ଭୁବନେଶ୍ୱର : ରାଜ୍ୟରେ ବିଭିନ୍ନ ଉତ୍ସବ ପାଳନ କରିବ ବିଜେପି । ଚଳିତ ମାସ ୯ ତାରିଖରୁ ୧୯ ଯାଏ ବିଭିନ୍ନ ଉତ୍ସବ ପାଳନ କରିବ ବିଜେପି । ଏନେଇ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ସୂଚନା ଦେଇଛନ୍ତି । ୯ ତାରିଖ ଦିନ କ୍ରାନ୍ତି ଦିବସ ପାଳନ କରାଯିବ । ଦେଶମାତୃକା ପାଇଁ ପ୍ରାଣବଳୀ ଦେଇଥିବା ସହୀଦ ବୀର ଯୋଦ୍ଧାଙ୍କୁ ସ୍ମରଣ କରାଯିବ । ସାଇକେଲ ଯାତ୍ରା, ପଦଯାତ୍ରା, ବାଇକ ରାଲି ତାଙ୍କ ଉଦ୍ଦେଶ୍ୟରେ ବାହାରିବ । ୧୧ ରୁ ୧୫ ତାରିଖ ଯାଏ ତ୍ରିରଙ୍ଗା ଯାତ୍ରା ଅନୁଷ୍ଠିତ ହେବ । ରାଜ୍ୟର ପ୍ରତ୍ୟେକ ଘରେ ଉଡିବ ତ୍ରିରଙ୍ଗା ।
ରାଜ୍ୟ ସରକାର ସମସ୍ତଙ୍କୁ ତ୍ରିରଙ୍ଗା ଯୋଗାଇ ଦେବା ପାଇଁ ବିଜେପି ପକ୍ଷରୁ ଅନୁରୋଧ କରାଯାଇଛି । ପୋଷ୍ଟ ଅଫିସରେ ମିଳିବ ତ୍ରିରଙ୍ଗା । ସେହିପରି ସାମାଜିକ ଅନୁଷ୍ଠାନ ମାନଙ୍କଦ୍ଵାରା ସଭା, ସମିତି ଆଲୋଚନାଚକ୍ର ଅନୁଷ୍ଠିତ ହେବ । ୧୪ ସନ୍ଧ୍ୟାରେ ନୀରବ ଶୋଭାଯାତ୍ରା, ସବୁ ଜିଲ୍ଲାର ଜିଲ୍ଲା ହଲରେ ବିଭାଜନ ବିଭୀଷିକା ଦିବସ ପାଳନ କରାଯିବ । ୧୫ ତାରିଖରେ ସ୍ବାଧୀନତା ଦିବସରେ ପୂଜ୍ୟପୂଜାଙ୍କୁ ସମ୍ମାନିତ ଓ ସ୍ମରଣ କରାଯିବ । ୧୬ ତାରିଖ ଅଟଳ ବିହାରୀ ବାଜପେୟୀଙ୍କ ପୁଣ୍ୟ ତିଥିକୁ ଧୁମଧାମରେ ପାଳନ କରାଯିବ । ୧୯ ତାରିଖରେ ରାକ୍ଷୀ ବନ୍ଧନରେ ଭାଇଚାରା ସୃଷ୍ଟି କରିବା ରାଜ୍ୟ ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ କାର୍ଯ୍ୟକ୍ରମ ସ୍ଥିର କରାଯାଇଛି ।