ଅନୁଗୁଳ : ସାମାନ୍ୟ କଥାରୁ ଥାନା ଭିତରେ ତୁମୁଳକାଣ୍ଡ । ପାଟିତୁଣ୍ଡ ହୋ ହାଲ୍ଲାରେ ଫାଟି ପଡ଼ୁଥିଲା ଥାନା ପରିସର । କାରଣ ସାହାଯ୍ୟ ପାଇବା ଆଶାରେ ଆସି ହଟହଟା ହୋଇଛନ୍ତି ଜଣେ ଦୃଷ୍ଟି ଦିବ୍ୟାଙ୍ଗ ଯୁବତୀ । ଏଭଳି ଅଭିଯୋଗ ଅନୁଗୁଳ ଥାନା ପରିସରରୁ ଆସିଛି ।
ଅନୁଗୁଳ ଟାଉନ ଥାନା ପରିସରରେ ଥାନା କର୍ମଚାରୀଙ୍କ ସାମ୍ନାରେ ଦୃଷ୍ଟିହୀନ ଯୁବତୀଙ୍କୁ ଜଣେ କିନ୍ନର ମାଡ଼ ମାରିଥିବା ଅଭିଯୋଗ ହୋଇଛି । ଦୃଷ୍ଟିହୀନ ଯୁବତୀ ଜଣକ ହେଉଛନ୍ତି ଲଭଲି । ତାଙ୍କୁ କିନ୍ନର ଚିନ୍ମୟୀ ଦାସ ମାଡ଼ ମାରିଥିବା ସେ ଅଭିଯୋଗ କରିଛନ୍ତି ।
ତେବେ ପୂରା ଘଟଣା ହେଉଛି, ଥାନାଧିକାରୀଙ୍କୁ ଭେଟି ଡୋନେସନ ମାଗିବାକୁ ଆସିଥିଲେ ଦୃଷ୍ଟିହୀନ ଯୁବତୀ, ତାଙ୍କ ଭାଇ ଏବଂ ଅନ୍ୟ ଜଣେ । ସେହି ସମୟରେ ଥାନା ଅଧିକାରୀ ମିଟିଂରେ ବ୍ୟସ୍ତ ଥିଲେ । ସେଥିପାଇଁ ସେ ଅପେକ୍ଷା କରିବାକୁ କହିଥିଲେ । ଯୁବତୀଙ୍କ ପୂର୍ବରୁ ଥାନାଅଧିକାରୀଙ୍କୁ ଭେଟିବା ପାଇଁ ଅପେକ୍ଷା କରି ରହିଥିଲେ କିନ୍ନର ଚିନ୍ମୟୀ ଦାସ । କିନ୍ତୁ ଏହି ସମୟରେ ଦୃଷ୍ଟିହୀନ ଯୁବତୀ ଜଣକ ଥାନା ଅଧିକାରୀଙ୍କ ଅଫିସ ଭିତରକୁ ଯିବାକୁ ପ୍ରୟାସ କରିଥିଲେ । ଚିନ୍ମୟୀଙ୍କ କହିବାନୁଯାୟୀ, ସେ ତାଙ୍କୁ ଅଟକାଇ ଥିଲେ । ଏହାକୁ ନେଇ ଭଭୟଙ୍କ ଭିତରେ ଯୁକ୍ତିତର୍କ ହୋଇଥିଲା । ଯାହା ଝଗଡ଼ାର ରୂପ ନେଇଥିଲା । ଏହି ସମୟରେ ଉତ୍ତେଜିତ ହୋଇ ଚିନ୍ମୟୀ ତାଙ୍କୁ ମାଡ଼ ମାରିଥିଲେ ବୋଲି ଲଭଲି ଅଭିଯୋଗ କରିଛନ୍ତି । ଅନ୍ୟପକ୍ଷରେ ଚିନ୍ମୟୀ କହିଛନ୍ତି କି ମୋତେ ଅଭାଷା କହିବାରୁ ମୁଁ ହାତ ଉଠାଇଛି ।
ଏହି ଘଟଣାକୁ ନେଇ ଦୃଷ୍ଟିହୀନ ଯୁବତୀ ନ୍ୟାୟ ପାଇଁ ଭିନ୍ନ କ୍ଷମ କମିଶନଙ୍କୁ ଭେଟିଛନ୍ତି । ତେବେ ଯାହା ସୂଚନା ମିଳିଛି ଏହି ଘଟଣା ପରେ ଉଭୟଙ୍କ ପକ୍ଷରୁ ଥାନାରେ କୌଣସି ଏତଲା ଦିଆଯାଇ ନଥିଲା ।