ସ୍ୱଚ୍ଛତାର ଅନନ୍ୟ ଉଦାହରଣ ପାଲଟିଛି ବୋବେଇଯୋଡ଼ା ଗାଁ, ସ୍ୱତନ୍ତ୍ରତା ପାଇଁ ହାସଲ କରିଛି ସ୍ବତନ୍ତ୍ର ପରିଚୟ

ପ୍ରତି ଗାଁ ରେ ଭିନ୍ନ ଭିନ୍ନ ପରମ୍ପରା ରହିଥିବାବେଳେ ଭିନ୍ନ ଭିନ୍ନ ପର୍ବପର୍ବାଣି ମଧ୍ୟ ପାଳନ କରାଯାଏ । ତେଣୁ ପ୍ରତି ଗାଁର ନିଜର ଏକ ସ୍ୱତନ୍ତ୍ରତା ରହିଛି । ନିଜ ଗାଁକୁ ସଫାସୁତରା ରଖିବା ସହ ପ୍ରଦୂଷଣ ମୁକ୍ତ ରଖିବା ପାଇଁ ଲୋକମାନେ ବେଶ ଚେଷ୍ଟା କରିଥାନ୍ତି। କିନ୍ତୁ ମୟୁରଭଞ୍ଜରେ ଏମିତି ଏକ ଗାଁ ଅଛି ଯାହାର ବାସିନ୍ଦା ସ୍ୱଚ୍ଛତା ଦିଗରେ ବେଶ ସଚେତନ ଅଛନ୍ତି । ନିଜ ଚେଷ୍ଟା ବଳରେ ନିଜ ଗାଁକୁ ପ୍ରଦୂଷଣ ମୁକ୍ତ ରଖିବା ସହ ନିଜ ପାଇଁ ଏକ ସୁସ୍ଥ ପରିବେଶ ସୃଷ୍ଟି କରିପାରିଛନ୍ତି । ଗାଁର ଯୁବତୀ ଓ ମହିଳାମାନେ ଝରଣା ଓ ପାହାଡ଼ରୁ ମାଟି ଆଣି ପେଜ ଓ ଅଠା ମିଶାଇ ରଙ୍ଗ ପ୍ରସ୍ତୁତ କରି ତୁଳି ସାହାଯ୍ୟରେ ଆଙ୍କିଥାନ୍ତି ଆକର୍ଷଣୀୟ କଳାକୃତି । ମାଟି କାନ୍ଥରେ ଅଙ୍କା ଯାଇଥିବା ଏହି ଚିତ୍ର କୁହେ ଆଦିବାସୀଙ୍କ ସଂସ୍କୃତି ଓ ପରମ୍ପରା । ପୁରା ଗାଁ ପରିବେଶ ପରିଷ୍କାର ପରିଚ୍ଛନ୍ନ । ଅଳିଆ ଆବର୍ଜନା ତ ଦୂରର କଥା ଜରି ଖଣ୍ଡିଏ ବି ଦେଖିବାକୁ ପାଇବେନି । ସ୍ୱଚ୍ଛତା ପ୍ରତି ସଭିଏଁ ସଚେତନ ଥିବାରୁ ସମସ୍ତେ ଡଷ୍ଟବିନ ବ୍ୟବହାର କରିଥାନ୍ତି।
ମୟୁରଭଞ୍ଜ ଜିଲ୍ଲା ବିଶୋଇ ବ୍ଲକ ବୋବେଇଯୋଡ଼ା ଗାଁ । ଏହି ଗାଁରେ ବସବାସ କରନ୍ତି ଆଦିବାସୀ ସାମ୍ପ୍ରଦାୟର ଲୋକେ । ବୋବେଇଯୋଡ଼ା ଗାଁର ସ୍ୱଚ୍ଛତା ଓ ପରିମଳ ବ୍ୟବସ୍ଥା ଗାଁ ଦାଣ୍ଡ ଓ ଘର କାନ୍ଥରୁ ଜଣାପଡେ। ଗାଁର ସୌନ୍ଦର୍ଯ୍ୟ ଦେଖିଲେ ଆପଣ ବି କହିବାକୁ ବାଧ୍ୟ ହେବେ ହଁ ଏଇ ଗାଁ ହିଁ ପ୍ରକୃତ ସ୍ୱଚ୍ଛତାର ପରିଚୟ ।
ବୋବେଇଯୋଡ଼ା ଗାଁରେ ପ୍ରତିବର୍ଷ ପାଳନ ହୁଏ ପାତା ପର୍ବ । ଶିବରାତ୍ରି ଅବସରରେ ତିନି ଦିନ ଧରି ପାଳନ ହୁଏ ପାତା ପର୍ବ । ସ୍ୱାଧୀନତା ପୂର୍ବରୁ ପାରାଗାନାମାନଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଏହି ପାତା ପର୍ବକୁ ଏବେବି ବଞ୍ଚାଇ ରଖିଛନ୍ତି ଏହି ଗାଁର ଲୋକେ। ଏହି ପାତା ପର୍ବକୁ ଦେଖିବା ପାଇଁ ଓଡିଶା ସମେତ ଝାରଖଣ୍ଡ ଓ ପଶ୍ଚିମବଙ୍ଗରୁ ଲୋକେ ଆସିଥାନ୍ତି । ପାତା ପର୍ବ ସହ ମାଟି କାନ୍ଥରେ ଅଙ୍କଯାଇଥିବା ମନୋରମ କଳାକୃତି ଓ ସ୍ୱଚ୍ଛ ପରିବେଶର ଭରପୁର ମଜା ଉଠାଇଥାନ୍ତି । କିଏ ନିଜ ମୋବାଇଲରେ ସେଲ୍ଫି ଉଠାଇ ମଜା ନିଏ ତ କିଏ କ୍ୟାମେରାରେ ସାଉଁଟି ଥାଏ ମନୋରମ ପରିବେଶର ଦୃଶ୍ୟ । ଏହି ଅବସରରେ ଦର୍ଶକ ମାନଙ୍କ ପାଇଁ ‘ଭଞ୍ଜ ଇପିଲ ରାନାକାବ ମାଡୱା’ ବୋବେଇଯୋଡ଼ା କମିଟି ପକ୍ଷରୁ ସେଲ୍ଫି ପଏଣ୍ଟର ବ୍ୟବସ୍ଥା ମଧ୍ୟ କରାଯାଇଛି ।
କେବଳ ସେତିକି ନୁହଁ ସୁରକ୍ଷା ପାଇଁ ଗାଁର ବିଭିନ୍ନ ଜାଗାରେ ରହିଛି ସିସି କ୍ୟାମେରା । ଏହି ପାତା ପର୍ବରେ ଯୁବତୀ ଓ ମହିଳାମାନେ ପାରମ୍ପରିକ ପୋଷାକ ପରିଧାନ କରି ମାଦଳର ତାଳେ ତାଳେ ହାତକୁ ହାତ ଛନ୍ଦି ପାଦକୁ ପାଦ ମିଶାଇ ନୃତ୍ୟଗୀତରେ ଝୁମିଥାନ୍ତି ।
Also Read : ସାନଆଙ୍କୋ ଗାଁର ଯୁବ ସଦସ୍ୟମାନଙ୍କର ନିଆରା କାର୍ଯ୍ୟକ୍ରମ, ବୃଦ୍ଧବୃଦ୍ଧାଙ୍କୁ ପୂଜା କଲେ ସମସ୍ତେ