ବ୍ଲକ କର୍ମଚାରୀ ଏବଂ ସରପଞ୍ଚଙ୍କ ମଧ୍ୟରେ ଉନ୍ମତ୍ତ କାଣ୍ଡ, କିଏ କାହାକୁ ମାରିଲା ପୋଲିସ୍ ତଦନ୍ତରୁ ହିଁ ସ୍ପଷ୍ଟ ହେବ
ବ୍ଲକ ପରିସରରେ ସରପଞ୍ଚ ଉନ୍ମୁତ୍ତ କାଣ୍ଡ ଘଟାଇବା ସହିତ ଟେବୁଲ ଚେୟାର, କମ୍ପୁଟର ଆଦି ଭାଙ୍ଗିବା ସହିତ କାଗଜ ପତ୍ର ଫୋପାଡ଼ି ଦେଲେ । ଏନେଇ ବ୍ଲକ ତରଫରୁ ପଟ୍ଟାମୁଣ୍ଡାଇ ଥାନାରେ ଏତଲା ଦିଆଯାଇଛି । ଅନ୍ୟପଟେ ବ୍ଲକ ଷ୍ଟାଫଙ୍କ ମାଡ଼ରେ ସରପଞ୍ଚ ଆହତ ହୋଇଛନ୍ତି । ସେ କେନ୍ଦ୍ରାପଡ଼ା ମୁଖ୍ୟ ଚିକିତ୍ସାଳୟ ସ୍ଥାନାନ୍ତର ହୋଇଛନ୍ତି ।

ପଟ୍ଟାମୁଣ୍ଡାଇ (କେନ୍ୟୁଜ) : ଚେୟାର ଟେବୁଲ କମ୍ପ୍ୟୁଟର ସବୁ ଭାଙ୍ଗି ହୋଇ ପଡିଛି । ଏସବୁ ହୋଇଛି ବ୍ଲକ କର୍ମଚାରୀ ଏବଂ ସରପଞ୍ଚଙ୍କ ମଧ୍ୟରେ ଘଟିଥିବା ଉନ୍ମତ୍ତ କାଣ୍ଡ ପାଇଁ । ସରକାରୀ କର୍ମଚାରୀଙ୍କ ଦବଙ୍ଗଗିରି । ମାଡମାରି ସରପଞ୍ଚଙ୍କୁ କଲେ ରକ୍ତାକ୍ତ । ତେବେ କଣ ପାଇଁ ଏମିତି ହେଲା କାହିଁକି ସରପଞ୍ଚ ଓ ବ୍ଲକ କର୍ମଚାରୀଙ୍କ ମଧ୍ୟରେ ଏମିତି ଘମାଘୋଟ ଲଢ଼େଇ ହେଲା ଆସନ୍ତୁ ଘଟଣା ସମ୍ପର୍କରେ ଜାଣିବା ।
ରାସନ କାର୍ଡରେ ନାମ ଯୋଡିବାକୁ ବାରମ୍ବାର ଅନୁରୋଧ କଲାପରେ ବି ଶୁଣୁନଥିଲେ ବ୍ଲକ କର୍ମଚାରୀ । ଏଥିରେ ଅତିଷ୍ଠ ହୋଇ ବ୍ଲକ ପରିସରରେ ସରପଞ୍ଚ ଉନ୍ମୁତ୍ତ କାଣ୍ଡ ଘଟାଇବା ସହିତ ଟେବୁଲ ଚେୟାର, କମ୍ପୁଟର ଆଦି ଭାଙ୍ଗିବା ସହିତ କାଗଜ ପତ୍ର ଫୋପାଡ଼ି ଦେଲେ । ଏନେଇ ବ୍ଲକ ତରଫରୁ ପଟ୍ଟାମୁଣ୍ଡାଇ ଥାନାରେ ଏତଲା ଦିଆଯାଇଛି । ଅନ୍ୟପଟେ ବ୍ଲକ ଷ୍ଟାଫଙ୍କ ମାଡ଼ରେ ସରପଞ୍ଚ ଆହତ ହୋଇଛନ୍ତି । ସେ କେନ୍ଦ୍ରାପଡ଼ା ମୁଖ୍ୟ ଚିକିତ୍ସାଳୟ ସ୍ଥାନାନ୍ତର ହୋଇଛନ୍ତି ।
ଅଭିଯୋଗ କରିବାକୁ ଆସି ଲହୁଲୁହାଣ ହୋଇଛନ୍ତି ସରପଞ୍ଚ । ସରପଞ୍ଚଙ୍କ ଅଭିଯୋଗ ଅନୁଯାୟୀ ସେ ରାସନ କାର୍ଡ ସମ୍ବନ୍ଧୀୟ ତଥ୍ୟ ପାଇଁ ଅଫିସ ଯାଇଥିବା ବେଳେ ବ୍ଲକ କର୍ମଚାରୀ ମାଡ଼ ମାରିଛନ୍ତି । କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ନୀଳକଣ୍ଠପୁରର ସରପଞ୍ଚଙ୍କ କହିବା ଅନୁଯାୟୀ ସେ ନିଜ ପଂଚାୟତ ରାସନ ହିତାଧିକାରୀଙ୍କ ନାମ ଯୋଡିବାକୁ ଓ ଗରିବ ଲୋକଙ୍କୁ ରାସନ କାର୍ଡ ଯୋଗାଇ ଦେବାକୁ ବାରମ୍ବାର ଅନୁରୋଧ କଲେ । ତଥାପି ବିଭିନ୍ନ ଆଳ ଦେଖାଇ କରାଇ ଦେଉନଥିଲେ ଅଧିକାରୀ ।
ଆଜି ରାସନ କାର୍ଡ ଯୋଡିବାକୁ ବାଧ୍ୟ କରିବାରୁ ବିରକ୍ତ ହୋଇ ଅଧିକାରୀ ସିଧା ମନା କରିଦେଲେ । ଲୋକଙ୍କ କାମ କାହିଁକି କରିବ ନାହିଁ କହିବାରୁ ଉଭୟଙ୍କ ମଧ୍ୟରେ କଥା ବଢିଥିଲା ଓ ଠେଲା ପେଲା ମଧ୍ୟ ହୋଇଥିଲା l ଏଥିରେ ଉତ୍ତ୍ୟକ୍ତ ହୋଇ ବ୍ଲକ କର୍ମଚାରୀମାନେ ସରପଞ୍ଚଙ୍କୁ ଆକ୍ରମଣ କରିଥିଲେ ବୋଲି ସରପଞ୍ଚ ଅଭିଯୋଗ କରିଛନ୍ତି ।
କିନ୍ତୁ ଏ ବିଷୟରେ ବିଡ଼ିଓଙ୍କୁ ପଚାରିବାରୁ ସେ ଗଣମାଧ୍ୟମ ସାମ୍ନାରେ କିଛି ପ୍ରତିକ୍ରିୟା ରଖିଲେନି । ହେଲେ ପଟ୍ଟାମୁଣ୍ଡାଇ ଥାନାରେ ସରପଞ୍ଚଙ୍କ ବିରୋଧରେ ଲିଖିତ ଅଭିଯୋଗ କରିଛନ୍ତି । ତେବେ ଅନ୍ୟପଟେ ବାରମ୍ବାର ସାଧାରଣ ଲୋକଙ୍କୁ ବିଡ଼ିଓ ହଇରାଣ କରୁଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ବାସିନ୍ଦା । ସେଥିପାଇଁ ତୁରନ୍ତ ଜିଲ୍ଲାପାଳଙ୍କ ହସ୍ତକ୍ଷେପ ଦାବିକରିଛନ୍ତି ସ୍ଥାନୀୟ ବାସନ୍ଦା ।
ଘଟଣା ପଛର ସତ କଣ ତାହା ତ ପୋଲିସ୍ ତଦନ୍ତ ହିଁ ସ୍ପଷ୍ଟ କରି ପାରିବ । ତେବେ ଜନପ୍ରତିନିଧି ଏବଂ ସରକାରୀ ଅଧିକାରୀଙ୍କ ଭିତରେ ଏଭଳି ବିବାଦ ଅତ୍ୟନ୍ତ ହାସ୍ୟାସ୍ପଦ । କାରଣ ଉଭୟ ହେଉଛନ୍ତି ସରକାରଙ୍କ ପ୍ରତିନିଧି । ସରକାରୀ ଯୋଜନା କାର୍ଯ୍ୟକାରୀ କରିବା ସେହିମାନଙ୍କ ଦାୟିତ୍ୱ । ସେମାନଙ୍କ ମଧ୍ୟରେ ସମନ୍ଵୟର ଅଭାବ ଏଭଳି ପରିସ୍ଥିତି ସୃଷ୍ଟି କରୁଛି ।