ପୁଣି କଳା ପଲସର ଆତଙ୍କ, ଥାନା ସମ୍ମୁଖରୁ ବାଇକ ଡିକି ଭାଙ୍ଗି ଲୁଟିନେଲେ ଲକ୍ଷାଧିକ ଟଙ୍କା

ପଟ୍ଟାମୁଣ୍ଡାଇ : ପୁଣି କଳା ପଲସର ଆତଙ୍କ । ଥାନା ସମ୍ମୁଖରୁ ବାଇକ ଡିକି ଭାଙ୍ଗି ଦୁର୍ବୃତ୍ତ ଲୁଟିନେଲେ ଲକ୍ଷେ ଟଙ୍କା । କେନ୍ଦ୍ରପଡ଼ା ପଟ୍ଟାମୁଣ୍ଡାଇ ଥାନା ସମ୍ମୁଖରୁ ଲୁଟ୍ ଅଭିଯୋଗ ହୋଇଛି । ପନ୍ତୁରି ଗାଁର କମଳାକାନ୍ତ ପ୍ରଧାନ ଧାନ ବିକି ପଇସା ବ୍ୟାଙ୍କରେ ରଖିଥିଲେ । ଧାର ସୁଝିବା ପାଇଁ ବ୍ୟାଙ୍କରୁ ଟଙ୍କା ଉଠାଇ ଗାଡ଼ି ଡିକିରେ ରଖି ପାଖ ଦୋକନକୁ ଯାଇଥିଲେ । ଏହି ସମୟରେ ଦୁଇ ଜଣ ଦୁର୍ବୃତ୍ତ କଳା ପଲସରରେ ଆସି ଥାନା ସମ୍ମୁଖରୁ ଡିକି ତାଡି ଏକ ଲକ୍ଷ ଟଙ୍କା ସହ ଚେକ ବୁକ୍ ଓ ଜରୁରୀ କାଗଜ ପତ୍ର ଲୁଟି ନେଇଛନ୍ତି । ଘଟଣାର ତଦନ୍ତ କରୁଛି ପଟ୍ଟାମୁଣ୍ଡାଇ ଥାନା ପୋଲିସ ।
ସେହିପରି ଗତକାଲି ରାଜଧାନୀ ଭୁବନେଶ୍ବରରେ ଏକ ଷ୍ଟାର ହୋଟେଲରେ ଡାକ୍ତର ଦମ୍ପତିଙ୍କ ବାହାଘର ଚାଲିଥିଲା । ଏହି ସମୟରେ ୨ ଜଣ ଧୂର୍ତ୍ତ ଯୁବକ ଅତିଥି ବେଶରେ ଆସି କଳାକନା ବୁଲାଇଥିଲେ । ଡାକ୍ତର ଦମ୍ପତିଙ୍କୁ ଉପହାରରେ ମିଳିଥିବା ନଗଦ ଅଢେଇ ଲକ୍ଷ ଟଙ୍କା ଓ ସୁନା ଗହଣା ଲୁଟ୍ କରି ନେଇ ଯାଇଥିଲେ । ସିସିଟିଭିରେ ଦୁଇ ଧୂର୍ତ୍ତଙ୍କର ଭିଜୁଆଲ କଏଦ୍ ହୋଇଥିଲା । ମାତ୍ର ୧୫ ମିନିଟ୍ ଭିତରେ ଦୁଇ ଚୋର ଘଟଣାସ୍ଥଳରୁ ଟଙ୍କା ଓ ଗହଣା ଭର୍ତ୍ତି ବ୍ୟାଗ୍ ଉଠାଇ କାରରେ ଛୁ’ ମାରିଥିବା ଦେଖିବାକୁ ମିଳିଥିଲା । ତେବେ ପୁରୀର ବଳିଆପଣ୍ଡା ଅଞ୍ଚଳରେ ଏକ ହୋଟେଲରେ ଚୋରି କରୁଥିବା ବେଳେ ଉକ୍ତ ଲୋକକୁ ସ୍ୟିକୁରିଟି ଗାର୍ଡ କାବୁ କରି ପୋଲିସ ଜିମା ଦେଇଛନ୍ତି ।
ଆହୁରି ପଢନ୍ତୁ : ଷ୍ଟାର ହୋଟେଲରେ ଡାକ୍ତର ଦମ୍ଫତିଙ୍କ ବାହାଘରରୁ ଚୋରି ଘଟଣା, ପୁରୀରୁ ଧରାପଡ଼ିଲା ଅଭିଯୁକ୍ତ