ମହାକାଳପଡ଼ା ଜମ୍ବୁରେ ଡଙ୍ଗା ବୁଡ଼ି ଘଟଣା : ୯ ଜଣଙ୍କ ମୃତ ଦେହ ଉଦ୍ଧାର, ଜଣେ ନିଖୋଜ
ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ମହାକାଳପଡ଼ା ଜମ୍ବୁ ନିକଟ ମହାନଦୀ ମୁହାଣରେ ଡଙ୍ଗା ବୁଡ଼ି ଘଟଣାରେ ୯ ଜଣଙ୍କ ମୃତ ଦେହ ଉଦ୍ଧାର କରାଯାଇଛି । ମୃତକଙ୍କ ମଧ୍ୟରେ ୨ ଜଣ ମହିଳା ଥିବା ବେଳେ ୭ ଜଣ ଶିଶୁ ଅଛନ୍ତି । ଅନ୍ୟ ଜଣେ ୬ ବର୍ଷର ଶିଶୁ ଏବେ ବି ନିଖୋଜ ଅଛନ୍ତି । ମୃତକମାନେ ହେଲେ ପ୍ରଭାତୀ ସ୍ୱାଇଁ, ଅନୁ ତରାଇ, ଆୟୁଷ ତରାଇ, ଦେବାଶିଷ ସାହୁ, ରୋଜି ସାହୁ, ଧୁନା ସାହୁ, ଇଶାନୀ ଦଳାଇ, ପିନୁ ସ୍ୱାଇଁ ଓ ଖୁସି ପାଣୀ । ବୋଟ୍ ଡ୍ରାଇଭର ନିର୍ଭୟ ସ୍ୱାଇଁଙ୍କୁ ପୋଲିସ ଅଟକ ରଖି ପଚରାଉଚରା କରୁଛି ।
ପାରାଦୀପ ମଙ୍ଗରାଜପୁର ପଞ୍ଚାୟତ ହସିଣା ଗାଁର ୫୫ ଜଣ ଯାତ୍ରୀ ଏକ ମୋଟର ଚାଳିତ ଡଙ୍ଗାରେ ବଡ଼ ଭୋଜି କରିବାକୁ ଯାଇଥିଲେ । ହୁକିଟୋଲା ଦୀପରୁ ସମୁଦ୍ର ବାଟ ଦେଇ ଫେରୁଥିଲେ । ଗନ୍ତବ୍ୟସ୍ଥଳକୁ ପହଞ୍ଚିବାକୁ ଆଉ ମାତ୍ର ୫ କିଲୋମିଟର ଥିବା ବେଳେ ନିପାଣିଆ ନଈରେ ଭାରସାମ୍ୟ ହରାଇ ଡଙ୍ଗାଟି ଓଲଟି ପଡ଼ିଥିଲା । କ୍ଷମତାଠାରୁ ଅଧିକ ଯାତ୍ରୀ ଥିବାରୁ ଅଘଟଣ ଘଟିଥିବା କୁହାଯାଉଛି । ଡଙ୍ଗାର କ୍ଷମତା ୧୫ ଥିବା ବେଳେ ୫୫ ଜଣ ଯାତ୍ରୀ ଯାଉଥିଲେ । ପିକ୍ନିକ୍ ଯିବା ବେଳେ ଏମାନେ ଦୁଇଟି ଡଙ୍ଗାରେ ଯାଇଥିଲେ । ହେଲେ ଫେରିବା ବେଳେ ଗୋଟିଏ ଡଙ୍ଗାରେ ସମସ୍ତେ ଫେରିଥିଲେ ।
ଜଣଙ୍କୁ ଶୌଚ ଲାଗିବାରୁ ତୁଠରେ ଡଙ୍ଗାରେ ଅଟକିଥିଲା । ଡଙ୍ଗାରୁ କିଛି ଲୋକ ଓହ୍ଲାଇଥିଲେ । ହେଲେ ଚଢିବା ବେଳେ ଗୋଟିଏ ସାଇଡ୍ରେ ଚଢିଥିବାରୁ, ଡଙ୍ଗାଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା । ଖବର ଜଣାପଡ଼ିବା ପରେ ସ୍ଥାନୀୟ ଲୋକେ ୪୫ ଜଣ ମହିଳା ଓ ପୁରୁଷଙ୍କୁ ଉଦ୍ଧାର କରିଥିଲେ । ଉଦ୍ଧାର କାର୍ୟ୍ୟରେ ଜମ୍ବୁ ମେରାଇନ ପୋଲିସ, ମହାକାଳପଡ଼ା ଅଗ୍ନିଶମ ବିଭାଗ ଓ ବନ ବିଭାଗର କର୍ମଚାରୀ ନିୟୋଜିତ ହୋଇଥିଲେ । ଉଦ୍ଧାର ଯାତ୍ରୀଙ୍କୁ ଚିକିତ୍ସା ପାଇଁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ରାତି ସାରା ଚାଲିଥିଲା ଉଦ୍ଧାରକାର୍ୟ୍ୟ । ବିଳମ୍ବିତ ରାତିରେ କେନ୍ଦ୍ରାପଡ଼ା ଜିଲ୍ଲାପାଳ, ତହସିଲଦାର, ସ୍ଥାନୀୟ ବିଧାୟକ ଅତନୁ ସବ୍ୟସାଚୀ ନାୟକ ଘଟଣାସ୍ଥଳରେ ପହଞ୍ଚିଥିଲେ । ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି ।
CM @Naveen_Odisha announced ex gratia of ₹ 4 lakhs to the next of kin of the deceased and free treatment to the injured in the boat tragedy at Hukitola.
— CMO Odisha (@CMO_Odisha) January 2, 2019
ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୃତକଙ୍କ ପରିବାରକୁ ୪ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି। ଏହାସହ ଆହତଙ୍କୁ ମାଗଣାରେ ଚିକିତ୍ସା ସେବା ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ସ୍ୱତନ୍ତ୍ର ରିଲିଫ କମିଶନ, କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନ ଏବଂ ଅଗ୍ନିଶମ ବାହିନୀକୁ ଉଦ୍ଧାର କାର୍ୟ୍ୟ ତ୍ୱରାନ୍ଵିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଟ୍ଵିଟ୍ କରି ମୁଖ୍ୟମନ୍ତ୍ରୀ ଏହି ସୂଚନା ଦେଇଛନ୍ତି ।