ବିଜୁ ଜନତା ଦଳ ପକ୍ଷରୁ କଡ଼ା ହ୍ୱିପ୍‌ ଜାରି, ସନାତନ ମହାକୁଡ ଓ ଅରବିନ୍ଦ ମହାପାତ୍ରଙ୍କୁ ନିର୍ଦ୍ଦେଶ ମାନିବାକୁ ଦଳ ଲେଖିଲା

ଭୁବନେଶ୍ୱର :  ରାଜ୍ୟସଭା ନିର୍ବାଚନ ପୂର୍ବରୁ ବିଜୁ ଜନତା ଦଳ ପକ୍ଷରୁ କଡ଼ା ହ୍ୱିପ୍‌ ଜାରି । ଚମ୍ପୁଆ ବିଧାୟକ ସନାତନ ମହାକୁଡ ଓ ଅରବିନ୍ଦ ମହାପାତ୍ରଙ୍କୁ ଚିଠି ଲେଖି ଦଳର ନିର୍ଦ୍ଦେଶ ମାନିବାକୁ କହିଛନ୍ତି ବିଜେଡିର ଚିଫ୍‌ ହ୍ୱିପ୍‌ ପ୍ରମିଳା ମଲ୍ଲିକ।  ଚିଠିରେ ଉଲ୍ଲେଖ ରହିଛି ଯେ, ସନାତନ ମହାକୁଡ ଓ ଅରବିନ୍ଦ ମହାପାତ୍ର ବିଜେଡି ଟିକେଟରେ ବିଧାୟକ ହୋଇଥିବାରୁ ଦଳର ଅଧିକୃତ ପ୍ରାର୍ଥୀଙ୍କ ପକ୍ଷରେ ଭୋଟ୍‌ ଦେବାକୁ ପଡିବ ।

ଅରବିନ୍ଦ ଓ ସନା ବିଜେଡି ଟିକେଟରେ ଲଢି ନିର୍ବାଚନ ଜିତିଛନ୍ତି। ତେବେ ଦଳ ବିରୋଧୀ କାର୍ଯ୍ୟପାଇଁ ନିଲମ୍ବନ ହୋଇଥିଲେ ସୁଦ୍ଧା ବିଜେଡି ଟିକେଟରେ ବିଧାୟକ ହୋଇଥିବାରୁ ଦଳର ଅଧିକୃତ ପ୍ରାର୍ଥୀଙ୍କ ପକ୍ଷରେ ଭୋଟଦାନ କରିବାକୁ ପଡିବ। ଏଣୁ ଉଭୟ ଦଳର ହ୍ବିପକୁ କଡ଼ାକଡ଼ି ପାଳନ କରି ଦଳୀୟ ଶୃଙ୍ଖଳାରେ ମତଦାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଦଳ ବିରୋଧରେ ଭୋଟ୍ ଦେବା କିମ୍ବା ଭୋଟ୍ ରୁ ଅନୁପସ୍ଥିତ ରହିଲେ ସମ୍ବିଧାନର ଦଶମ ତାଲିକା ଅନୁସାରେ ଅଯୋଗ୍ୟ ଘୋଷିତ ହେବାର ସମ୍ଭାବନା ରହିଛି ବୋଲି ଚିଠିରେ ସତର୍କ କରାଯାଇଛି।