ଉଗ୍ର ରୂପ ନେଇଛି ବିଜେପିରେ କୁହୁଳୁଥିବା ନୂଆ-ପୁରୁଣା ବିବାଦ ନିଆଁ

ଭୁବନେଶ୍ବର(କେନ୍ୟୁଜ୍) : ବଢିଲା ବିଜେପିର ଗୋଷ୍ଠୀ ବିବାଦ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ନିଜ ଜିଲ୍ଲାରେ ବିରୋଧର ସାମନା କରିବାକୁ ପଡ଼ିଛି। ପ୍ରଶ୍ନବାଣ ଠୁଙ୍କିଛନ୍ତି ବିଜେପି କର୍ମୀ । କହିଛନ୍ତି, ବିଜେପି କାହାର ପୈତୃକ ସଂପତ୍ତି ନୁହେଁ । କେବଳ ଅନୁଗୁଳ ନୁହେଁ, ପୂର୍ବରୁ କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇରେ ବି ସମାନ ସ୍ଥିତିର ସାମନା କରିଥିଲେ ଧର୍ମେନ୍ଦ୍ର। ଏପଟେ ରାଜ୍ୟ ବିଜେପି କାଯ୍ୟାର୍ଳୟ ଆଗରେ ଦୁଇ ଦିନ ହେବ ଧାରଣା ଚଳାଇଛନ୍ତି ବହିଷ୍କୃତ ୨୯ଜଣ ମଣ୍ଡଳ ସଭାପତି । ସେମାନେ ଧର୍ମେନ୍ଦ୍ରଙ୍କୁ ବିଶୃଙ୍ଖଳାର ମହାନାୟକ ଆଖ୍ୟା ଦେଇଛନ୍ତି।

ବିଜେପିରେ କୁହୁଳୁଥିବା ନୂଆ ପୁରୁଣା ବିବାଦର ନିଆଁ ଏବେ ଉଗ୍ର ରୂପ ନେଇଛି । ନିଜ ଜିଲ୍ଲା ଅନୁଗୁଳରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ମୁହଁରେ ଜବାବ ଦେଇଛନ୍ତି ସ୍ଥାନୀୟ ନେତା । ରୋକଠୋକ୍ କହିଛନ୍ତି, ବିଜେପି ପାର୍ଟି ତୁମର, କି ତୁମ ପୈତୃକ ସଂପତ୍ତି ନୁହଁ । ଅନୁଗୁଳ ଜିଲ୍ଲା ବଅଁରପାଳଠାରେ ସରସ୍ୱତୀ ଶିଶୁ ମନ୍ଦିର ଉତ୍ସବରେ ଯୋଗ ଦେଇଥିଲେ ଧର୍ମେନ୍ଦ୍ର। ଫେରିବା ବେଳେ ହେଲିପ୍ୟାଡ ନିକଟରେ ଦଳୀୟ କର୍ମୀଙ୍କୁ ପ୍ରତାପ ପ୍ରଧାନ ଆଗାମୀ ନିର୍ବାଚନରେ ବିଜେପିର ବିଧାୟକ ପ୍ରାର୍ଥୀ ବୋଲି ସୂଚନା ଦେଇଥିଲେ । କଂଗ୍ରେସରୁ ଆସି ବିଜେପି କ୍ୟାମ୍ପରେ ସାମିଲ ହୋଇଛନ୍ତି ପ୍ରତାପ ପ୍ରଧାନ। ଯାହାକୁ ନେଇ ସ୍ଥାନୀୟ ଓବିସି ମୋର୍ଚ୍ଚାର ସଭାପତି ଦିଲ୍ଲୀପ ପ୍ରଧାନ କେନ୍ଦ୍ରମନ୍ତ୍ରୀଙ୍କୁ ବିରୋଧ କରିଥିଲେ । ସେହିପରି କେନ୍ଦ୍ରମନ୍ତ୍ରୀଙ୍କର କେନ୍ଦ୍ରପଡା ଜିଲ୍ଲା ପଟାମୁଣ୍ଡାଇ ଗସ୍ତ ବେଳେ ବି ପୁରୁଣା ଓ ନୂଆ ବିଜେପି ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳିଆ ପରିସ୍ଥିତି ଉପୁଜିଥିଲା।

ନିଜ ଜିଲ୍ଲାରୁ ଆରମ୍ଭ କରି ଉପକୁଳ ପଯ୍ୟର୍ନ୍ତ, ସବୁଠି ବିରୋଧର ସାମନା କଲେଣି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ବିଜେପିରେ ପୁରୁଣା ବନାମ ନୂଆ ଗୋଷ୍ଠୀ ବିବାଦ ଦାଣ୍ଡରେ ପଡି ହାଟରେ ଗଡିଲାଣି । ଆଜି ରାଜ୍ୟ ବିଜେପି କାଯ୍ୟାର୍ଳୟ ଆଗରେ ଯାଜପୁର ଜିଲ୍ଲାର ମଣ୍ଡଳ ସଭାପତିମାନେ ଧାରଣା ଦେଇଛନ୍ତି । ଅଭିଯୋଗ ହୋଇଛି, ୨୯ଜଣ ମଣ୍ଡଳ ସଭାପତିଙ୍କୁ ଅଗଣତାନ୍ତ୍ରିକ ଭାବେ ଦଳରୁ ବିଦା କରାଯାଇଛି । ପ୍ରତିବାଦରେ ଅହୋରାତ୍ର ଧାରଣାରେ ବସିଛନ୍ତି ଯାଜପୁର ଜିଲ୍ଲାର ବିଭିନ୍ନ ଅଞ୍ଚଳର ବିଜେପି କର୍ମୀ। ସେମାନଙ୍କର ଅଭିଯୋଗ, ଅନ୍ୟ ଦଳରୁ ନେତାଙ୍କୁ ଆଣି ଦଳରେ ମିଶାଯାଉଥିବା ବେଳେ ପୁରୁଣା ବିଜେପି ନେତାଙ୍କୁ ଅଣ ଦେଖା କରାଯାଉଛି । ଏଥିପାଇଁ ସେମାନେ ସିଧାସଳଖ ଦାୟୀ କରୁଛନ୍ତି ଧର୍ମେନ୍ଦ୍ରଙ୍କୁ । ଆତ୍ମାହୁତି ପାଇଁ ଚେତେଇ ବି ଦେଇଛନ୍ତି। ବିଜେପି କହିଛି, ଘର କଥା ଘର ଭିତରେ ସମାଧାନ ହେବ ।

ରାଜ୍ୟ ବିଜେପିର ମଙ୍ଗ ଧରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ତାଙ୍କ ନେତୃତ୍ୱରେ ଦଳ ୨୦୧୯ ନିର୍ବାଚନ ଲଢିବ ବୋଲି ବରିଷ୍ଠ ନେତାମାନେ କହିସାରିଛନ୍ତି । ଏବେ ଏହି ମୁଖିଆଙ୍କୁ ସବୁଠି ବିରୋଧ । ଆଗକୁ କଣ କରିବେ? ବିରୋଧର ମୁକାବିଲା କରିବେ ନା ରଣନୀତି ବଦଳାଇବେ ?