କାହିଁକି ଫେଲ୍‌ ମାରିଲା ମିଶନ ୧୨୦ ? କାରଣ ଖୋଜୁଛି ଦଳ

ଭୁବନେଶ୍ବର : ରାଜ୍ୟ ବିଜେପି କାର୍ଯ୍ୟାଳୟରେ ୧୯’ ନିର୍ବାଚନ ଫଳାଫଳର ସମୀକ୍ଷା । ପ୍ରଥମେ କୋର କମିଟି ଓ ପରେ ଜିଲ୍ଲା ସଭାପତି, ପ୍ରଭାରୀ, ରାଜ୍ୟ ପଦାଧିକାରଙ୍କର ବୈଠକରେ ମାନସମନ୍ଥନ । କାହିଁକି ଫେଲ୍‌ ମାରିଲା ମିଶନ ୧୨୦? ଏହାର କାରଣ ଖୋଜିଛି ଦଳ । ବୈଠକକୁ ଆସିଥିବା ପ୍ରାର୍ଥୀମାନେ ପରାଜୟ ନେଇ ନେତୃମଣ୍ଡଳୀଙ୍କ ନିକଟରେ ମତ ରଖିଛନ୍ତି । ପୂର୍ବତନ ବିଧାୟିକା ରାଧାରାଣୀ ପଣ୍ଡା କହିଛନ୍ତି ସେ ଦଳୀୟ ଅନ୍ତର୍ଘାତୀ କାର୍ଯ୍ୟ ପାଇଁ ହାରିଛନ୍ତି । ଏଥର ନିର୍ବାଚନରେ ସେ ୬୮ ହଜାର ଭୋଟ ପାଇଥିଲେ । ହେଲେ ବ୍ରଜରାଜନଗର ନିର୍ବାଚନମଣ୍ଡଳୀରୁ ଦଳର ସାଂସଦ ପ୍ରାର୍ଥୀଙ୍କୁ କିପରି ଅଧିକ ୨୨ ହଜାର ଭୋଟ ମିଳିଲା ବୋଲି କହିଛନ୍ତି ।

ଆଗକୁ ପାଟକୁରା ଓ ବିଜେପୁର ନିର୍ବାଚନ । ଏହି ଦୁଇଟି ନିର୍ବାଚନ ବିଜେପି ପାଇଁ ସମ୍ମାନର ପ୍ରଶ୍ନ । ତେଣୁ ଏଥିପାଇଁ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରିଛି ଦଳ । ସଂଗଠନକୁ ଅଧିକ ସୁଦୃଢ କରାଯିବା ଉପରେ ବୈଠକରେ ମଧ୍ୟ ଆଲୋଚନା କରାଯାଇଛି ।

୧୯’ ନିର୍ବାଚନରେ ରାଜ୍ୟରେ ବିଜେପି ୮ଟି ଲୋକସଭା ଆସନ ଓ ୨୩ଟି ବିଧାନସଭା ଆସନ ଜିତିଛି । ଗତଥର ଅପେକ୍ଷା ଦଳ ଭଲ ପ୍ରଦର୍ଶନ କରିଥିଲେ ବି ମିଶନ ୧୨୦ ଫେଲ ମାରିଛି ।

ସେପଟେ ୧୯ ନିର୍ବାଚନରେ କଂଗ୍ରେସ ଚିତ୍‌ପଟାଙ୍ଗ। କାରଣ ଖୋଜା ଚାଲିଛି ? ସମୀକ୍ଷକ କହୁଛନ୍ତି ପ୍ରମୁଖ କାରଣ ମଧ୍ୟରେ ରହିଛି, ଯୁବ କଂଗ୍ରେସ ନେତା ଓ କର୍ମୀଙ୍କୁ ଗୁରୁତ୍ୱ ଦିଆଗଲା ନାହିଁ। ମହିଳା ଓ୍ଵିଙ୍ଗ ନେତୃତ୍ୱକୁ ଅଣଦେଖା କରାଗଲା। ଫଳରେ ଦଳରେ ଫାଟ ସୃଷ୍ଟି ହୋଇ ଦଳ ଛାଡିଲେ ରାଜ୍ୟ ସଭାନେତ୍ରୀ । ଖାଲି ସେତିକ ନୁହେଁ ସେବା ଦଳର ପ୍ରମୁଖ ନେତୃତ୍ୱ ପ୍ରତି ଅଣଦେଖା ଅନ୍ୟ ଏକ ବଡ କାରଣ । ଆଉ ଏକ ପ୍ରମୁଖ କାରଣ କେନ୍ଦ୍ରୀୟ ନେତାଙ୍କ ଧିମା ପ୍ରଚାର। ବିଜେଡି ଓ ବିଜେପି ତୁଳନାରେ ପ୍ରଚାର ପୁରା ଫିକା ଥିଲା। ଫଳରେ କର୍ମୀ, ନେତା ଓ ଭୋଟରଙ୍କୁ ବାନ୍ଧି ରଖିବାରେ ବିଫଳ ହେଲା କଂଗ୍ରେସ।

କଂଗ୍ରେସ ନେତାଙ୍କ ଭରସା ରହିଛି ପୁଣି କଂଗ୍ରେସ ଆତ୍ମଚିନ୍ତନ କରି ନିଜର ସ୍ଥିତିକୁ ସୁଧାରିବ। ଦଳ ମଧ୍ୟ ତର୍ଜମା କରୁଛି, ସବ କମିଟି କରି ରିପୋର୍ଟ ପ୍ରସ୍ତୁତ କରାଯାଉଛି। ପରାଜୟ ପାଇଁ ବହୁତ କିଛି କାରଣ ରହିଥିବା କହିଛନ୍ତି କଂଗ୍ରେସ ନେତା ।

କଂଗ୍ରେସ ସ୍ଥିତିକୁ ସଜାଡିବା ପାଇଁ କେନ୍ଦ୍ରୀୟ ନେତୃତ୍ୱ ଗୁରୁତ୍ୱ ଦେଉଛନ୍ତି ସତ। ହେଲେ ପରାଜୟ ପାଇଁ ଥିବା କାରଣ ଗୁଡିକର ନିରାକରଣ କରାନଗଲେ ଅବସ୍ଥା ଅଧିକ ବିପଯ୍ୟର‌୍ୟ ଆଡ଼କୁ ଗତି କରିବା ଆଶଙ୍କା ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.