ଭୁବନେଶ୍ୱର : ଓମସାର ଆନ୍ଦୋଳନକୁ ବିଜେଡିର ସମର୍ଥନ । ମୟୂରଭଞ୍ଜ ଜିଲ୍ଲାରେ ଆନ୍ଦୋଳନରତ ଡାକ୍ତରଙ୍କ ସପକ୍ଷରେ ଛିଡ଼ା ହେଲା ବିଜୁ ଜନତା ଦଳ । ବିଜେଡିର ଏକ ପ୍ରତିନିଧି ଦଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଯାଇ ଆନ୍ଦୋଳନକାରୀ ଡାକ୍ତରଙ୍କ ସହ ଆଲୋଚନା କରିଛନ୍ତି ।
ସରକାର ତୁରନ୍ତ ଡାକ୍ତରୀ ସଂଘ ସହ ଆଲୋଚନା କରି ନ୍ୟାଯ୍ୟ ଦାବିଗୁଡିକ ପୂରଣ କରିବାକୁ ଦାବି କରିଛନ୍ତି । ମୟୂରଭଞ୍ଜ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଠାରୁ ଆରମ୍ଭ କରି ଜିଲ୍ଲାର ସମସ୍ତ ସିଏଚସି, ପିଏଚସିରେ ଡାକ୍ତର ମାନେ ଆନ୍ଦୋଳନ କୁ ଓହ୍ଲାଇଛନ୍ତି । ଫଳରେ ରୋଗୀମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତୁରନ୍ତ ସମସ୍ୟାର ସମାଧାନ କରା ନ ହେଲେ ବିଜେଡି ରାଜରାସ୍ତାକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛି ।
ପ୍ରକାଶଯୋଗ୍ୟ, ସାରା ରାଜ୍ୟରେ ଦ୍ବିତୀୟ ଦିନରେ ଡାକ୍ତରଙ୍କ ଧାରଣା । ସରକାରୀ ଡାକ୍ତରଖାନାରେ ରୋଗୀ ସେବା ପ୍ରଭାବିତ। ଓଡ଼ିଶା ମେଡିକାଲ ସର୍ଭିସ ଆସୋସିଏସନ-ଓମସା ତରଫରୁ ୧୦ ଦଫା ଦାବିରେ ସାରା ରାଜ୍ୟରେ ଡାକ୍ତରମାନେ ଆନ୍ଦୋଳନ ଚଳାଇଛନ୍ତି। ବଡ଼ ମେଡିକାଲ ସମେତ ସମସ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ସିଏଚସି ଓ ପିଏଚସିରେ ଡାକ୍ତରମାନେ ଧାରଣା ଦେଇଛନ୍ତି । ଫଳରେ ସରକାରୀ ମେଡିକାଲକୁ ଆସୁଥିବା ରୋଗୀମାନେ ନାନା ହଇରାଣ ହେଉଛନ୍ତି।
ଲମ୍ବା ଲାଇନ ଲଗାଉଛନ୍ତି । କିନ୍ତୁ ଚିକିତ୍ସା ସେବା ନପାଇଁ ନିରାଶ ହୋଇ ଫେରୁଛନ୍ତି । ହାତଗଣତି ଡାକ୍ତରଙ୍କୁ ନେଇ ଚିକିତ୍ସା ଚାଲିଛି । କଟକ SCB ମେଡିକାଲ କଲେଜରେ କଳାବ୍ୟାଜ୍ ପିନ୍ଧି କାର୍ଯ୍ୟ କରୁଛନ୍ତି ଜୁନିଅର ଡାକ୍ତର ଓ RDA ଡାକ୍ତର ସଂଘ। ସରକାର ଦାବି ପୂରଣ ନକଲେ ଆଗାମୀ ଦିନରେ ଦୃଢ଼ ପ୍ରତିବାଦ କରାଯିବ ବୋଲି ଚେତାବନୀ ଦିଆଯାଇଛି । କେନ୍ଦ୍ରୀୟ ହାରରେ ସମାନ ଦରମା, କ୍ୟାଡର ପୁନର୍ଗଠନ ଓ ଡାକ୍ତରଙ୍କ ସୁରକ୍ଷା ସମେତ ୧୦ ଦାବି ରଖିଛି ଓମସା ।