କଳାହାଣ୍ଡି: କଳାହାଣ୍ଡି ଲାଞ୍ଜିଗଡ଼ ରୋଡ଼ ରେଳ ଷ୍ଟେସନର ସିକେରକୁପା ଫାଟକ ନିକଟରେ ଜଣେ ବ୍ୟକ୍ତିଙ୍କ ମୃତଦେହ ଠାବ ହୋଇଛି। ସୂଚନା ମୁତାବକ ଟ୍ରେନରେ କଟି ମୃତ୍ୟୁବରଣ କରିଥିବା ଜଣାପଡିଛି। ମୃତକ ଜଣକ ଲାଞ୍ଜିଗଡ଼ ବେଦାନ୍ତ ମେଡିକାଲ କର୍ମଚାରୀ ଜଗନ୍ନାଥ ବାଗ ବୋଲି ଜଣାପଡିଛି । ତାଙ୍କ ଘର ଭବାନୀପାଟଣା ଗୌଟିଆ ପଡାରେ।
ସେ ଗତ ୨୦୦୫ ମସିହାରୁ ଲାଞ୍ଜିଗଡ ବେଦାନ୍ତ ମେଡ଼ିକାଲରେ କାମ କରୁଥିଲେ। ଫେବୃୟାର ୧ରୁ ଛୁଟିରେ ଥିଲେ ଏବଂ ଫେବୃଆରୀ ୭ ତାରିଖ ଦିନ ନିଜ କାର୍ଯ୍ୟରେ ଯୋଗଦେବାର ଥିଲା। ବୁଧବାର ତାଙ୍କ ପୁଅର ନିର୍ବନ୍ଧ ମଧ୍ୟ ଲାଞ୍ଜିଗଡରେ ସରିଥିଲା। କିନ୍ତୁ ଗୁରୁବାର ସନ୍ଧ୍ୟା ସମୟରେ ଭବାନୀପାଟଣା ଠାରୁ ଲାଞ୍ଜିଗଡ ବାହାରିଥିଲେ । ତେବେ ସିକେରକୁପା ଟ୍ରେନ ଫାଟକ ପାଖରେ ତାଙ୍କ ବାଇକ୍ ଥିବା ଦେଖିବାକୁ ମିଳିଥିବାବେଳେ ୨୦୦ ମିଟର ଦୂରରେ ତାଙ୍କର ମୃତଦେହ ପଡିଥିଲା। ଏନେଇ ଖବର ପାଇ ଘଟଣାସ୍ଥଳରେ ଲାଞ୍ଜିଗଡ ପୋଲିସ ପହଁଚି ତଦନ୍ତ କରୁଛି।