ଯାଜପୁର: ମୃତ୍ୟୁ ପରେ ବି ରହିବେ ଜୀବିତ । ଜଣେ ଅଙ୍ଗଦାତା ନିଜର ୮ଟି ଅଙ୍ଗ ଦାନ କରି ଅନ୍ୟର ଜୀବନ ବଞ୍ଚାଇବା ଭଳି ଏକ ମାନବୀୟ କାର୍ଯ୍ୟରେ ନିଜକୁ ସାମିଲ କରିପାରିବେ। ଏଭଳି ସଚେତନତା ବାର୍ତ୍ତାକୁ ଘରେ ଘରେ ପହଞ୍ଚାଇବା ପାଇଁ ଆୟୋଜିତ ହୋଇଥିଲା ଶରୀର ଓ ଅଙ୍ଗଦାନ ମହୋତ୍ସବ । ଯେଉଁଥିରେ ୩ଶହରୁ ଅଧିକ ବ୍ୟକ୍ତି ସ୍ୱଇଚ୍ଛାରେ ଶରୀର ଓ ଅଙ୍ଗଦାନ କରିବା ପାଇଁ ସ୍ୱୀକୃତି ପ୍ରଦାନ କରିଛନ୍ତି । ଏଭଳି ନିଆରା ପ୍ରୟାସ କରିଛି ଯାଜପୁର ଜିଲ୍ଲା ସଚେତନ ନାଗରିକ ମଞ୍ଚ ଓ କବାଟବନ୍ଧ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର।
ରକ୍ତଦାନ ଶିବିର ପରି ଶରୀର ଓ ଅଙ୍ଗଦାନ ଶିବିର। ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଅନ୍ତର୍ଗତ ମର୍ଜିତାପୁର ସ୍ଥିତ କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି ଶରୀର ଓ ଅଙ୍ଗଦାନ ମହୋତ୍ସବ । ଗ୍ରାମାଞ୍ଚଳରେ ରହୁଥିବା ଲୋକମାନେ ରକ୍ତଦାନ ପରି ଅଙ୍ଗଦାନ ପ୍ରତି କିପରି ସଚେତନ ହେବେ ସେନେଇ ପ୍ରୟାସ ଆରମ୍ଭ ହୋଇଛି । ସଚେତନ ନାଗରିକ ମଞ୍ଚ ଓ କବାଟବନ୍ଧ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର ମିଳିତ ଉଦ୍ୟମରେ ଅନୁଷ୍ଠିତ ଉତ୍ସବରେ ଶରୀର ଓ ଅଙ୍ଗଦାନ ସମିତିର ଅଧ୍ୟକ୍ଷ ଡ଼.ପ୍ରଭାସ କୁମାର ଆଚାର୍ଯ୍ୟ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ଶିବିରକୁ ଆନୁଷ୍ଠାନିକ ଭାବେ ଶୁଭାରମ୍ଭ କରିଥିଲେ । ଏହି ଶିବିରରେ ୩ଶହରୁ ଅଧିକ ବ୍ୟକ୍ତି ସ୍ୱଇଚ୍ଛାରେ ଶରୀର ଓ ଅଙ୍ଗଦାନ କରିବା ପାଇଁ ନିଜ ନାମ ପଞ୍ଜିକରଣ କରାଇବା ସହ ସ୍ୱୀକୃତି ପ୍ରଦାନ କରିଛନ୍ତି । ବିଶେଷ କରି ବିଭିନ୍ନ ବର୍ଗର ବ୍ୟକ୍ତିବିଶେଷ ଏହି ଶିବିରରେ ଅଙ୍ଗଦାନ କରିବା ପାଇଁ ଉତ୍ସାହର ସହ ଆଗେଇ ଆସିଥିବା ଦେଖିବାକୁ ମିଳିଥିଲା ।
ଅନେକ ସମୟରେ ଦୁର୍ଘଟଣା ବଶତଃ ହେଉ ଅବା ଅନ୍ୟ କୌଣସି କାରଣରୁ ଲୋକେ ମୃତ୍ୟୁବରଣ କରୁଛନ୍ତି । କିନ୍ତୁ ତାଙ୍କ ଅଙ୍ଗ କୌଣସି କାମରେ ଆସୁନାହିଁ । ଅନ୍ୟପକ୍ଷରେ ଜୀବିତ ଥାଇ ମଧ୍ୟ ଲୋକଙ୍କର କିଡନୀ, ହାର୍ଟ, ଲିଭର, ଆଖି ଆଦି ଅଙ୍ଗ ଆବଶ୍ୟକ କରୁଛି । ତେବେ ଜଣେ ଅଙ୍ଗଦାତା ମୃତ୍ୟୁ ପରେ ଅଙ୍ଗଦାନ କରି କିପରି ଅନ୍ୟର ଜୀବନ ବଞ୍ଚାଇ ପାରିବ ଏବଂ ଏକ ମାନବୀୟ କାର୍ଯ୍ୟରେ ନିଜକୁ ସାମିଲ କରିପାରିବ ସେ ନେଇ ସଚେତନତା ସୃଷ୍ଟି କରାଯାଇଥିଲା ।
ସଚେତନ ନାଗରିକ ମଞ୍ଚର ଆବାହକ ସରୋଜକାନ୍ତ ବେହେରାଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ଏହି ଶିବିରରେ କବାଟବନ୍ଧ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର ମୁଖ୍ୟ ଚିକିତ୍ସାଧିକାରୀ ଡା.ନିହାର ରଂଜନ କର ଯୋଗଦେଇ ଅଙ୍ଗଦାନ ସମ୍ପର୍କରେ ଲୋକଙ୍କୁ ବୁଝାଇଥିଲେ । ଏହି ଅବସରରେ ଶିବିରରେ ଯୋଗଦେଇଥିବା ଅତିଥିମାନେ ଅଙ୍ଗଦାତା ମାନଙ୍କୁ ସବୁଜ ଉପହାର ସଦୃଶ ବିଭିନ୍ନ ଚାରା ସହ ପ୍ରମାଣ ଓ ପ୍ରଶଂସା ପତ୍ର ପ୍ରଦାନ କରିଥିଲେ । ଏଥିସହ ଅଙ୍ଗଦାନ ସମ୍ବନ୍ଧରେ ସଚେତନ ଓ ପ୍ରଚାର ପ୍ରସାର ପାଇଁ ସମସ୍ତେ ଆଗେଇ ଆସିବାକୁ ଆହ୍ୱାନ ଦିଆଯାଇଥିଲା । ପ୍ରଥମ ଥର ପାଇଁ ଯାଜପୁର ଜିଲ୍ଲାରେ ଏଭଳି ନିଆରା କାର୍ଯ୍ୟକ୍ରମ ଆୟୋଜନ ହୋଇଥିବାରୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି ।