ଧୂଳି ସଫା କରୁଥିବାବେଳେ ଜଳିଗଲା BMCର କ୍ଲିନିଂ ଗାଡ଼ି, ନିଆଁକୁ ଆୟତ୍ତ କଲେ ଅଗ୍ନିଶମ ବାହିନୀ

ଭୁବନେଶ୍ବର: ଜଳିଗଲା BMCର କ୍ଲିନିଂ ଗାଡ଼ି । ଭୁବନେଶ୍ବର ଚନ୍ଦ୍ରଶେଖରପୁର ଡମଣା ରାସ୍ତା ଉପରେ ଜଳିଗଲା ଗାଡ଼ି । ଧୂଳି ସଫା କରୁଥିବାବେଳେ ହଠାତ୍ ରାସ୍ତା ଉପରେ ଜଳିଯାଇଥିଲା ଗାଡ଼ି । ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା । ଗାଡ଼ିରେ ନିଆଁ ଲାଗିବା ଫଳରେ ଦୀର୍ଘ ସମୟ ଧରି ଯାତାୟାତ ଠପ୍ ହୋଇଯାଇଥିଲା । ତେବେ ନିଆଁ କେମିତି ଲାଗିଲା କାରଣ ଅସ୍ପଷ୍ଟ ରହିଛି।

ସୂଚନା ଅନୁଯାୟୀ ଆଜି ସକାଳ ସମୟରେ ଭୁବନେଶ୍ୱର ଡମଣା ଛକରେ ଏକ ବିଏମ୍‌ସି ସଫେଇ ଗାଡି ରାସ୍ତା ସଫା କରୁଥିଲା । ଏହି ସମୟରେ ସଫେଇ ଗାଡିରେ ହଠାତ୍‌ ନିଆଁ ଲାଗିଯାଇଥିଲା । ଯାହାଫଳରେ ଗାଡିଟି ହୁତୁହୁତୁ ହୋଇ ଜଳିଥିଲା ।  ଗାଡିଟି ପୁରା ପୋଡି ପାଉଁଶ ହୋଇଯାଇଛି ।  ଏପିରିକି ୧୫ ଫୁଟ ଉପରକୁ ଉଠିଥିଲା କଳାଧୂଆଁ । ମୋବିଲ ଲିକ୍‌ ଯୋଗୁ ଅଗ୍ନିକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି ।

ସେପଟେ ଗାଡିରେ ନିଆଁ ଲାଗିଥିବା ଖବର ପାଇ ଦୁଇଟି ଦମକଳ ଗାଡ଼ି ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ ଜାରି ରଖିଥିଲେ ।  ସଫେଇ ଗାଡ଼ିକୁ ଫୋମ ସାହାଯ୍ୟରେ ନିଆଁ ଲିଭାଇବାକୁ ଉଦ୍ୟମ କରିଥିଲେ ଅଗ୍ନିଶମ କର୍ମଚାରୀ ।  ଅଗ୍ନିକାଣ୍ଡ ପରେ ଡମଣା ରାସ୍ତାରେ ଟ୍ରାଫିକ୍ ଜାମ୍ ହୋଇଥିଲା ।  ଫଳରେ ଗୋଟିଏ ପାର୍ଶ୍ବରେ ଯାନବାହନ ଯାତାୟାତ କରୁଥିବା ସୂଚନା ମିଳିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରିଛନ୍ତି ।

 

Also Read: ରାସ୍ତା ମଝିରେ ଜଳିଗଲା ବସ୍, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

You might also like