୧୧ଟି ପ୍ରସ୍ତାବ ଉପରେ ବାଜିଲା କ୍ୟାବିନେଟ ମୋହର, ୩୧୪ ବ୍ଲକରେ ବ୍ଲକସ୍ତରୀୟ ଷ୍ଟାଡିୟମ ନିର୍ମାଣ କରାଯିବ

ଭୁବନେଶ୍ବର : ୧୧ଟି ପ୍ରସ୍ତାବ ଉପରେ ବାଜିଲା କ୍ୟାବିନେଟ ମୋହର । ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ୧୧ଟି ପ୍ରସ୍ତାବ ଉପରେ ମୋହର ବାଜିଛି । ରାଜ୍ୟରେ ଲାଗୁ ହେବ ଅନ୍ତୋଦୟ ଗୃହ ଯୋଜନା ।  ଦୁର୍ବଳ ଶ୍ରେଣୀର ଲୋକଙ୍କ ପାଇଁ ସରକାର ଆରମ୍ଭ କରିବେ ଅନ୍ତୋଦୟ ଗୃହ ଯୋଜନା ।  ୩ ବର୍ଷରେ ୨ ଲକ୍ଷ ୨୫ ହଜାର ଘର ଯୋଗାଇ ଦେବେ ରାଜ୍ୟ ସରକାର ।

ହିତାଧିକାରୀଙ୍କୁ ଘର ପାଇଁ ମିଳିବ ୧ ଲକ୍ଷ ୨୦ ହଜାର ଟଙ୍କା । ପ୍ରାକୃତିକ ବିପର୍ଯ୍ୟୟ ପ୍ରଭାବିତ ଏବଂ ବିସ୍ଥାପିତ ଲୋକଙ୍କୁ ଏଥିରେ ସାମିଲ କରାଯିବ । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରୁ ବାଦ ପଡୁଥିବା ଲୋକଙ୍କୁ ବି ସାମିଲ କରାଯିବ ।  ଏହା ସହ ରାଜ୍ୟରେ ଏକୀକୃତ ପେନସନ ଯୋଜନା- UPS ଲାଗୁ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ରାଜ୍ୟ ସରକାରଙ୍କ ଯେଉଁ କର୍ମଚାରୀମାନେ ଏନପିଏସରେ ସାମିଲ ହୋଇଛନ୍ତି ସେମାନେ ବର୍ତ୍ତମାନ ଏହି ବ୍ୟବସ୍ଥାରେ ପେନସନ ପାଇବେ ।

ସେହିପରି ରାଜ୍ୟରେ ଆଗାମୀ ୫ ବର୍ଷରେ ୪୧୨୪ କୋଟି ଟଙ୍କା ବ୍ୟୟରେ ଷ୍ଟାଡିୟମ ନିର୍ମାଣ କରିବାକୁ କ୍ୟାବିନେଟରେ ନିଷ୍ପତ୍ତି ହୋଇଛି । ରାଜ୍ୟର କ୍ରୀଡ଼ା ଭିତ୍ତିଭୂମି ପାଇଁ ୩୧୪ ବ୍ଲକରେ ବ୍ଲକସ୍ତରୀୟ ଷ୍ଟାଡିୟମ ନିର୍ମାଣ କରାଯିବ । ରାଜ୍ୟରେ ଡ୍ୟାମ ଗୁଡିକର ପୁନର୍ବାସ ଏବଂ ଉନ୍ନତିକରଣ ପାଇଁ ୧୦୬୬ କୋଟି ଖର୍ଚ୍ଚ ହେବ ।  ହୀରାକୁଦ ଡ୍ୟାମ ମରାମତି ଏବଂ ଉନ୍ନତିକରଣ ପାଇଁ ୩ଟି ପ୍ରକଳ୍ପ କାର୍ଯ୍ୟ ହେବ ବୋଲି କ୍ୟାବିନେଟ ମଞ୍ଜୁରୀ ମିଳିଛି ।