ନିଖୋଜର ତିନି ଦିନ ପରେ ମିଳିଲା ଠିକା ଶ୍ରମିକଙ୍କ ମୃତଦେହ, ସହକର୍ମଚାରୀ ହତ୍ୟା କରିଥିବା ସନ୍ଦେହ

ଯାଜପୁର: ତିନି ଦିନ ଧରି ନିଖୋଜ ଥିବା ଠିକା କର୍ମଚାରୀ ସିଲୁ ପ୍ରଧାନର ମୃତଦେହ ଉଦ୍ଧାର କଲା ଯାଜପୁର ପୋଲିସ । ନୀଳାଚଳ ଇସ୍ପାତ କାରଖାନା ବିଚିଙ୍ଗ ପ୍ଲାଣ୍ଟ ସାଇଟର ମାଟି ତଳୁ ସିଲୁର ଗଳିତ ଶବ ଉଦ୍ଧାର କରାଯାଇଛି । ନୀଳାଚଳ ପ୍ଲାଣ୍ଟରେ ଠିକା କର୍ମଚାରୀ ଭାବେ କାର୍ଯ୍ୟ କରୁଥିଲା ସିଲୁ ପ୍ରଧାନ । ସାଙ୍ଗମାନେ ମିଳିମିଶି ସିଲୁଙ୍କୁ ହତ୍ୟା କରିଥିବା ନେଇ ପୋଲିସ ପ୍ରମାଣ ପାଇଛି ।

ଗତକାଲି ବିଳମ୍ବିତ ରାତ୍ରିରେ ସିଲୁର ପରିବାର ଲୋକଙ୍କୁ ସାଙ୍ଗରେ ନେଇ ପୋଲିସ ସିଲୁର ଗଳିତ ଶବ ଉଦ୍ଧାର କରିଥିଲା । ଫରେନସିକ୍ ଟିମ୍ ତାର ଯାଂଚ ସାରିବା ପରେ ଆଜି ସକାଳୁ ଶବ ବ୍ୟବଚ୍ଛେଦ ପାଇଁ ଯାଜପୁର ଜିଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି । ସିଲୁର ହତ୍ୟାରେ ସମ୍ପୃକ୍ତ ପ୍ଲାଣ୍ଟର ଅନ୍ୟ କର୍ମଚାରୀଙ୍କୁ ଅଟକ ରଖି ପୋଲିସ ପଚରାଉଚରା କରୁଛି । କିଏ, କାହିଁକି ଓ କେଉଁ ପରିସ୍ଥିତିରେ ହତ୍ୟା କରାଗଲା, ସେ ଦିଗରେ ଚାଲିଛି ତଦନ୍ତ। ଦାୟିତ୍ୱବାନ କର୍ପୋରେଟ ଭାବେ ଶ୍ରମିକଙ୍କ ସୁରକ୍ଷା ଓ କଲ୍ୟାଣ ପ୍ରତି ବେଶ ସମ୍ବେଦନଶୀଳ ବୋଲି ବିବୃତ୍ତି ଜାରି କରିଛି ନୀଳାଚଳ ଇସ୍ପାତ କାରଖାନା କର୍ତ୍ତୃପକ୍ଷ ।

ଢେଙ୍କାନାଳ ଜିଲା ଗଁଦିଆ ଥାନା ବ୍ରାହ୍ମଣ ବାଟି ଗାଁର ଅକ୍ଷୟ ପ୍ରଧାନଙ୍କ ପୁଅ ସିଲୁ ନୀଳାଚଳ ଇସ୍ପାତ କାରଖାନାରେ ଠିକା ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ। ଚାରି ଦିନ ତଳେ ପ୍ଲାଣ୍ଟକୁ କାର୍ଯ୍ୟ କରିବାକୁ ଯାଇ ଘରକୁ ଫେରି ନଥିଲେ। ପୁଅର ନିଖୋଜ ସମ୍ପର୍କରେ ପରିବାର ଲୋକେ କଳିଙ୍ଗନଗର ଥାନାରେ ଅଭିଯୋଗ କରିଥିଲେ। ପୋଲିସ ପକ୍ଷରୁ କୌଣସି ତତ୍ପରତା ନ ଦେଖାଇବାରୁ ଦୁଇ ଦିନ ଧରି ପରିବାର ଲୋକେ ନୀଳାଚଳ ଗେଟ୍ ସମ୍ମୁଖରେ ଧାରଣା ଦେଇ ବସି ରହିଥିଲେ। ଶେଷରେ ପୋଲିସ ମୃତ ଦେହ ଉଦ୍ଧାର କରିଛି।

You might also like