ଶଙ୍ଖ ଭବନ କଣ ହୋଟେଲ ବନି ଯାଇଛି ? : ପୁଣି ବିଜେପି-ବିଜେଡି ମୁହାଁମୁହିଁ

ଭୁବନେଶ୍ବର : ଶଙ୍ଖ ଭବନ ପାଲଟିଛି ହୋଟେଲ । ଏଠି ସାଧାରଣ ଲୋକେ ୮୦ ଟଙ୍କା ଦେଇ ମିଲ୍ ଖାଉଛନ୍ତି । ବଜାରରେ ସାଦା ମିଲ୍ ୫୦ ଟଙ୍କାରେ ମିଳୁଥିବା ବେଳେ ବିଜେଡି ୩୦ ଟଙ୍କା ଅଧିକ ଲାଭ ନେଇ କଣ କରୁଛି ? ତୁମ ପାଖରେ କଣ ଅଭାବ ରହିଲା ଯେ ହୋଟେଲ କରିଛ ? ଏଭଳି ଅଭିଯୋଗ ଆଣିଛି ବିଜେପି । ବିଜେପି ନେତା ଜଗନ୍ନାଥ ପ୍ରଧାନ ସାମ୍ବାଦିକ ସମ୍ମିଳନୀ କରି ଏଭଳି କହିଛନ୍ତି । ସେ ଆହୁରି କହିଛନ୍ତି କି ଶଙ୍ଖ ଭବନ ବିଜେଡିର ଅଫିସ୍ ନିମନ୍ତେ ବ୍ୟବହାର କରିବାକୁ ଅନୁମତି ମିଳିଛି । ତେବେ ଏହାକୁ ଏବେ ବ୍ୟବସାୟରେ ଲଗାଇଛି ବିଜେଡି ବୋଲି ସେ ଅଭିଯୋଗ କରିଛନ୍ତି ।
ତେବେ ଏହି ଘଟଣାକୁ ନେଇ ଆଜି ରାଜଧାନୀ ରାଜନୀତି ବେଶ୍ ତାତିଛି । ଏଭଳି ଅଭିଯୋଗର ଜବାବ ରଖିଛନ୍ତି ବିଜେଡି ବିଧାୟକ ଅରୁଣ ସାହୁ । ସେ କହିଛନ୍ତି, ବିଜେପିର କିଛି କାମ ନାହିଁ ବୋଧେ । ସରକାର ଚଳାଇବା ଛାଡ଼ି ବିଜୁ ଜନତା ଦଳ କଣ କରୁଛି ତାକୁ ଦେଖୁଛି । ଶଙ୍ଖ ଭବନରେ ଏକ କ୍ୟାଣ୍ଟିନ୍ ରହିଛି । ପ୍ରତିଦିନ ଦଳର କର୍ମୀମାନେ ବିଭିନ୍ନ ବୈଠକ ଓ ରାଜନୈତିକ କାର୍ଯ୍ୟକ୍ରମ ପାଇଁ ଆସୁଛନ୍ତି । ସେମାନଙ୍କ ଖାଇବା ପାଇଁ ଏହି କ୍ୟାଣ୍ଟିନ୍ ହୋଇଛି । ଏଠାରେ କେବଳ ସାଦା ଖାଦ୍ୟ ଦିଆଯାଏ । ହଁ କର୍ମୀଙ୍କ ସହ ସାଧାରଣ ଲୋକ ବି ଆସି ଖାଉଛନ୍ତି । ଏଥିରେ ଅସୁବିଧା କଣ ବୋଲି ପାଲଟା ପ୍ରଶ୍ନ କରିଛନ୍ତି ଅରୁଣ ସାହୁ ।
ଆହୁରି ମଧ୍ୟ ବିଜେପି ନେତାମାନେ ଆସି ସେ କ୍ୟାଣ୍ଟିନକୁ ଖାଇକି ଯାଆନ୍ତୁ ବୋଲି ସେ କହିଛନ୍ତି । ଯିଏ କ୍ୟାଣ୍ଟିନ ନେଇଛି ସିଏ ତ ନିଜେ ଚଳିବା ପାଇଁ ଖାଇବା ବାବଦ ପଇସା ନେବ ନା ନାହିଁ । ବିଜେପି ଅତି ଶସ୍ତା ରାଜନୀତି କରୁଛି ବୋଲି ଅରୁଣ ସାହୁ କହିଛନ୍ତି ।