କାଳିଆ ଷଣ୍ଢ ଆରପାରିକୁ ଚାଲିଯାଇଛି ସିନା ସମସ୍ତଙ୍କ ପ୍ରିୟ ହୋଇ ରହିଥିଲା

କାଳିଆ ମରିଗଲା । ମୃତ୍ୟୁ ବେଳକୁ ତାର ବୟସ ୧୭ ବର୍ଷ ହୋଇଥିଲା । ଆଜି ସମସ୍ତଙ୍କୁ ପର କରି ସେ ଚାଲିଯାଇଛି । ସେ ଆମ ଗହଣରୁ ଚାଲି ଯାଇଛି ସିନା କିନ୍ତୁ ସମସ୍ତଙ୍କ ମନରେ ଜାଗା କରି ରହିଛି । ଆମେ କହୁଛୁ କାଳିଆ ଷଣ୍ଢର କଥା। ଦେଖିବାକୁ ଗଲେ ସେ ଗୋଟିଏ ପଶୁ କିନ୍ତୁ ତା’ର ମଣିଷଙ୍କ ସହ ବେଶ୍ ଭଲ ଭାବ ରହିଥିଲା । ସମସ୍ତେ ଷଣ୍ଢକୁ ଡରି ଥାଆନ୍ତି, ତାର ସିଂଘ ଓ ଚେହେରାକୁ ଦେଖି ଭୟ କରିଥାନ୍ତି । ହେଲେ କାଳିଆକୁ ଦେଖିଲେ କାହାରିକୁ ଡର ଲାଗେନା । କାରଣ ସେ ମଣିଷ ଭଳି ସମସ୍ତଙ୍କ ସହ ମିଶିଥାଏ ଚଲାବୁଲା କରିଥାଏ । ସବୁଦିନ ଶିବ ମନ୍ଦିର ପାଖରେ ଜଗି ରହିଥାଏ । ମନ୍ଦିରକୁ ଆସୁଥିବା ସବୁ ଭକ୍ତଙ୍କ ସହ ତା’ ଭଲ ଦୋସ୍ତି ।
କଟକ ଅପର୍ଣ୍ଣା ନଗରରେ ଦୀର୍ଘ ବର୍ଷ ଧରି ରହୁଥିଲା କାଳିଆ ଷଣ୍ଢ । ଏତେ ବର୍ଷ ଭିତରେ କାହାର ବି କ୍ଷତି କରିନଥିଲା । ବରଂ ସମସ୍ତଙ୍କ ପ୍ରିୟ ହୋଇ ରହିଥିଲା କାଳିଆ ତାର ଶାନ୍ତ ଗୁଣ ଯୋଗୁଁ । କିଛି ମାସ ତଳେ କାଳିଆ ମୂତ୍ରାଶୟରେ ଯନ୍ତ୍ରଣା ଅନୁଭବ କରିଥିଲା । ସେଥିପାଇଁ କାଳିଆ ଆଉ ରାସ୍ତାରେ ଚଲାବୁଲା କରି ପାରୁ ନଥିଲା । ଏହା ଦେଖି ସ୍ଥାନୀୟ ଲୋକେ ତାକୁ ପଶୁ ଡାକ୍ତରଙ୍କୁ ଦେଖାଇ ଥିଲେ । ଜଣାପଡ଼ିଥିଲା କି କାଳିଆର ମୂତ୍ରାଶୟରେ କ୍ୟାନ୍ସର ହୋଇଛି ବୋଲି । ତାର ଅପରେସନ୍ କରାଗଲା । ହେଲେ ବହୁ ଚିକିତ୍ସା ପରେ ମଧ୍ୟ ଭଲ ହୋଇ ପାରି ନଥିଲା କାଳିଆ । ଆଉ ନିକଟରେ କାଳିଆ ସମସ୍ତଙ୍କୁ ଛାଡି ଆରପାରିକୁ ଚାଲିଗଲା ।
ଅଞ୍ଚଳବାସୀଙ୍କ ପାଇଁ ସେ ଖାଲି ଗୋଟେ ପଶୁ ନଥିଲା ଯେମିତି ଥିଲା ସାକ୍ଷାତ ଶିବଙ୍କ ବାହନ । ତେଣୁ ତାକୁ ସମସ୍ତେ ଶ୍ରଦ୍ଧା କରୁଥିଲେ । କାଳିଆର ମୃତ୍ୟୁ ପରେ ତାର ସଂସ୍କାର କରିବା ସହିତ ମଣିଷ ପରି ତାର ଏକାଦଶାହ କର୍ମ ମଧ୍ୟ କରିଛନ୍ତି ଲୋକେ । ….ଏଇ ଦେଖୁ ନାହାନ୍ତି ଚକଟା ଯାଉଛି ଅଟା, ବଡ ବଡ ଡିସ୍ ରେ ଚାଲିଛି ରୋଷେଇ । ପ୍ରସ୍ତୁତ ବି ହୋଇ ସାରିଛି ପଲାଉ, ଖିରୀ । ବିଭିନ୍ନ ପ୍ରକାରର ସୁସ୍ୱାଦୁ ଖାଦ୍ୟର ବାସ୍ନାରେ ମହକି ଉଠୁଛି ସାରା ପରିବେଶ । ଏପଟେ ପୂଜା ପାଠ ବି ଚାଲିଛି । କାଳିଆ ଆତ୍ମାର ସଦଗତି ପାଇଁ ନାମ ସଂକୀର୍ତ୍ତନ ସାଙ୍ଗକୁ କାଳିଆକୁ ଶ୍ରଦ୍ଧାଞ୍ଜଳି ଦେଉ ଥାଆନ୍ତି ସମସ୍ତେ । ସେପଟେ ଗାଁ ଦାଣ୍ଡରେ ଭୋଜି ଖାଇବାରେ ବ୍ୟସ୍ତ ଥାଆନ୍ତି ଲୋକେ । ୨୦୦ ଷଣ୍ଢ, ଗାଈ, ୫୦୦ରୁ ଅଧିକ ଲୋକଙ୍କୁ ଖାଇବାକୁ ଦେଇଥିଲେ ଅଞ୍ଚଳବାସୀ । ଯାହା ସାଧାରଣରେ ବେଶ୍ ଚର୍ଚ୍ଚା ହେଉଛି ।
ଯେଉଁଠି ବୁଢ଼ା ବାପା ମା’ ରୋଗରେ ପଡ଼ିଲେ ପୁଅ ଝିଅ ପଚାରୁ ନାହାଁନ୍ତି ସେଠି ଗୋଟିଏ ବୁଲା ଷଣ୍ଢ ପ୍ରତି ଉଦାରତା ଦେଖାଇଛନ୍ତି ଲୋକେ । ତାକୁ ଭଲ କରିବାକୁ ଚେଷ୍ଟା କରିଛନ୍ତି । ଆଉ ତାର ଦେହାନ୍ତରେ ଶ୍ରଦ୍ଧାଞ୍ଜଳି ବି ଠିକ୍ ମଣିଷ ଭଳି ଦେଇଛନ୍ତି । ଭାଇଚାରା ସହରରେ ଏଇତ ମାନବିକତା ।
Also Read:ପ୍ରଥମେ କାହା ପାଖରେ ଥିଲା କୋହିନୂର ହୀରା? ମୋଗଲମାନଙ୍କ ସହ ଜଡିତ ଏହାର ଇତିହାସ