ବିଜେଡ଼ିରୁ ବିଜେପି ଶିବିରକୁ ଡିଆଁ ମରିଲେ ତେଜେଶ୍ବର, ସକାଳେ ଇମେଲରେ ନବୀନଙ୍କୁ ପଠାଇଥିଲେ ଇସ୍ତଫା ପତ୍ର

ଭୁବନେଶ୍ବର(କେନ୍ୟୁଜ୍):  ଆଜି ବିଜେଡିରୁ ଇସ୍ତଫା ଦେଇଛନ୍ତି  ବିଜେଡ଼ିର ଯୁବ ନେତା ତେଜେଶ୍ବର ପରିଡା। ସେ ଆଜି ତାଙ୍କର ଇସ୍ତଫା ପତ୍ର ଇମେଲ ଯୋଗେ ଦଳର ସଭାପତି ନବୀନ ପଟ୍ଟନାୟକଙ୍କୁ ପଠାଇଛନ୍ତି। ଏ ନେଇ ନିଜେ ତେଜେଶ୍ବର ତାଙ୍କର ସାମାଜିକ ଗଣମାଧ୍ୟମରେ ଘୋଷଣା କରିଛନ୍ତି। ସେ ଲେଖିଛନ୍ତି ଯେ, ମୁଁ ଆଜି ବିଜୁ ଜନତା ଦଳରୁ ଇସ୍ତଫା ଦେଲି । ଦଳର ମାନ୍ୟବର ସଭାପତିଙ୍କୁ Email ଯୋଗେ ମୋର ଇସ୍ତଫା ପତ୍ର ପଠାଇଛି ।

ତେବେ ତେଜେଶ୍ବର ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି ଯେ, କେତେକ ବ୍ୟକ୍ତିଗତ କାରଣ ପାଇଁ ମୁଁ ଇସ୍ତଫା ଦେଉଛି। ସେ କହିଛନ୍ତି ଯେ ମୋର ସାଧାରଣ ଜୀବନରେ ଅନେକ ଚାପର ସମ୍ମୁଖୀନ ହେଉଛି। ତାହାକୁ ସମ୍ମୁଖୀନ ହେବା ପାଇଁ ମୋର ସମୟର ଆବଶ୍ୟକତା ରହିଛି। ସେଥିପାଇଁ ମୁଁ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଲି ବୋଲି ସେ କହିଛନ୍ତି।

ତେଜେଶ୍ବର ଦଳର ମୁଖପାତ୍ର ଭାବେ କାର୍ଯ୍ୟ କରୁଥିଲେ, ସେ ନିକଟରେ ଖଦୀ ଓ ଗ୍ରମୋଦ୍ୟୋଗ ବୋର୍ଡର ସଭାପତି ମଧ୍ୟ ଥିଲେ। ଏଥିସହିତ ସେ ବିଭିନ୍ନ ଜିଲ୍ଲାର ଦଳର ପର୍ଯ୍ୟବେକ୍ଷକ ଭାବେ ମଧ୍ୟ କାର୍ଯ୍ୟ କରୁଥିଲେ। ସେ ଆଜି ବିଜେପି ରାଜ୍ୟ କାର୍ଯ୍ୟାଳୟଠାରେ ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ଉପସ୍ଥିତିରେ ଆନୁଷ୍ଠାନିକ ଭାବେ ବିଜେପିରେ ଯୋଗ ଦେଇଛନ୍ତି।  କେବଳ ତେଜେଶ୍ବର ନୁହନ୍ତି ତାଙ୍କ ସାଙ୍ଗରେଆଳିର ବିଶିଷ୍ଟ ଶିକ୍ଷାବିତ, ବିଜେଡିର ତୁଙ୍ଗ ନେତା, କନିକା ଏସଏନ କଲେଜର ଅଧ୍ୟକ୍ଷ ଶ୍ରୀ ବୈକୁଣ୍ଠନାଥ ପରିଡା ମଧ୍ୟ ଆଜି ଆନୁଷ୍ଠାନିକ ଭାବେ ବିଜେପିରେ ଯୋଗଦାନ କରିଛନ୍ତି ।

କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା ନିର୍ବାଚନ ମଣ୍ଡଳୀର ଯୁବନେତା ତଥା ବିଜେଡିର ପୂର୍ବତନ ରାଜ୍ୟ ପ୍ରବକ୍ତା, ଓଡ଼ିଶା ଖଦି ଓ ଗ୍ରାମୋଦ୍ୟୋଗ ବୋର୍ଡର ପୂର୍ବତନ ସଭାପତି ଥିଲେ ତେଜେଶ୍ୱର ପରିଡା ।  ବିଜେପି ରାଜ୍ୟ ସଭାପତି  ନୂତନ ଭାବେ ବିଜେପିରେ ସାମିଲ ହୋଇଥିବା ସଦସ୍ୟମାନଙ୍କୁ ଦଳୀୟ ଉତରୀୟ ଓ ଟୋପି ପିନ୍ଧାଇ ସ୍ୱାଗତ ଜଣାଇଥିଲେ । ମୋଦି ସରକାରଙ୍କ ଉପରେ ସାଧାରଣ ଜନତାଙ୍କ ଆସ୍ଥା ବୃଦ୍ଧି ପାଇଚାଲିଛି ଏବଂ ଆଗାମୀ ଦିନରେ ଓଡିଶାରେ ମଧ୍ୟ ଏହା ନିଶ୍ଚିତ ପ୍ରତିଫଳିତ ହେବ ବୋଲି ସମୀର ମହନ୍ତି କହିଛନ୍ତି।

ଏହି ମିଶ୍ରଣ ପର୍ବରେ ବିଜେପିର ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା, ରାଜ୍ୟ ପ୍ରଭାରୀ ଡି. ପୁରନ୍ଦେଶ୍ୱରୀ, ସହପ୍ରଭାରୀ ବିଜୟପାଲ ସିଂତୋମର, ରାଜ୍ୟ ସାଧାରଣ ସମ୍ପାଦକ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ରାଜ୍ୟ ମୁଖପାତ୍ର ଡ. ଯତିନ ମହାନ୍ତି, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବିଷ୍ଣୁ ଦାସ, କିଶୋର ପଣ୍ଡା, କୃଷ୍ଣଚନ୍ଦ୍ର ପଣ୍ଡା ଓ ବ୍ରଜେଶ ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.