କୋଣାର୍କ ଅଞ୍ଚଳରେ ଅମଳ ହେଲାଣି ମଣିପୁରୀର ଚକ୍ହା ଓ କଳା ଧାନ, ଚାଷୀ ଖୁସି କହିଲେ ନସରେ

ବିଲରେ ଖେଳୁଛି ମଣିପୁରୀ ଚକ୍ହା ଓ କଳା ଧାନର ଲହରୀ । ଦିନେ ଯେଉଁ ଧାନ ସମୁଦ୍ର ପତନ ଠାରୁ ୭୯୦ ମିଟର ଉପରେ ପାହାଡର ଶୀର୍ଷରେ ଚାଷ ହେଉଥିଲା ଆଜି ସେହି ଧାନ ଓଡିଶାର ଉପକୂଳରେ ଅର୍ଥାତ ସମୁଦ୍ର ପତନ ଠାରୁ ୨ ମିଟର ଉଚ୍ଚରେ ମାତ୍ର କେଇ କିଲୋମିଟର ଦୂରରେ ହେଉଛି । ଓଡିଶା ଉପକୂଳର ଚାଷୀ ବର୍ଷ ବର୍ଷ ଧରି ଧାନ , ପାନ, ମୀନ ଚାଷକୁ ଏକ ପାରମ୍ପରିକ ଚାଷ ଭାବେ ଗ୍ରହଣ କରିଥିଲେ ମଧ୍ୟ ସାର ଔଷଧର ଦର ଦାମ ବୃଦ୍ଧି ସାଙ୍ଗକୁ ଅଭାବୀ ବିକ୍ରିର ବୋଝ ଚାଷୀ ମୁଣ୍ଡ ଉପରୁ ଏବେବି ଓହ୍ଲାଇ ନାହିଁ । ଚାଷୀ ଭାଇ କ୍ଷତି ସହି ସହି ଚାଲିଛି ହେଲେ ଥକି ଯାଇନି । ଯେତେ ଯାହା କଲେ ବି ଚାଷୀ ତାର ଉପଯୁକ୍ତ ପାଉଣା ପାଏନି ସତ କିନ୍ତୁ ବିଲ ପଡିଆ ରଖେନି । ସେ ଖରିଫ ହେଉ ଅବା ରବି ସବୁ ସମୟରେ ଚାଷୀ ତାର କ୍ଷେତରେ ଉପସ୍ଥିତି ଯାହିର କରେ । ଠିକ୍ ଏହିଭଳି ବ୍ୟୟ ବହୁଳ ଚାଷ ସମୟରେ ଚାଷୀ ପାଇଁ ଖୁସି ଖବର ଆଣିଛି ମଣିପୁରୀ ଚକ୍ହା ଓ କଳା ଧାନ ।
ବସନ୍ତର ସୁଲୁସୁଲିଆ ବାଆରେ ଧାନ କେଣ୍ଡା ଗୁଡାକ ନାଚି ଉଠୁଛନ୍ତି । ଯାହାକୁ ଦେଖି ଚାଷୀ ମନ ଉଲ୍ଲସିତ ହେଉଛି । ପୁରୀ ଜିଲ୍ଲା ଅନ୍ତର୍ଗତ ଗୋପ ବ୍ଲକ ଶିମିଳି ଗ୍ରାମପଞ୍ଚାୟତର ଅନସରା ଗାଁର ଅନେକ ଚାଷୀ ଏବେ ମଣିପୁରୀ ଚକ୍ହା ଓ କଳା ଧାନ ଚାଷ କରି ବେଶ ସଫଳତା ପାଇଛନ୍ତି । ଏହି ଗାଁ ସମୁଦ୍ର ଠାରୁ ମାତ୍ର କେଇ କିଲୋମିଟର ଦୂରରେ ଥିଲେ ବି ଏଠି ଚାଷୀ ମାନଙ୍କ ଉଦ୍ୟମରେ ଚକହା ଓ କଳା ଧାନ ସଫଳତାର ସହ ଚାଷ ହୋଇପାରିଛି । ଏହା ଏକ ସମୟ ଉପଯୋଗୀ ଉଦ୍ୟମ ଯାହା କୃଷକମାନଙ୍କ ଅର୍ଥନୈତିକ ସ୍ଥିତିକୁ ଉନ୍ନତ କରିବାରେ ସହାୟକ ହେବ ।
ଏହି ଚାଷ ସମ୍ପୂର୍ଣ୍ଣ ଜୈବିକ ଉପାୟରେ କରାଯାଇଥିବା ବେଳେ ଏଥିରେ ଗୋବର ଖତ, ନିମ୍ବ ତେଲ, ନିମ୍ବ ପିଡିଆ ଓ ଜୀବାମୃତ ଆଦି ବ୍ୟବହାର କରାଯାଉଥିବାରୁ ଏହା ସ୍ବାସ୍ଥ୍ୟ ପକ୍ଷେ ହିତକର । ଏହି ଉତ୍ପାଦନ ପ୍ରକ୍ରିୟା ଅତ୍ୟନ୍ତ ପରିଶୁଦ୍ଧ ଓ ପ୍ରାକୃତିକ ଭାବରେ ହୋଇଥିବାରୁ ଧାନର ଗୁଣବତ୍ତା ଓ ଅମଳ ଉପରେ କୌଣସି ପ୍ରତିକୁଳ ପ୍ରଭାବ ପଡ଼ି ନାହିଁ। ବରଂ ଅନ୍ୟ ଧାନ ତୁଳନାରେ ଏହାର ଅମଳ ଖୁବ ଭଲ ହେବ ବୋଲି ଆଶା କରାଯାଉଛି ।
ଉପକୂଳ ଜଳବାୟୁରେ ଏଭଳି ବିରଳ କଳା ଧାନ ଚାଷ ଦେଖି ଗାଁର ଅନେକ ଚାଷୀ ଆଗ୍ରହୀ ହୋଇଛନ୍ତି । ସେମାନେ ଏଭଳି ଜୈବିକ ଉପାୟରେ କଳା ଧାନ ଚାଷକୁ ଆପଣେଇଛନ୍ତି ବୋଲି କହିଛନ୍ତି।
ଚକହା ଓ କଳା ଧାନ କେବଳ ଏକ ଧାନର ପ୍ରକାର ନୁହେଁ, ବରଂ ଏହା ଗୁଣବତ୍ତାରେ ଅଦ୍ଭୁତ ଓ ଆକର୍ଷଣୀୟ । ଏହି ଧାନ ତଥା ଚାଉଳରେ ଆକର୍ଷଣୀୟ ମହକ ଥାଏ । ଚାଉଳ ଦେଖିବାକୁ କଳା, ଖୁବ ସ୍ଵାଦିଷ୍ଟ ଓ ସୁଗନ୍ଧଯୁକ୍ତ ହୋଇଥାଏ । ଏହି କଳା ଚାଉଳରେ ପ୍ରୋଟିନ୍, ଫାଇବର, ଓ ଆଣ୍ଟିଅକ୍ସିଡାଣ୍ଟ ଭରପୁର ଥାଏ , ଯାହା ଆମ ଶରୀର ପାଇଁ ଅତ୍ୟନ୍ତ ଉପକାରୀ । ଚକହା ଓ କଳା ଧାନର ଚାଉଳରେ ଥିବା ଅନେକ ପୌଷ୍ଟିକ ତତ୍ତ୍ୱ ରୋଗ ପ୍ରତିରୋଧକ ଶକ୍ତିକୁ ବଢ଼ାଏ ଓ ଶରୀରକୁ ଆରୋଗ୍ୟ ପ୍ରଦାନ କରେ ।
ଏହି ଧାନର ବ୍ୟବସାୟିକ ସଫଳତା କୃଷକମାନଙ୍କୁ ଅର୍ଥନୈତିକ ଭାବରେ ଆତ୍ମନିର୍ଭର କରିବାରେ ସହାୟକ ହେବ । ଅନସରା ଗାଁ ଚାଷୀମାନଙ୍କର ଏହି ଅଭିନବ ପ୍ରୟାସ ଖୁବ ପ୍ରଶଂସନୀୟ । ଓଡ଼ିଶାର ଅର୍ଥନୈତିକ ଉନ୍ନତିରେ ଏମାନଙ୍କର ଅବଦାନ ମନେରହିବ ଓ ଅନ୍ୟମାନଙ୍କୁ ପ୍ରୋତ୍ସାହିତ କରିବ ।
Also Read: ଧାନ ମଣ୍ଡିରେ ମନମାନି କରୁଛି ମିଲର୍, କୁଇଣ୍ଟାଲ ପିଛା ୧୦କିଲୋ ଗ୍ରାମର ହେଉଛି କଟନି ଛଟନି