ବିଏମସିର ଗ୍ରୀଷ୍ମ ପ୍ରବାହ ମୁକାବିଲା : ଦିନ ୧୧ ଟାରୁ ଅପରାହ୍ନ ୩ ଟା ପର୍ଯ୍ୟନ୍ତ ନିର୍ମାଣ କାମ ବନ୍ଦ

ଭୁବନେଶ୍ୱର:  ଆସନ୍ତା ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ମହାନଗର ନିଗମ(ବିଏମ୍ ସି) ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଆଜି ମୁଖ୍ୟାଳୟସ୍ଥିତ ଏକାମ୍ର ହଲରେ ଅନୁଷ୍ଠିତ ହୋଇଯାଇଛି । ବିଏମସି କମିଶନର ରାଜେଶ ପ୍ରଭାକର ପାଟିଲଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଥିଲା । ସହରର ବିଭିନ୍ନ ସ୍ଥାନରେ ପାନୀୟ ଜଳ ସେବା କେନ୍ଦ୍ର ଖୋଲାଯିବ । ଏହା ସହ ବୁଲା ଗାଈଗୋରୁ, କୁକୁର ତଥା ପଶୁପକ୍ଷୀଙ୍କ ପାଇଁ ମଧ୍ୟ ପାଣି ବ୍ୟବସ୍ଥା କରାଯିବ । ସମସ୍ତ ଡାକ୍ତରଖାନାରେ ସନଷ୍ଟ୍ରୋକରେ ଆକ୍ରାନ୍ତଙ୍କ ପାଇଁ ଶୀତତାପ ନିୟନ୍ତ୍ରିତ ସ୍ୱତନ୍ତ୍ର ରୁମ୍ ଓ ବେଡ୍, ଆବଶ୍ୟକ ମେଡିସିନ, ଓଆରଏସ୍ ଆଦି ମହଜୁଦ୍ ରଖିବା ପାଇଁ ସହରାଞ୍ଚଳ ଜନ ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।  ସେହିପରି ପ୍ରତ୍ୟେକ ଅଙ୍ଗନଓ୍ୱାଡି କେନ୍ଦ୍ରରେ ପାନୀୟ ଜଳ ବ୍ୟବସ୍ଥା କରିବାକୁ କୁହାଯାଇଛି । ପୂର୍ବାହ୍ନ ୧୧ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ କାମ ବନ୍ଦ କରିବା ପାଇଁ ଜିଲ୍ଲା ଶ୍ରମ ଅଧିକାରୀ ବ୍ୟବସ୍ଥା କରିବେ ।  ସେହିପରି ବିଏମ୍ ସି ସିଟି ଇଂଜିନିୟର ଏବଂ ସମସ୍ତ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଏହି ସମୟ ମଧ୍ୟରେ କାର୍ଯ୍ୟ ବନ୍ଦ ରଖିବେ ।

ଗ୍ରୀଷ୍ମ ପ୍ରବାହରୁ ରକ୍ଷା ପାଇବା ପାଇଁ ପ୍ରମୁଖ କାର୍ଯ୍ୟ ହେଉଛି ଜନ ସଚେତନତା ସୃଷ୍ଟି କରିବା । ସନ୍ ଷ୍ଟ୍ରୋକ୍ ଆକ୍ରାନ୍ତ ଓ ମୃତ୍ୟୁ ମୁଖରୁ ରକ୍ଷା ପାଇବା ପାଇଁ ଜନ ସଚେତନତା ସୃଷ୍ଟି କରିବାକୁ ବିଭିନ୍ନ ଗଣମାଧ୍ୟମ, ସାମାଜିକ ଗଣମାଧ୍ୟମ, ପ୍ରଚାର ପ୍ରସାର, ପୋଷ୍ଟର, ବ୍ୟାନର ଆଦିର ସହାୟତା ନିଆଯିବାକୁ କୁହାଯାଇଛି ।  ଗ୍ରୀଷ୍ଣ ପ୍ରବାହକୁ ଦୃଷ୍ଟିରେ ରଖି ବିଏମ୍ ସି ମୁଖ୍ୟାଳୟସ୍ଥିତ ଦ୍ୱିତୀୟ ମହଲାରେ ସ୍ୱତନ୍ତ୍ର ନିୟନ୍ତ୍ରଣ କକ୍ଷ ଖୋଲାଯିବ । ଏଥିପାଇଁ ସ୍ୱତନ୍ତ୍ର ଭାବେ 1929 ଫୋନ୍ ନମ୍ବର ଜାରି କରାଯାଇଛି । ବ୍ଲକ ଶିକ୍ଷା ଅଧିକାରୀ ବିଦ୍ୟାଳୟର ଶିକ୍ଷାଦାନ ସମୟ ପରିବର୍ତ୍ତନ କରିବା ସହ ଛାତ୍ରଛାତ୍ରୀମାନେ ଯେପରି ଜୋତା ପିନ୍ଧି ସାଙ୍ଗରେ ପାଣି ବୋତଲ, ଛତା ଆଦି ଆଣିବେ, ସେଥିପାଇଁ ସଚେତନ କରାଇବାକୁ କୁହାଯାଇଛି ।

 

 

ଆହୁରି ପଢନ୍ତୁ :  ସୀମାରେ ଅନୁପ୍ରବେଶ ନେଇ ପଶ୍ଚିମବଙ୍ଗ ସରକାରଙ୍କୁ କଡା ଚେତାବନୀ ଦେଲେ ରାଜସ୍ବ ମନ୍ତ୍ରୀ, ଆବଶ୍ୟକ ପଡିଲେ ପଶ୍ଚିମବଙ୍ଗକୁ…