉଁ ଦିଶାନିର୍ଦ୍ଦେଶ ଦେଉଛନ୍ତି ତାକୁ ଅପେକ୍ଷା

ଭୁବନେଶ୍ୱର : ଆଜି ସନ୍ଧ୍ୟାରେ ବିଜେଡି ସଂସଦୀୟ ଦଳ ବୈଠକ ବସୁଛି । ଆସନ୍ତା ସୋମବାର ଆରମ୍ଭ ହେଉଛି ସଂସଦ ଅଧିବେଶନ । ଉପସ୍ଥାପନ ହେବ ବଜେଟ୍। ତା ପୂର୍ବରୁ ବିଜେଡିର ରଣନୀତି ସ୍ଥିର କରିବାକୁ ଦଳର ସୁପ୍ରିମୋ ବୈଠକ ଡାକିଛନ୍ତି । ଲୋକସଭାରେ ଜଣେ ବି ବିଜେଡି ସାଂସଦ ନଥିବା ବେଳେ ଏବେ ରାଜ୍ୟସଭାରେ ଦଳର ୯ ଜଣ ବିଜେଡି ସାଂସଦ ଅଛନ୍ତି । ରାଜ୍ୟସଭା ସାଂସଦଙ୍କ ଉପରେ ଗୁରୁଦାୟିତ୍ବ ଦେଇଛନ୍ତି ନବୀନ।
ଗତ ୨୪ ତାରିଖରେ ବିଜେଡିର ସଂସଦୀୟ ଦଳ ବୈଠକ ବସିଥିଲା । ରାଜ୍ୟସଭାରେ ବିଜେଡି କିପରି ବିରୋଧୀ ଦଳର ଭୂମିକା ତୁଲାଇବ, ସାଂସଦମାନେ ଶାଣିତ ଭାବେ ରାଜ୍ୟ ସ୍ବାର୍ଥ ସମ୍ବଳିତ ପ୍ରସଙ୍ଗ ଉଠାଇବେ ତାହା ଉପରେ ପରାମର୍ଶ ଦେଇଥିଲେ ନବୀନ । ୨୦୧୯ ପର୍ଯ୍ୟନ୍ତ କେନ୍ଦ୍ର ବିରୋଧୀ ରଣନୀତି କରି ବହୁ ସଫଳତା ପାଇଥିଲା ବିଜେଡି। ସ୍ବତନ୍ତ୍ର ରାଜ୍ୟ ପାହ୍ୟା, ମହିଳା ସଂରକ୍ଷଣ, ମହାନଦୀ,ରେଳବାଇ, ଟେଲିକମ୍ କ୍ଷେତ୍ରରେ ଅବହେଳା ଆଦି ପ୍ରସଙ୍ଗ ଉଠାଇ ଏକ ସଫଳ ଆଞ୍ଚଳିକ ଦଳ ଭାବେ ପତିଆରା ଜାହିର କରିଥିଲା । କିନ୍ତୁ ୨୦୧୯ ପରେ କେନ୍ଦ୍ର ସରକାରଙ୍କୁ ଅନେକ ପ୍ରସଙ୍ଗରେ ସମର୍ଥନ ଦେଇ ଆସୁଥିଲେ । ରାଜନୈତିକ ପର୍ଯ୍ୟବେକ୍ଷକଙ୍କ ମତରେ ୨୪ ନିର୍ବାଚନରେ ଏହା ବିଜେଡି ପାଇଁ ବୁମେରାଂ ହୋଇଥିଲା । ତେଣୁ ପୁଣି କେନ୍ଦ୍ର ବିରୋଧରେ ସ୍ବର ଉତ୍ତୋଳନକୁ ଜୋରଦାର କରିବା ପାଇଁ ବିଜୁ ଜନତା ଦଳ ପୂର୍ବ ରଣନୀତିକୁ ଆପଣାଇବା ଚର୍ଚ୍ଚା ହେଉଛି । ତେବେ ନବୀନ ସାଂସଦଙ୍କୁ କେଉଁ ଦିଶାନିର୍ଦ୍ଦେଶ ଦେଉଛନ୍ତି ତାକୁ ଅପେକ୍ଷା ।