ବ୍ଲାକରେ ବିକ୍ରି ହେଉଛି ବାରବାଟୀ ଟିକେଟ ! ୧୧ଶହ ଟିକେଟକୁ ୪ହାଜରରେ ବିକ୍ରି

କଟକ : ବ୍ଲାକରେ ବିକ୍ରି ହେଲାଣି ବାରବାଟୀ ୱାନ ଡେ ଟିକଟ । ପୁଣି ପୁରୁଷ ନୁହେଁ ଦୁଇ ବୃଦ୍ଧା ମହିଳା କରୁଛନ୍ତି କଳାବଜାରୀ । ସବୁଠୁ ବଡ଼ କଥା ହେଲା ଟିକେଟ ମୂଲ୍ୟ ୧୧ ଶହ ଥିବା ବେଳେ ତାହାକୁ ୪ହାଜର ଟଙ୍କାରେ ବିକ୍ରି କରୁଛନ୍ତି । ପରିଣତ ବୟସରେ କିଛି ଟଙ୍କା ଉପାର୍ଜନ କରିବା ପାଇଁ ଏପରି ବାଟ ଆପଣାଇଛନ୍ତି ମହିଳା ମାନେ ।

ସେପଟେ ବାରବାଟୀ ମ୍ୟାଚ ପାଇଁ ବ୍ଲାକରେ ଟିକେଟ ବିକ୍ରି ପାଇଁ ଫେକବୁକ ଓ ଓଏଲଏକ୍ସରେ କେତେକ ଲୋକ ଏହାର ବିଜ୍ଞାପନ ଦେଇଛନ୍ତି । ଚଢ଼ା ଦର ବି ରଖିଛନ୍ତି । ଯାହାର ଦରକାର, ଅଧିକ ଟଙ୍କା ଦେଲେ ସେମାନେ ଟିକଟ ପାଇ ପାରିବେ ବୋଲି ମଧ୍ୟ କୁହାଯାଇଛି । ତେବେ ଏଠି ପ୍ରଶ୍ନ ଉଠୁଛି କି ଏତେ ବ୍ୟବସ୍ଥା ଥାଇ ମଧ୍ୟ କିଭଳି କଳା ବଜାରୀ ଟିକେଟ ହେଉଛି ?  କିଏ ୭୦୦ ଟଙ୍କିଆ ଟିକେଟକୁ ଦୁଇ ହଜାରରେ ବିକିଲାଣି ତ, କିଏ ୧୧ ଶହ ଟଙ୍କିଆ ଟିକେଟକୁ ଚାରି ହଜାର ଟଙ୍କାରେ ବିକ୍ରି କଲାଣି । ଏପଟେ oca କର୍ତ୍ତୃପକ୍ଷ ଓ ପୋଲିସ ପ୍ରଶାସନ ଚୁପ ରହିଛି ।

ତେବେ ଆସନ୍ତା ୯ ତାରିଖରେ ହେବାକୁ ଥିବା ମ୍ୟାଚର ଟିକଟ ପାଇଁ କାଉଣ୍ଟରରେ ଦଳାଚକଟା ସ୍ଥିତି ହୋଇଥିଲା । ଭିଡ଼ରେ ତ କେତେକ ବେହୋସ୍ ହୋଇ ଯାଇଥିଲେ। ଶହ ଶହ ଲୋକେ ଲାଇନରେ ଛିଡ଼ା ହୋଇଥିଲେ ମଧ୍ୟ ଟିକଟ ମିଳିନଥିଲା । ଏହାକୁ ନେଇ ସେଠାରେ ଉତ୍ତେଜନା ଦେଖା ଯାଇଥିଲା । କିନ୍ତୁ ଆଜି ବ୍ଲାକରେ ମିଳୁଛି ବାରବାଟୀ ଟିକଟ । ସେପଟେ ଗତକାଲିଠାରୁ କାଉଣ୍ଟରରେ ମଧ୍ୟ ଟିକଟ ବିକ୍ରି ସରିଯାଇଥିଲେ ମଧ୍ୟ କିଛି ଲୋକ ଆଜି ବି କାଉଣ୍ଟର ଆଗରେ ଟିକଟ ଆଶାରେ ଭିଡ଼ ଜମାଇଛନ୍ତି ।

 

 

ଆହୁରି ପଢନ୍ତୁ : ବାରବାଟୀ ମ୍ୟାଚ : ଆଜି ଭୁବନେଶ୍ବରରେ ପହଞ୍ଚିବେ ଦୁଇ ଟିମ, ମେ ଫେୟାରରେ ହୋଇଛି ସ୍ୱତନ୍ତ୍ର ବ୍ୟବସ୍ଥା