ସୁବର୍ଣ୍ଣପୁର: ଦେଶୀ ଡଙ୍ଗା ସାଙ୍ଗକୁ ଦେଶୀ ଆହୁଲା । ପ୍ରତିଟି ଡଙ୍ଗାରେ ଦୁଇ ଜଣ ପ୍ରତିଯୋଗୀ । ମହାନଦୀର ଗଭୀର ଜଳ ରାଶିରେ ଚାଲିଛି ନୌକା ପ୍ରତିଯୋଗୀତା । ଜଣେ ପ୍ରତିଯୋଗୀ ଅନ୍ୟ ପ୍ରତିଯୋଗୀକୁ ମାତ୍ ଦେବା ପାଇଁ ପୁରା ଜି ଜାନ ଲଗାଇଦେଇଛନ୍ତି । ଦର୍ଶକଙ୍କ କରତାଳି ସାଙ୍ଗକୁ ପ୍ରତିଯୋଗିତାରେ ଜିତିବାର ଲକ୍ଷ ଆଗରେ ଯେମିତି ପ୍ରତିଯୋଗୀଙ୍କୁ ଥକ୍କାପଣ ବି ଜଣାପଡୁନାହିଁ ।
ସୋନପୁର ମହାନଦୀ ତେନ୍ତୁଳିଘାଟରୁ ପ୍ରାୟ ୩୦୦ ମିଟର ଦୂରରେ ଥିବା ଲଙ୍କେଶ୍ଵରୀ କୁଦ ଯାଏଁ ନୌକାରେ ଯାଇ ପୁଣି ତେନ୍ତୁଳିି ଘାଟକୁ ଫେରି ଆସିବା ପରି ଏକ ନିଆରା ପ୍ରତିଯୋଗିତାର ଭାଗନେଇଛନ୍ତି ଅନେକ ନାବିକ । ଏହି ପ୍ରତିଯୋଗିତାରେ ଭାଗନେଇଛନ୍ତି ସୋନପୁର ଜିଲ୍ଲା ସମେତ ବରଗଡ,ବଲାଙ୍ଗୀର,ବୌଦ୍ଧ,ସମ୍ୱଲପୁର,କଳାହାଣ୍ଡି ଏବଂ ଅନୁଗୁଳ ଜିଲ୍ଲା ମୋଟ ୨୨ ଟି ଜିଲ୍ଲାର ଶତାଧିକ ପ୍ରତିଯୋଗୀ । ଆୟୋଜକଙ୍କ ଦ୍ଵାରା ଆୟୋଜିତ ଏଭଳି ସୁଯୋଗ ପାଇ ବେଶ ଖୁସିବ୍ୟକ୍ତ କରିଛନ୍ତି ପ୍ରତିଯୋଗୀ ।
ସମୟ ଥିଲା ସୋନପୁର ମହାନଦୀ ତେନ୍ତୁଳି ଘାଟରେ ଚାଲୁଥିଲା ଦେଶୀ ଡଙ୍ଗା । ମହାନଦୀ ଉପରେ ସେତୁ ନଥିବାରୁ ଲୋକେ ଦେଶୀ ଡଙ୍ଗାରେ ମହାନଦୀ ପାରି ହୋଇ ସୋନପୁରକୁ ଆସୁଥିଲେ ଏବଂ ଏପଟର ଲୋକେ ମଧ୍ୟ ଦେଶୀ ଡଙ୍ଗାରେ ସେପଟଳୁ ଯାଉଥିଲେ । ଆଉ ଏହି ଘାଟରେ ସୋନପୁର ସହରର ୧୦୦ ଗୋଟି କୈବର୍ତ ପରିବାର ଡଙ୍ଗା ଚଳାଇ ପରିବାର ପ୍ରତିପୋଷଣ କରୁଥିଲେ । ତେବେ ମହାନଦୀ ଉପରେ ସେତୁ ନିର୍ମାଣ ହୋଇଗଲା ପରେ ଏବେ ବୁଡିଯାଇଛି କୈବର୍ତଙ୍କ ନୌକା ବ୍ୟବସାୟ ।
ତେବେ ସେହି ସ୍ମୃତିକୁ ମନେ ପକାଇବା ପାଇଁ ଗତ କିଛିବର୍ଷ ହେଲା କୈବର୍ତ ସମାଜ ପକ୍ଷରୁ ତେନ୍ତୁଳିଘାଟରେ ଆୟୋଜିତ ହୋଇଆସୁଛି ଦେଶୀ ନୌକା ପ୍ରତେଯାଗିତା । ସବୁ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଏହି ପ୍ରତିଯୋଗିତା ଆୟୋଜନ କରି ଆୟୋଜକ ଯେତିକି ଖୁସିଥିଲେ ଦର୍ଶକ ବି ମହାନଦୀ ଘାଟରେ ପହଁଚି ପ୍ରତିଯୋଗିତାର ସେତିକି ମଜା ନେଇଥିଲେ । ପ୍ରକୃତରେ ସୁବର୍ଣ୍ଣପୁରର ଜୀବନରେଖା ପାଲଟିଥିବା ମହାନଦୀକୁ ସ୍ଵଚ୍ଛ ରଖିବା ନେଇ ସଚେତନତା ଉଦ୍ଦେଶ୍ୟରେ ଆୟୋଜିତ ହେଉଥିବା ସଂଗମ ଆରତୀ ସତରେ ପ୍ରଂଶସନୀୟ ।