ବିଜେଡି ଏକ ସାମୂହିକ ଆନ୍ଦୋଳନ: ଗାନ୍ଧି ଜୟନ୍ତୀରୁ ମାସେ ବ୍ୟାପୀ ପଦଯାତ୍ରା କରିବ ଦଳ

ଭୁବନେଶ୍ବର(କେନ୍ୟୁଜ୍): ବିଜେଡି ଏକ ସାମୂହିକ ଆନ୍ଦୋଳନ । ପୂର୍ଣ୍ଣ ଜନ ଆନ୍ଦୋଳନରେ ପରିଣତ ହୋଇଛି ବିଜେଡି । ଗାନ୍ଧି ଜୟନ୍ତୀରୁ ମାସେ ବ୍ୟାପୀ ପଦଯାତ୍ରା କରିବ ଦଳ । ପ୍ରତି ୱାର୍ଡଠୁ ନେଇ ପଞ୍ଚାୟତ, ବ୍ଲକ ଓ ମ୍ୟୁନିସିପାଲିଟିସ୍ତରରେ ଏହି କାର୍ଯ୍ୟକ୍ରମ କରାଯିବ । ଯେଉଁଥିରେ ରାଜ୍ୟ ସରକାରଙ୍କ ସଫଳତା ବାବଦରେ ଲୋକଙ୍କୁ ଅବଗତ କରାଇବ ବିଜେଡି । ନଭେମ୍ବର ୨ ତାରିଖରେ ଜିଲ୍ଲାସ୍ତରୀୟ ସମାବେଶରେ ଶପଥ ମାଧମରେ ପଦଯାତ୍ରା ଶେଷ ହେବ ।

ପଦଯାତ୍ରା ପୂର୍ବରୁ ୨୯ ଓ ୩୦ ତାରିଖରେ ଦୁଇ ଦିନ ଭୁବନେଶ୍ୱରରେ ବସିବ ପ୍ରସ୍ତୁତି ବୈଠକ । ବୈଠକରେ ମତ ବିନିମୟ ହେବ । ପଦଯାତ୍ରା କିଭଳି ଗାଁରୁ ସହର ଯାଏ ବ୍ୟାପକ କରାଯିବ ସେନେଇ ନିର୍ବାଚିତ ପ୍ରତିନିଧି ଓ ନୂଆ କରି ଦଳର ଛାମୁଆ ସଙ୍ଗଠନର ପ୍ରତିନିଧି ଯୋଗ ଦେବେ । ବରମୁଣ୍ଡା ପଡିଆରେ ଆୟୋଜନ ହେବ ଏହି ସମ୍ମିଳନୀ । ୨୯ ତାରିଖରେ ଯୁବ, ଛାତ୍ର ଓ ମହିଳା ସଂଗଠନର ରାଜ୍ୟ ଓ ଜିଲ୍ଲାସ୍ତରୀୟ ପ୍ରତିନିଧି ଓ ଗଠିତ ହୋଇଥିବା କ୍ୟାମ୍ପସ୍‌ କମିଟିର ପ୍ରତିନିଧିଙ୍କୁ ନେଇ ବୈଠକ ହେବ ।

ଯେଉଁଥିରେ ଦୁଇ ହଜାରରୁ ଅଧିକ ପ୍ରତିନିଧି ଯୋଗ ଦେବେ । ୩୦ ତାରିଖରେ ବିଧାୟକ, ସାଂସଦ ଓ ଜିଲ୍ଲା ସଭାପତି, ଜିଲ୍ଲା ପରିଷଦ ସଦସ୍ୟ, ବ୍ଲକ ଚେୟାରମ୍ୟାନ୍‌, ଭାଇସ ଚେୟାରମ୍ୟାନ୍‌, ତିନି ମହାନଗର ନିଗମ ମେୟର ଓ କର୍ପୋରେଟରମାନେ ଉପସ୍ଥିତ ରହିବେ । ପଦଯାତ୍ରା ପ୍ରସ୍ତୁତି ଓ ପଦଯାତ୍ରା ସମୟରେ କେଉଁ କେଉଁ ପ୍ରସଙ୍ଗ ଲୋକଙ୍କ ନିକଟରେ ପହଞ୍ଚାଯିବ ସେନେଇ ଦୁଇ ଦିନ ଆଲୋଚନା ହେବ ।

Leave A Reply

Your email address will not be published.