କାଳ ସାଜିଲା ଶୁକ୍ରବାର, ଦୁର୍ଘଟଣାରେ ଚାଲିଗଲା ୩ ଜଣଙ୍କ ଜୀବନ

କାଳ ସାଜିଲା ଶୁକ୍ରବାର । ଆଜି ସକାଳୁ ୩ଟି ସ୍ଥାନରେ ଘଟିଛି ମର୍ମନ୍ତୁଦ ଦୁର୍ଘଟଣା । ଆଉ ଏହି ଦୁର୍ଘଟଣାରେ ଚାଲିଯାଇଛି ୩ ଜଣଙ୍କ ଜୀବନ । ଏମିତି ବି ଆସେ ମୃତ୍ୟୁ । ସମସ୍ତେ କୌଣସି ନ କୌଣସି କାମ କରିବା ପାଇଁ ଘରୁ ବାହାରିଥିଲେ ହେଲେ ସେ ଆଉ ଘରକୁ କେବେ ବି ଫେରିବେନି ତାହା କେହି ବି ଜାଣିନଥିଲେ । ଏନେଇ ଚାରିଆଡେ ଖେଳିଯାଇଛି ଶୋକର ବାଦଲ । ତେବେ ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଘଟଣା ।

ଭୋର ସମୟରେ ଦୁଇ ସାଙ୍ଗ ଭୋଜିଖାଇ ଫେରିବା ସମୟରେ ଗଛରେ ଧକ୍କା ହୋଇ ଜଣେ ମୃତ ଜଣେ ଗୁରୁତର ହୋଇଛନ୍ତି । ଖମାର ସାହି ଏବଂ ବାଘୁଆ ବେରେଣୀ ଗ୍ରାମର ଦୁଇ ସାଙ୍ଗ ଦଶପଲ୍ଲା ଥାନା ମଧ୍ୟଖଣ୍ଡ ଗ୍ରାମକୁ ଏକ ବାହାଘର ଭୋଜି ଖାଇସାରି ଭୋର ସମୟରେ ନିଜ ନିଜ ଘରକୁ ବାଇକରେ ଫେରୁଥିଲେ । ରାସ୍ତାରେ ଦଶପଲ୍ଲା ଥାନା ଡ଼ମାହାଣ୍ଡି ଛକ ନିକଟରେ ଭାରସାମ୍ୟ ହରାଇ ଏକ ଗଛରେ ଧକ୍କା ହେବା ଫଳରେ ଘଟଣା ସ୍ଥଳରେ ହିଁ ଜଣକର ପ୍ରାଣ ଚାଲିଯାଇଥିଲା । ମୃତକ ଜଣକ ପ୍ରଫୁଲ୍ଲ ପ୍ରଧାନ ହୋଇଥିବା ବେଳେ ଏବଂ ଅନ୍ୟଜଣେ ଗୁରୁତର ଜଣଙ୍କ ରଞ୍ଜିତ ବେହେରା ବୋଲି ଜଣାପଡିଛି । ଗୁରୁତର ଜଣକୁ ସ୍ଥାନୀୟ ଲୋକେ ଉଦ୍ଧାର କରି ପ୍ରଥମେ ଦଶପଲ୍ଲା ପରେ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ଖବର ପାଇ ଦଶପଲ୍ଲା ପୋଲିସ ମୃତ ଦେହ ଜବତ କରିବା ସହ ଘଟଣାସ୍ଥଳକୁ ଯାଇ ତଦନ୍ତ ଆରମ୍ଭ କରିଛି ।

ସେହିଭଳି ବାଲିଗୁଡା ଥାନା ମିଡିଆପାଙ୍ଗା ବୁଲାଣିରେ ଭାରସାମ୍ୟ ହରାଇ ୨୫ ଫୁଟ ତଳକୁ ଖସିଲା ଏକ ବାଇକ । ଦୁର୍ଘଟଣାରେ ଘଟଣାସ୍ଥଳରେ ସ୍ତ୍ରୀର ମୃତ୍ୟୁ ହୋଇଥିବା ବେଳେ ସ୍ୱାମୀ ଗୁରୁତର ଆହତ ଓ ୫ ବର୍ଷର ଝିଅ ଆହତ ହୋଇଛନ୍ତି । ବାଲିଗୁଡା କୋଟାରୀ ସାହିରୁ ସ୍ୱାମୀ ସ୍ତ୍ରୀ ପାଞ୍ଚ ବର୍ଷର ଝିଅ ସହ ବାଇକରେ କୋଟଗଡ଼ ଯାଉଥିବା ସମୟରେ ମିଡିଆପାଙ୍ଗା ନିକଟରେ ଦୁର୍ଘଟଣା ଘଟିଥିଲା । ଦୁର୍ଘଟଣାରେ ସ୍ତ୍ରୀ ଶିବାନୀ ଦିଗାଲଙ୍କ ମୃତ୍ୟୁ ହୋଇଥିବା ବେଳେ ସ୍ୱାମୀ ଜାପତ ଦିଗାଲ ଗୁରୁତର ଆହତ ହୋଇଛନ୍ତି । ଗୁରୁତର ସ୍ୱାମୀ ଜାପତଙ୍କୁ ବାଲିଗୁଡା ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା । କିନ୍ତୁ ଅବସ୍ଥା ଗୁରୁତର ହେବାରୁ ଫୁଲବାଣୀ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ଏନେଇ ବାଲିଗୁଡା ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

ସେହିଭଳି ଏକ ସ୍କୁଟି ଚାଳକକୁ ଧକ୍କା ଦେଲା ଘରୋଇ ଯାତ୍ରିବାହୀ ବସ୍ । ଘଟଣା ସ୍ଥଳରେ ହିଁ ଯୁବତୀଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଯୁବକ ଗୁରୁତର ହୋଇଛନ୍ତି । ବାଲେଶ୍ବର ଜିଲ୍ଲା ଭୋଗରାଇ ଥାନା ଅନ୍ତର୍ଗତ ଥାନାଛକ ନିକଟରେ ଘଟିଛି ମର୍ମନ୍ତୁଦ ସଡକ ଦୁର୍ଘଟଣା । ସ୍କୁଟିରେ ଜଣେ ଯୁବକ ଏବଂ ଯୁବତୀ ଚନ୍ଦନେଶ୍ବର ଅଭିମୁଖେ ଯାଉଥିବା ସମୟରେ ବିପରୀତ ଦିଗରୁ ଆସୁଥିବା ଏକ ଘରୋଇ ଯାତ୍ରିବାହୀ ବସ ସ୍କୁଟିକୁ ଧକ୍କା ଦେଇ ଉପରେ ଚଢିଯାଇଥିଲା । ଘଟଣା ସ୍ଥଳରେ ଯୁବତୀଙ୍କ ମୃତ୍ୟୁ ହୋଇଥିବା ବେଳେ ଯୁବକ ଜଣକ ଗୁରୁତର ହୋଇଛନ୍ତି । ସ୍ଥାନୀୟ ଲୋକେ ଗୁରୁତର ଯୁବକଙ୍କୁ ଉଦ୍ଧାର କରି ଜଳେଶ୍ବରପୁର ଗୋଷ୍ଠୀ ସ୍ବାସ୍ଥ୍ଯକେନ୍ଦ୍ରରେ ଭର୍ତ୍ତି କରାଇଛନ୍ତି । ମୃତକଙ୍କ ପରିଚୟ ମିଳିନଥିବା ବେଳେ ଖବର ପାଇ ଘଟଣା ସ୍ଥଳରେ ଭୋଗରାଇ ଥାନା ପୋଲିସ ପହଞ୍ଚି ଅଧିକ ତଦନ୍ତ କରୁଛି ।

You might also like