ଧାମନଗରରେ ଉଇଁଲା ସୂର୍ଯ୍ୟ…ବାଜି ମାରିନେଲେ ବିଜେପିର ସୂର୍ଯ୍ୟବଂଶୀ ସୂରଜ

ଭଦ୍ରକ(କେନ୍ୟୁଜ୍): ସରିଲା ଗଣତି। ଧାମନଗରରେ ଚମକିଲେ ସୂର୍ଯ୍ୟବଂଶୀ ସୂରଜ। ଉପନିର୍ବାଚନରେ ପୁଣି ଥରେ ଫୁଟିଲା ପଦ୍ମ । ଦିବଙ୍ଗତ ନେତା ବିଷ୍ଣୁ ସେଠୀଙ୍କ ପୁଅ ସୂର୍ଯ୍ୟବଂଶୀ ସ୍ଥିତପଜ୍ଞ ସୂରଜ ବିଜୟ ହାସଲ କରିଛନ୍ତି। ସେ ନିକଟତମ ପ୍ରତିଦ୍ଵନ୍ଦ୍ଵୀ ବିଜେଡି ପ୍ରାର୍ଥୀ ଅବନ୍ତୀ ଦାସଙ୍କୁ ୯ ହଜାର ୮୮୧ ଭୋଟରେ ପରାସ୍ତ କରିଛନ୍ତି। ସୂର୍ଯ୍ୟବଂଶୀ ସୂରଜଙ୍କୁ ୮୦ ହଜାର ୩୫୧ ଭୋଟ୍ ମିଳିଥିବା ବେଳେ ଅବନ୍ତୀଙ୍କୁ ମିଳିଛି ୭୦ ହଜାର ୪୭୦ ଭୋଟ୍। ତୃତୀୟ ସ୍ଥାନରେ ଥିବା କଂଗ୍ରେସ ପ୍ରାର୍ଥୀ ବାବା ହରେକୃଷ୍ଣ ସେଠୀଙ୍କୁ ୩ ହଜାର ୫୬୧ ଭୋଟ୍ ମିଳିଛି। ଏଠାରେ ଟର୍ଣ୍ଣିଂ ସାବ୍ୟସ୍ତ ହୋଇଛନ୍ତି ବିଜେଡିର ବିଦ୍ରୋହୀ ପ୍ରାର୍ଥୀ ରାଜେନ୍ଦ୍ର ଦାସ। ସେ ୮ ହଜାର ୧୫୩ ଭୋଟ୍ ହାତେଇଛନ୍ତି। ଯାହା ବିଜେଡି ପାଇଁ ମହଙ୍ଗା ପଡିଛି। ରିପୋର୍ଟ ଲେଖାଯିବା ବେଳକୁ ଭାରତୀୟ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଔପଚାରିକ ଭାବେ ନିର୍ବାଚନ ଫଳାଫଳ ଘୋଷଣା କରାଯାଇ ନାହିଁ।

ସୂଚନାଯୋଗ୍ୟ, ଗତ ୩ ତାରିଖ ଦିନ ଧାମନଗରରେ ଉପନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଏହାର ଗଣତି ଆଜି ସକାଳ ୮ଟାରୁ ଆରମ୍ଭ ହୋଇଥିଲା। ଭୋଟ ଗଣତିର ପ୍ରଥମ ରାଉଣ୍ଡରୁ ହିଁ ବିଜେପି ପକ୍ଷରେ ଜନାଦେଶ ଆସିଥିଲା। ଅର୍ଥାତ ଭୋଟଗଣତିର ବିଭିନ୍ନ ରାଉଣ୍ଡରେ ବିଜେପିକୁ ଅଧିକ ଭୋଟ୍‌ ମିଳୁଥିବାର ପରିଲକ୍ଷିତ ହେଉଥିଲା ଏବଂ ଶେଷ ରାଉଣ୍ଡ ପର୍ଯ୍ୟନ୍ତ ବିଜେପି ଆଗୁଆ ରହିଛି। ନିର୍ବାଚନ ଫଳାଫଳ ଘୋଷଣା ପୂର୍ବରୁ ଭଦ୍ରକରୁ ଭୁବନେଶ୍ବର ଯାଏଁ ବିଜେପିର କର୍ମୀମାନେ ଉତ୍ସାହିତ ଦେଖାଯାଇଛନ୍ତି। ନାଚ, ଗୀତ, ମିଠା ବାଣ୍ଟିବା କାମରେ ବ୍ୟସ୍ତ ରହୁଛନ୍ତି।

ଉଲ୍ଲେଖନୀୟ, ନିକଟ ଅତୀତରେ ଯେତେ ସବୁ ଉପ ନିର୍ବାଚନ ହୋଇଛି ସବୁଥିରେ ବିଜେଡି ଜିତିବାରେ ସଫଳ ହୋଇଥିଲା। ପ୍ରଥମ ଥର ଶାସକ ଦଳକୁ ପରାଜୟର ସ୍ଵାଦ ଚାଖିବାକୁ ପଡିଛି। ୨୦୧୯ ବିଧାନସଭାରେ ସୂର୍ଯ୍ୟଙ୍କ ବାପା ବିଷ୍ଣୁ ସେଠୀ ଧାମନଗର ଆସନରୁ ବିଜୟ ହାସଲ କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.