ବିଇଡି ପଢିବା ପାଇଁ କିଡନୀ ବିକିବେ ଦୃଷ୍ଟିହୀନ ଛାତ୍ର, ଅର୍ଥ ସାଜିଛି ବାଧକ

ସମ୍ବଲପୁର: ଅନେକ ପିଲା ଅଛନ୍ତି ଯେଉଁମାନଙ୍କର ପାଠ ପଢ଼ିବା ପାଇଁ ବହୁତ ଇଚ୍ଛା ଥାଏ । କିନ୍ତୁ ଦଇବ ଯେତେବେଳେ ଦାଉ ସାଜେ ସେତେବେଳେ ପାଠ ପଢ଼ିବା ତ ଦୂରର କଥା ଖାଇବାକୁ ଦି ମୁଠା ଦାନା ମିଳେନି । ଜଣେ ଛାତ୍ରଙ୍କର ପାଠ ପଢ଼ିବା ପାଇଁ ବହୁତ ଆଗ୍ରହ କିନ୍ତୁ ତାଙ୍କ ପାଇଁ ଅର୍ଥ ସାଜିଛି ବାଧକ । ବିଇଡି ପଢ଼ି ଶିକ୍ଷକ ହେବାର ସ୍ୱପ୍ନ ସାକାର କରିବା ପାଇଁ ସବୁ ପ୍ରକାରର ଚେଷ୍ଟା କରୁଛନ୍ତି ସେ । ସବୁ ଚେଷ୍ଟା ପରେ ଏବେ କିଡନୀ ବିକ୍ରି କରି ପାଠ ପଢ଼ିବା ପାଇଁ ମନସ୍ତ କରିଛନ୍ତି । ଦୃଷ୍ଟି ହୀନ ହୋଇଥିଲେ ବି ହାର ମାନି ନାହାଁନ୍ତି ସେ । ଯାହା ବି ହେଉ ପାଠ ପଢ଼ି ଚାକିରି ଖଣ୍ଡେ କରିବାର ଇଚ୍ଛା ତାଙ୍କୁ ଶୁଆଇ ଦେଉନି । କିଡନୀ ବିକିବା ପାଇଁ ପୂର୍ବରୁ ୪୦ ହଜାର ଟଙ୍କା ଅଗ୍ରୀମ ଆଣିଥିଲେ କିନ୍ତୁ ପରେ ଭିକ୍ଷାବୃତ୍ତି କରି ସବୁତକ ଟଙ୍କାକୁ ଫେରାଇ ଦେଲେ । ଅନେକ ପିଲା ପାଠ ପଢ଼ିବା ପାଇଁ ଅନାଗ୍ରହ ଦେଖାଉଥିବାବେଳେ ଏ ଛାତ୍ରଙ୍କ ଇଚ୍ଛା ସମସ୍ତଙ୍କୁ ଚକିତ କରୁଛି । ଏଭଳି ଏକ ଆଶ୍ଚର୍ଯ୍ୟଜନକ ଖବର ସମ୍ବଲପୁରରୁ ସାମ୍ନାକୁ ଆସିଛି ।

କିଡନୀ ବିକିବେ ଦୃଷ୍ଟିହୀନ ଛାତ୍ର । ବିଇଡି ପଢିବା ପାଇଁ ଅର୍ଥ ସାଜୁଛି ବାଧକ । ପୂର୍ବରୁ କିଡନୀ ବିକିବା ପାଇଁ ମନସ୍ଥ କରି ଜଣେ ରୋଗୀଙ୍କ ଠାରୁ ୪୦ ହଜାର ଅର୍ଥ ଅଗ୍ରୀମ ଆଣିଥିଲେ । ହେଲେ ରୋଗୀଙ୍କ ମୃତ୍ୟୁ ପରେ ଭିକ୍ଷା ବୃତ୍ତି କରି ଫେରାଇ ଦେଇଥିଲେ ଆଣିଥବା ଟଙ୍କା । ସମ୍ବଲପୁରସ୍ଥିତ ପର୍ଶୁରାମ ମିଶ୍ର ବିଇଡି କଲେଜରେ ପଢୁଥିବା ସୋନପୁର ବୀରମହରାଜପୁର ତେଲିପାଲିର କୁଶ ଭଏନା ନିଜ କିଡନୀ ବିକିବା ପାଇଁ ଚିନ୍ତା କରୁଛନ୍ତି । କୁଶ ୨୦୧୯ରୁ ବ୍ରେନ ପାରାଲିସିସ ପାଇଁ ଦୃଷ୍ଟି ଶକ୍ତି ହରାଇଥିଲେ । ପିଲା ଦିନେ ବାପା ମା’ଙ୍କୁ ହରାଇଥିବାବେଳେ ଏବେ ସେ ଅନାଥ । ହେଲେ ବିଇଡି ପଢିବା ପାଇଁ ସମ୍ବଳ ନଥିବାରୁ ନିଜ କିଡନୀ ବିକିବା ପାଇଁ ୪୦ ହଜାର ଟଙ୍କା ଅଗ୍ରୀମ ଆଣିଥିଲେ କୁଶ । କିନ୍ତୁ କିଡନୀ ନେବାକୁ ଇଚ୍ଛୁକ ଥିବା ବ୍ୟକ୍ତିଙ୍କର ହଠାତ ମୃତ୍ୟୁ ହୋଇଥିଲା । ତେଣୁ ସେ ଭିକ୍ଷା ବୃତ୍ତି କରି ୪୦ ହଜାର ଟଙ୍କାକୁ ସୁଝି ଦେଇଛନ୍ତି । ଏବେ ଦୁନିଆରେ ଏକାକୀ ଥିବା କୁଶଙ୍କ ଚିନ୍ତା କେମିତି ନିଜର ଚିକିତ୍ସା କରିବେ ଆଉ ବିଇଡି ପଢିବାର ସ୍ୱପ୍ନକୁ ପୂରା କରିବେ ।

ଏବେ ପାଠ ପଢିବା ପାଇଁ ସମ୍ବଳ ନାହିଁ ଫଳରେ ମଝିରେ ମଝିରେ ଭିକ୍ଷା ବୃତ୍ତି କରୁଛନ୍ତି କୁଶ । ବେଳେବେଳେ ଗୀତ ଗାଇ ଟଙ୍କା ରୋଜଗାର କରୁଛନ୍ତି ସେ l ଅନ୍ୟପଟେ ପରୀକ୍ଷା ଚାଲିଥିବାବେଳେ କେହି ରାଇଟର ନଥିବାରୁ ଦୁଇଟି ପରୀକ୍ଷାରେ କେବଳ ନାମ ଓ ରୋଲ ନମ୍ବର ଲେଖି ଫେରି ଆସିଥିଲେ । ଆଗକୁ ପଢିବା ପାଇଁ ସମ୍ବଳ ଓ ପରୀକ୍ଷା ଲେଖିବା ପାଇଁ ରାଇଟରଟିଏ ଯୋଗାଇ ଦେଲେ ଶିକ୍ଷକ ହେବାର ସ୍ବପ୍ନ ପୂରଣ ହେବ ବୋଲି କୁଶ ଭଏନା କହିଛନ୍ତି । ତେବେ କେହି ଆର୍ଥିକ ସାହାଯ୍ୟ ଓ ଚିକିତ୍ସା ପାଇଁ ଅର୍ଥ ପ୍ରଦାନ କଲେ ଦୃଷ୍ଟିହୀନ କୁଶ ଅନେକ ଦୃଷ୍ଟିହୀନଙ୍କ ଶିକ୍ଷକ ହୋଇ ପାରନ୍ତେ ।

 

You might also like