କେନ୍ୟୁଜ୍(ବ୍ୟୁରୋ): ଆସନ୍ତାକାଲି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା। ମହାଧାର୍ମିକ କାର୍ତ୍ତିକ ମାସର ଶେଷ ଦିନ। ପୁରୀ ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ମହାପ୍ରଭୁଙ୍କ ରାଜରାଜେଶ୍ୱର ବା ସୁନାବେଶ। କାର୍ତ୍ତିକ ପୂର୍ଣ୍ଣିମାରେ ଶ୍ରୀକ୍ଷେତ୍ରର ମହୋଦଧି ସମେତ ପଞ୍ଚତୀର୍ଥ ପୁଷ୍କରିଣୀରେ ଡଙ୍ଗା ଭସାଇବା ଓ ବୁଡ଼ ପକାଇବା ପାଇଁ ଲକ୍ଷାଧିକ ଭକ୍ତ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥାଏ। କିନ୍ତୁ ଚଳିତ ବର୍ଷ କାର୍ତ୍ତିକ ପୂର୍ଣ୍ଣିମା ବି ଫିକା ପଡିବ। କରୋନା ସଂକ୍ରମଣ ପାଇଁ ରାଜ୍ୟ ସରକାରଙ୍କ କୋଭିଡ ଗାଇଡଲାଇନରେ ଶ୍ରୀକ୍ଷେତ୍ରର ମହୋଦଧି ସମେତ ପଞ୍ଚତୀର୍ଥ ପୁଷ୍କରିଣୀରେ ଡଙ୍ଗା ଭସାଇବା ଉପରେ କଟକଣା ଲଗାଯାଇଛି। ଆଜି ବୈକୁଣ୍ଠ ଚତୁର୍ଦଶୀ ଅବସରରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଲକ୍ଷ୍ମୀନୃସିଂହ ବେଶ ଅନୁଷ୍ଠିତ ହୋଇଛି। ପ୍ରଥମ ଭୋଗମଣ୍ଡପ ପରେ ବେଶ ଓଲାଗି କରାଯାଇଛି।
ଭୁବନେଶ୍ୱରର ବିନ୍ଦୁସାଗରରେ ବି ଏଥର ଭାସିବନି ଡଙ୍ଗା। ଫିକା ପଡ଼ିବ ବୋଇତ ବନ୍ଦାଣ ଉତ୍ସବ। କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ବୋଇତ ବନ୍ଦାଣ ଉତ୍ସବ ପାଳନ କରାନଯିବାକୁ ନିଷ୍ପତି ହୋଇଛି। ଅନ୍ୟ ବର୍ଷ ପରି ବିନ୍ଦୁସାଗର କୂଳରେ ଏବର୍ଷ ସାଜସଜ୍ଜା ମଧ୍ୟ ହୋଇନାହିଁ। କୋଭିଡ ନିୟମକୁ ମାନି ସରକାରଙ୍କ ନିଷ୍ପତିକୁ ସମ୍ମାନ ଦେବାକୁ ଭୁବନେଶ୍ୱର ଡିସିପି କହିଛନ୍ତି। ଏହାସହ ଡଙ୍ଗା ଭସାଯାଉଥିବା ନଦୀ କିମ୍ବା ପୁଷ୍କରିଣୀ ପାଖରେ କମିଶନରେଟ ପୋଲିସ ତରଫରୁ ପୋଲିସ କର୍ମଚାରୀଙ୍କୁ ମଧ୍ୟ ମତୟନ କରାଯିବ।
କାର୍ତ୍ତିକ ପୂର୍ଣ୍ଣିମାରେ ମହାକାର୍ତ୍ତିକ ବ୍ରତ ସଂପନ୍ନ ହୋଇଥାଏ। ଶ୍ରଦ୍ଧାଳୁ ମାନେ ବିଭିନ୍ନ ନଦୀ ଓ ଜଳାଶୟରେ ଡଙ୍ଗା ଭସାଇ ପୂଣ୍ୟ ଅର୍ଜିଥାନ୍ତି। କିନ୍ତୁ ଏଥର କରୋନା କଟକଣା ଯୋଗୁଁ ଏହା ଉପରେ ସମ୍ପୂର୍ଣ୍ଣ ରୋକ୍ ଲଗାଯାଇଛି।