ବିଜେପି କର୍ମୀଙ୍କୁ ହତ୍ୟା ଘଟଣା : ଜୟନାରାୟଣ କହିଲେ ଭୁଲରେ ମାରିଦେଲେ
ସମ୍ବଲପୁର : ସମ୍ବଲପୁର ହାଇୱା ଧକ୍କାରେ ଦୁଇ ବିଜେପି କର୍ମୀଙ୍କ ମୃତ୍ୟୁ ଦୁର୍ଘଟଣା ନୁହେଁ, ସୁଚିନ୍ତିତ ହତ୍ୟାକାଣ୍ଡ । ଏହା ସ୍ପଷ୍ଟ କରିଛନ୍ତି ସମ୍ବଲପୁର ଏସପି ମୁକେଶ କୁମାର ଭାମୁ । ହାଇୱା ଡ୍ରାଇଭର ଜାଣିଶୁଣି କାରକୁ ଧକ୍କା ଦେଇଥିଲେ । ଘଟଣାସ୍ଥଳରେ ଲାଗିଥିବା ସିସିଟିଭି ଫୁଟେଜରୁ ଏହା ସ୍ପଷ୍ଟ ହୋଇଛି । ଡ୍ରାଇଭରଙ୍କ ନାଁରେ ରୁଜୁ ହୋଇଛି ହତ୍ୟା ମାମଲା । ପଚରାଉଚରା ବେଳେ ଡ୍ରାଇଭର କଥା ବଦଳାଉଛନ୍ତି । ଅଧିକ ତଥ୍ୟ ପ୍ରମାଣ ସଂଗ୍ରହ ଚାଲିଥିବା ବେଳେ ତାଙ୍କର କିଛି ସହଯୋଗୀଙ୍କୁ ପଚରାଉଚରା ଚାଲିଛି । ପୂରା ଘଟଣା ଉପରୁ ପରଦା ହଟିବ ଓ ଏହି ହତ୍ୟାକାଣ୍ଡ ପଛରେ କେଉଁମାନେ ଅଛନ୍ତି ତଥା ସେମାନଙ୍କ ଉଦ୍ଦେଶ୍ୟ କ’ଣ ତାହା ସର୍ବସମ୍ମୁଖକୁ ଆସିବ ବୋଲି ଏସପି କହିଛନ୍ତି ।
ଏପଟେ ଦୁଇ ବିଜେପି ନେତାଙ୍କୁ ହତ୍ୟା ସୁପାରି କିଲିଂ । ଅନ୍ଯକୁ ମାରିବା ପାଇଁ ସୁପାରି ନେଇଥିଲା, ଭୁଲ ବଶତଃ ଏମାନଙ୍କୁ ମାରିଛି ବୋଲି କହିଛନ୍ତି ସମ୍ବଲପୁର ବିଧାୟକ ଜୟ ନାରାୟଣ ମିଶ୍ର । ସିସିଟିଭି ଫୁଟେଜରୁ ହତ୍ୟା ସ୍ପଷ୍ଟ ଭାବେ ଜଣାପଡ଼ୁଥିବା ଜୟନାରାୟଣ କହିଛନ୍ତି । ଅନ୍ଯଙ୍କୁ ମାରିବା ପାଇଁ ଡ୍ରାଇଭର ସୁପାରି ନେଇଥିଲା । କିନ୍ତୁ ଏମାନଙ୍କୁ ଗାଡ଼ି ଚଢ଼ାଇ ମାରିଛି । କାହାକୁ ମାରିବା ପାଇଁ ସୁପାରି ନେଇଥିଲା, କିଏ ସୁପାରି ଦେଇଥିଲା ପୋଲିସ ତଦନ୍ତ କରୁ । କାହାକୁ କେହି ବିନା କାରଣରେ ମାରେ ନାହିଁ । ଅନ୍ଯକୁ ମାରିବା ବଦଳରେ ଭୁଲ ବଶତଃ ଏମାନଙ୍କୁ ମାରିଥିବା ଜୟନାରାୟଣ କହିଛନ୍ତି । ରାଜନୈତିକ ଷଡଯନ୍ତ୍ର ଥିବା ଭଳି ଲାଗୁ ନଥିବା କହିଛନ୍ତି ଜୟନାରାୟଣ।
ଶନିବାର ବିଳମ୍ବିତ ରାତିରେ ସମ୍ବଲପୁର-ବରଗଡ଼ ଜାତୀୟ ରାଜପଥର କଣ୍ଟାପାଲି ଓଭରବ୍ରିଜ ନିକଟରେ ଏକ କାରକୁ ହାଇୱା ଧକ୍କା ଦେବାରୁ ୨ ବିଜେପି କର୍ମୀଙ୍କ ମୃତ୍ୟୁ ଘଟିଥିବା ବେଳେ ଡ୍ରାଇଭର ସମେତ ୪ ଜଣ ଆହତ ହୋଇଥିଲେ । ଦୁଇ ମୃତକ ହେଲେ ବିଜେପିର ଗୋଶାଳା ମଣ୍ଡଳ ସଭାପତି ଦେବେନ୍ଦ୍ର ନାୟକ ଓ ପୂର୍ବତନ ସରପଞ୍ଚ ମୁରଲୀଧର ଛୁରିଆ । ଘଟଣାସ୍ଥଳରେ ଉଭୟଙ୍କ ମୃତ୍ୟୁ ଘଟିଥିଲା ।