କାଜୁ ଜଙ୍ଗଲରୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ

କାମାକ୍ଷାନଗର : ମହାବିରୋଡ଼ ଥାନା ମହାବିରୋଡ଼ -ଚାନ୍ଦପୁର ରାସ୍ତାରେ ଥିବା କାଜୁ ଜଙ୍ଗଲରୁ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି l ଯୁବକ ଜଣକ ଦଶୀପୁର ପଞ୍ଚାୟତ ଭାଲୁମୁଣ୍ଡା ଗାଁର ନବଦେହୁରୀଙ୍କ ପୁଅ ଲୁଲୁଦେହୁରୀ l ଲୁଲୁଙ୍କୁ ହତ୍ୟା କରାଯାଇଥିବା ନେଇ ଅଭିଯୋଗ କଲେ ପରିବାର ଲୋକେ l ସୂଚନା ଅନୁସାରେ, ଲୁଲୁ ଯାଜପୁର ଜିଲ୍ଲା ଡ଼ୁବୁରୀ ଠାରେ ଥିବା ଜିନ୍ଦଲ ପ୍ଲାଣ୍ଟରେ କାମ କରୁଥିଲେ l ଗତକାଲି ଦଶୀପୁର ଗାଁରେ ଦୋଳଯାତ୍ରା ହେଉଥିବା ଯୋଗୁ ଲୁଲୁ ଛୁଟି ନେଇ ଯାତ୍ରା ଦେଖିବାକୁ ଆସିଥିଲେ l ତେବେ ଗତକାଲି ଯାତ୍ରା ଦେଖୁଥିବା ସମୟରେ ସନ୍ଧ୍ୟା ୫ ଟାରୁ ସେ କେଉଁଆଡେ ନିଖୋଜ ହୋଇ ଯାଇଥିଲେ l
ଲୁଲୁଙ୍କ ମୋବାଇଲ ମଧ୍ୟ ସ୍ବିଚ ଅଫ ରହିଥିଲା l ଫଳରେ ପରିବାର ଲୋକ ଏଣେତେଣେ ବହୁ ଖୋଜାଖୋଜି କରିବା ପରେ କୌଣସି ସନ୍ଧାନ ପାଇ ନଥିଲେ l ତେବେ ଆଜି ଲୁଲୁଙ୍କ ମୃତଦେହ ମହାବିରୋଡ଼ – ଚାନ୍ଦପୁର ରାସ୍ତାରେ ଥିବା କାଜୁ ଜଙ୍ଗଲରେ ପଡ଼ିଥିବା ପରିବାର ଲୋକ ଖବର ପାଇଥିଲେ l ଲୁଲୁଙ୍କ ଶରୀରରେ ଓ ମୁଣ୍ଡରେ ଗଭୀର ଆଘାତ ଦେଖିବାକୁ ମିଳିଥିବା ବେଳେ ଲୁଲୁଙ୍କୁ ହତ୍ୟା କରାଯାଇଥିବା ନେଇ ପରିବାର ଲୋକ ଅଭିଯୋଗ କରିଛନ୍ତି l ଲୁଲୁଙ୍କ କାହା ସହିତ କୌଣସି ପୂର୍ବ ଶତ୍ରୁତା ନଥିବା ପରିବାର ଲୋକ କହିଥିବା ବେଳେ ଖବର ପାଇ କାମାକ୍ଷାନଗର ଏସଡିପିଓ ଜ୍ଞାନରଞ୍ଜନ ମିଶ୍ର ଓ ମହାବିରୋଡ଼ ପୋଲିସ ପହଞ୍ଚି ମୃତ ଦେହକୁ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି l ତେବେ ଦିନକୁ ଦିନ କାମାକ୍ଷାନଗର ଉପଖଣ୍ଡରେ ବାରମ୍ବାର ହତ୍ୟା ବଢ଼ିଚାଲିଥିଲା ବେଳେ ପୋଲିସ ପ୍ରତି ଅପରାଧୀଙ୍କ ଭୟ ନଥିବା ଭଳି ସାଧାରଣରେ ଆଲୋଚନା ହେଉଛି l