ଅସୁସ୍ଥ ଝିଅ ସହ ଗୁଣିଆ କଣ ଏମିତି କଲା ଯେ ଏବେ ଖାଲି ଖାଲିରେ କଟିଯାଉଛି ଝିଅର ହାତ

ବଲାଙ୍ଗୀର : କଣ କରିଦେଲା ଗୁଣିଆ…ମୋ ଝିଅର କଣ କରିଦେଲା ଗୁଣିଆ । ଭଲ ହେବା ବଦଳରେ ଆହୁରି ଖରାପ କରିଦେଲା ସେ…ଏବେ ପରିସ୍ଥିତି ଏମିତି କରିଦେଲା ଯେ ଗୁଣିଆ ବିନା ଯେମିତି ମୋ ଝିଅ ମରିଯିବ । ହଁ ଆଜ୍ଞା, ଏ ହେଉଛି ଜଣେ ବାପାର ନିଜ ମନର କଷ୍ଟ । ନିଜ ଝିଅ ପାଇଁ ବ୍ୟାକୁଳତା । କାହିଁକିନା ବାପା ଆଉ ଦେଖିପାରୁନି ଝିଅର ଏ ଅବସ୍ଥା । ହସ୍ପିଟାଲ ବେଡରେ ଶୋଇଥିବା ଝିଅକୁ ବଲବଲ କରି ଚାହିଁ ବାପା ଭାବୁଛି ଏହିସବୁ କଥା । ଝିଅ ପଡିଛି ହସ୍ପିଟାଲ ବେଡରେ, ଝିଅ ମୁଣ୍ଡରୁ ବାହାରୁଛି ନିଡିଲ୍ । ଆଉ ଝିଅ ଆପେ ଆପେ ତା ହାତକୁ କାଟି ଦେଉଛି । ଏଇ କଥା କଣ କୋଉ ବାପା ସହିବ । ମାଆ ଛେଉଣ୍ଡ ଝିଅର ଏ ଅବସ୍ଥା ଦେଖି କୋଉ ବାପା କଣ ଦେଖିପାରିବ ଝିଅର କଷ୍ଟ ।
ବଲାଙ୍ଗୀର ଜିଲ୍ଲାରେ ଆସିଛି ଏକ ସାଂଘାତିକ ଅଭିଯୋଗ । ଯେଉଁଠି ଆଜି ବି ଚାଲିଛି ଗୁଣିଗାରେଡି ଓ ଅନ୍ଧବିଶ୍ୱାସ । ବିଜ୍ଞାନ ଯୁଗରେ ଏବେ ଭୂତ ଛଡାଇବାକୁ ଗୁଣିଗାରେଡି କରି ନାବାଳିକା ଝିଅର ମୁଣ୍ଡରୁ ଇନଜେକ୍ସନ ନିଡିଲ ଭରିବା ଓ ବାହାର କରିବା ବର୍ତ୍ତମାନ ଚର୍ଚ୍ଚା ହେଉଛି । ଏଭଳି ଚାଞ୍ଚଲ୍ୟକର ଘଟଣା ଘଟିଛି ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ ଥାନା ଅନ୍ତର୍ଗତ ଇଚଗାଁରେ । ନାବାଳିକା ଝିଅ ମୁଣ୍ଡରୁ ବାହାରୁଛି ନିଡିଲ ଓ ଆପେ ଆପେ କଟି ଯାଉଛି ହାତ । ଏନେଇ ଥାନାରେ ଅଭିଯୋଗ କଲାରୁ ଗୁଣିଗାରେଡି କରିଥିବା ଗୁଣିଆକୁ ଗିରଫ କରିଛି ପୋଲିସ ।
ସେପଟେ ଏନେଇ ଝିଅ ଅବସ୍ଥା ଗୁରୁତର ହେବାରୁ ଭୀମଭୋଇ ମେଡିକାଲରେ ଭର୍ତ୍ତି କରିଛନ୍ତି ପରିବାର ଲୋକେ । ପରେ ଝିଅର ଅବସ୍ଥା ଗୁରୁତର ହେବାରୁ ବୁର୍ଲାକୁ ସ୍ଥାନାନ୍ତର କରାଯାଇଛି । ବଲାଙ୍ଗୀରର ଇଚଗାଁର ବିଷ୍ଣୁ ପ୍ରସାଦ ବେହେରାଙ୍କ ସାନ ଝିଅ ରେସ୍ମା ବେହେରା । ଗତ ୨୦୨୨ରେ ବିଷ୍ଣୁଙ୍କ ସ୍ତ୍ରୀଙ୍କ ମୃତ୍ୟୁ ହୋଇଥିଲା । ସେବେଠୁ ଝିଅ ଭୟଭୀତ ହେଉଥିବା ସହ ବିଭିନ୍ନ ସମୟରେ ଝିଟିକି ପଡୁଥିବା ଦେଖିଥିଲେ । ଏନେଇ କଣ୍ଟାବାଞ୍ଜି ଡାକ୍ତରଖାନାରେ ଚିକିତ୍ସା କରାଇଲେ। ହେଲେ କୌଣସି ଅସୁବିଧା ନଥିବା ସହ ଝିଅ ଭଲ ଥିବା କହିଥିଲେ ଡାକ୍ତର। କିନ୍ତୁ ପରେ ପୁଣି ସେଭଳି ଅସୁବିଧା ଦେଖିବାକୁ ମିଳିଥିଲା । ଏନେଇ କଣ୍ଟାବାଞ୍ଜି ଜାମୁଟଝୁଲା ଗାଁର ଗୁଣିଆ ତେଜରାଜ ରଣାଙ୍କ ପାଖକୁ ଫୁଙ୍କାଝରା କରିବାକୁ ନେଇଥିଲେ ବାପା। ସେଠାରେ ଝିଅ ଠିକ ହୋଇଯିବ କହିଥିଲା ଗୁଣିଆ ଓ ଗାଈଗୋରୁଙ୍କୁ ଇନଜେକ୍ସନ ଦିଆଯାଉଥିବା ଏକ ନିଡିଲ ଆଣିଥିଲେ । ଝିଅଙ୍କ ବାପା ଏହା କଣ କରିବେ ବୋଲି କହିବାରୁ ମୁଣ୍ଡରେ ଥିବା ପ୍ରେତକୁ ଡରାଇବା ପାଇଁ ଏହା ବ୍ୟବହାର ହେବ ବୋଲି କହିଥିଲେ।
ଏବଂ ଏଥିପାଇଁ ଝିଅ ସହ କାହାକୁ ନଯିବାକୁ ମନା କରିଥିଲେ ଏବଂ କେବଳ ଗୁଣିଆ ଓ ତାଙ୍କ ସ୍ତ୍ରୀ ତାକୁ ନେଇଯାଇଥିଲେ ଏକ କୋଠରୀ ଭିତରକୁ । ସେହି କୋଠରୀରେ କିଛି ପୂଜା କରିଥିଲେ। ତାପରେ ଝିଅ ଭଲ ମଧ୍ୟ ହୋଇ ଘରକୁ ଫେରିଥିଲେ। କିନ୍ତୁ ପରେ କିଛି ମାସ ଗଲାପରେ ପୁଣି ସେଭଳି ଅସୁବିଧା ହେବା ସହ ଝିଅ ହାତ ଆପେ ଆପେ କଟି ରକ୍ତ ବାହାରିଲା ଏନେଇ ନିଜେ ଝିଅ କାଟୁଥିବା ଭାବି ହାତ ଗୋଡ଼ ବାନ୍ଧି ମଧ୍ୟ ରଖିଥିଲେ ବାପା। ହେଲେ ବାନ୍ଧିକି ରଖିବା ପରେ ମଧ୍ୟ ସେଭଳି ଆପେ ଆପେ କଟିକି ରକ୍ତ ବାହାରିଲା। ପରେ ମୁଣ୍ଡରୁ ବାହାରିଥିଲା ନିଡିଲ। ଭୟଭୀତ ହୋଇଥିଲେ ପରିବାର ଲୋକ ଓ ଏନେଇ ଗୁଣିଆ ପାଖକୁ ପୁଣି ଯାଇ ଅଭିଯୋଗ କରିଥିଲେ। ପୁଣି ପୂଜା କରି ଠିକ କରିଦେଇଥିଲା ଗୁଣିଆ ପରେ ପୁଣି ଏଭଳି ହେବାରୁ ଶେଷରେ ଥାନାର ଦ୍ୱାରସ୍ତ ହୋଇଥିଲେ ଝିଅର ବାପା ବିଷ୍ଣୁ ଓ ଗୁଣିଆ ବିରୁଦ୍ଧରେ ଅଭିଯୋଗ କରିଥିଲେ । ଏନେଇ କଣ୍ଟାବାଞ୍ଜି ଥାନା ପୋଲିସ ଗୁଣିଆକୁ ଗିରଫ କରି କୋର୍ଟ ଚାଲାଣ କରିଛି।