ପଞ୍ଚାୟତିରାଜ ଦିବସ ପରିବର୍ତ୍ତନକୁ ନେଇ ତେଜିଲା ରାଜନୀତି, ଆସନ୍ତାକାଲି ବିଜେଡିର ରାଜ୍ୟବ୍ୟାପୀ ପ୍ରତିବାଦ

ଭୁବନେଶ୍ୱର : ମାର୍ଚ୍ଚ ୫ ପରିବର୍ତ୍ତେ ଏପ୍ରିଲ୍ ୨୪ରେ ପଞ୍ଚାୟତିରାଜ ଦିବସ ପାଳନ କରିବାକୁ ରାଜ୍ୟ ସରକାର ନେଇଥିବା ନିଷ୍ପତ୍ତିର ତୀବ୍ର ପ୍ରତିବାଦ କରିଛି ବିଜେଡି । ଏଥିପାଇଁ ଆସନ୍ତା ୬ ତାରିଖରେ ରାଜ୍ୟବ୍ୟାପୀ ପ୍ରତିବାଦ ଡାକରା ଦେଇଛି ବିଜେଡି । ବିରୋଧୀ ଦଳ ବରିଷ୍ଠ ନେତା ସଞ୍ଜୟ ଦାସବର୍ମା ସାମ୍ବାଦିକ ସମ୍ମିଳନୀ କରି ଏହି ସୂଚନା ଦେଇଛନ୍ତି । ବିଜୁ ପଟ୍ଟନାୟକଙ୍କ ଜୟନ୍ତୀରେ ସରକାରୀ କ୍ୟାଲେଣ୍ଡରରେ ଛୁଟି ଥିବାବେଳେ ଏହାକୁ ହଟାଇ ସରକାର ଅଣସାମ୍ବିଧାନୀକ କାର୍ଯ୍ୟ ବିରୋଧରେ ବିଜେଡି ପ୍ରତିବାଦ କରିବ ବୋଲି ସେ କହିଛନ୍ତି ।
ଆସନ୍ତାକାଲି ରାଜ୍ୟ ସରକାରଙ୍କ ନିଷ୍ପତ୍ତି ବିରୋଧରେ ପ୍ରତିବାଦ କରିବ ଦଳ। ରାଜ୍ୟରେ ପଞ୍ଚାୟତିରାଜ ଦିବସ ଗତ ପ୍ରାୟ ୩ ଦଶନ୍ଧି ଧରି ମାର୍ଚ୍ଚ ୫ରେ ପାଳିତ ହୋଇଆସୁଥିବାବେଳେ ରାଜ୍ୟ ସରକାର ଏହାକୁ ଏପ୍ରିଲ ୨୪ରେ ପାଳନ କରିବା ନିଷ୍ପତ୍ତି ଦୁର୍ଭାଗ୍ୟଜନକ। ଏହା ରାଜ୍ୟ ସରକାରଙ୍କ ସଂକୀର୍ଣ୍ଣ ମନୋଭାବର ପରିଚୟ। ସାରା ଓଡ଼ିଶାର ଲୋକ ଏହାକୁ ପ୍ରତିବାଦ କରିବେ ବୋଲି କହିଛି ବିଜେଡି ।
ସେପଟେ ଆଜି ରାଜ୍ୟରେ ଖୋଲା ରହିବ ସମସ୍ତ ସ୍କୁଲ। ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ପ୍ରକାଶ ପାଇଛି ବିଧିବଦ୍ଧ ବିଜ୍ଞପ୍ତି । ବିଭାଗ ପକ୍ଷରୁ ରାଜ୍ୟର ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଚିଠି କରାଯାଇଛି । ଗତ ଦୁଇ ଦଶନ୍ଧି ଧରି ମାର୍ଚ୍ଚ ୫ ତାରିଖରେ ପଞ୍ଚାୟତିରାଜ ଦିବସ ପାଳନ ହେଉଥିଲା । କିନ୍ତୁ ଚଳିତଥର ଏପ୍ରିଲ ୨୪ରେ ପଞ୍ଚାୟତିରାଜ ପାଳନ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ତେଣୁ ଆଜି ରାଜ୍ୟର ସବୁ ସରକାରୀ ଓ ବେସରକାରୀ ସ୍କୁଲ ଖୋଲାରହିବ। କେବଳ ସ୍କୁଲ ନୁହେଁ, ଆଜି ସବୁ ସରକାରୀ କାର୍ଯ୍ୟାଳୟ ମଧ୍ୟ ଖୋଲାରହିବ ।
ଆହୁରି ପଢ଼ନ୍ତୁ: ଆଜି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ: କିଏ କହେ ତାଙ୍କୁ ’ମାଟିର ବରପୁତ୍ର’ କିଏ କହେ ’ଝଡ଼ର ଇଗଲ’