ଭୁବନେଶ୍ୱର : ଆଜି ଦିନିକିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ଭୁବନେଶ୍ୱର ବିମାନ ବନ୍ଦରରରେ ପହଞ୍ଚିବା ପରେ ରାଜ୍ୟ ବିଜେପି ପକ୍ଷରୁ ତାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯିବ । ପରେ ଜେ.ପି ନଡ୍ଡା ସେଠାରୁ ସିଧାସଳଖ ବିଜେପି କାର୍ଯ୍ୟାଳୟକୁ ଆସିବେ । ନଡ୍ଡାଙ୍କ ଫୋକସରେ ରହିବ ମୁଖ୍ୟତଃ ଦୁଇଟି ଦିଗ । ଗୋଟିଏ ସଦସ୍ୟତା ଅଭିଯାନ, ଅନ୍ୟଟି ହେଲା ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ନେଇ ଗ୍ରିନ ସିଗନାଲ । ଏବେ ରାଜ୍ୟ ମନ୍ତ୍ରିମଣ୍ଡଳରେ ୬ଟି ପଦବୀ ଖାଲି ରହିଛି । ଅନେକ ଆଶାୟୀ ଅଛନ୍ତି । ତେଣୁ ନଡ୍ଡାଙ୍କ ଗସ୍ତ ବେଳେ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ନେଇ ହୋଇପାରେ ଆଲୋଚନା ।
ନିକଟରେ ପ୍ରଧାନମନ୍ତ୍ରୀ ଓଡିଶା ଗସ୍ତରେ ଆସି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ ତାଙ୍କ ଟିମ୍ କୁ ପ୍ରଶଂସା କରିଥିଲେ । ଆଗକୁ ଦଶହରା ରହିଛି, ତେଣୁ ତା ପୂର୍ବରୁ ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣ କରିବା ନେଇ ଯୋଜନା ହେଉଥିବା କୁହାଯାଉଛି । ସେପ୍ଟେମ୍ବର ୧୬ରୁ ୩୦ ବିଜେପିର ସକ୍ରିୟ ସଦସ୍ୟତା ଅଭିଯାନ ଚାଲିବ । ନଭେମ୍ବର ୧ରୁ ନଭେମ୍ବର ୧୫ ପର୍ଯ୍ୟନ୍ତ ମଣ୍ଡଳ ସଭାପତିଙ୍କ ନିର୍ବାଚନ ହେବ । ନଭେମ୍ବର ୧୬ରୁ ନଭେମ୍ବର ୩୦ ପର୍ଯ୍ୟନ୍ତ ଜିଲ୍ଲା ସଭାପତିଙ୍କ ନିର୍ବାଚନ ଅନୁଷ୍ଠିତ ହେବ । ଡିସେମ୍ବର ୧ରୁ ରାଜ୍ୟ ସଭାପତି ନିର୍ବାଚନ ହେବ । ସରକାରକୁ ଆସିବା ପରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ନଡ୍ଡାଙ୍କର ଏହା ହେଉଛି ଦ୍ବିତୀୟ ଓଡିଶା ଗସ୍ତ । ଏହାକୁ ନେଇ ଦଳୀୟ କର୍ମୀ, ନେତା ବେଶ ଉତ୍ସାହିତ ।