ବର୍ଷ ଆରମ୍ଭରୁ ଦୁର୍ଘଟଣା: ପିକନିକ୍ ପାଇଁ ଯାଉଥିବା ବେଳେ ଦୁଇ ଗାଡ଼ି ମୁହାଁମୁହିଁ ଧକ୍କା, ୬ ଗୁରୁତର
ଜଳେଶ୍ୱର : ବର୍ଷ ଆରମ୍ଭ ହେଉଣୁ ଘଟିଯାଇଛି ଏକ ଦୁଃଖଦ ଘଟଣା । ନୂଆବର୍ଷ ପିକନିକ୍ ପାଇଁ ଯାଉଥିବା ବେଳେ ଦୁର୍ଘଟଣା ହୋଇଛି । ଏକ ବୋଲେରୋ ଏବଂ ମହିନ୍ଦ୍ରା ଏକ୍ସୟୁଭି ଗାଡ଼ି ମୁହାଁମୁହିଁ ଧକ୍କା ହେବାରୁ ୬ ଜଣ ଗୁରୁତର ହୋଇଛନ୍ତି । ଏହି ଦୁର୍ଘଟଣା ବାଲେଶ୍ୱର ଜିଲ୍ଲା ୫୭ ନମ୍ବର ରାଜ୍ୟ ରାଜପଥ ବେଣୁଦା ଛକ ନିକଟରେ ଆଜି ସକାଳେ ଘଟିଛି । ସମସ୍ତ ଆହତଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ଜଣାପଡ଼ିଛି ।
ସୂଚନା ଅନୁସାରେ ବୋଲେରୋଟି ମୟୂରରଭଞ୍ଜରୁ ବାହାରି ଦୀଘା ଅଭିମୁଖେ ଯାଉଥିଲା । ସେହିପରି ମହିନ୍ଦ୍ରା ଏକ୍ସୟୁଭି ଗାଡ଼ିଟି ବାଲେଶ୍ୱର ଅଭିମୁଖେ ଯାଉଥିଲା । ଉଭୟ ଗାଡ଼ି ଦ୍ରୁତ ଗତିରେ ଯାଉଥିବା ବେଳେ ବେଣୁଦା ଛକ ନିକଟରେ ଆଜି ଭୋରରୁ ମୁହାଁମୁହିଁ ଧକ୍କା ହୋଇଥିଲେ । ଏଥିରେ ଉଭୟ ଗାଡ଼ିରେ ଥିବା ୬ ଜଣ ଗୁରୁତର ହୋଇଛନ୍ତି । ଖବର ପାଇ ପୁଲିସ୍ ପହଞ୍ଚି ତୁରନ୍ତ ଗୁରୁତରଙ୍କୁ ଜଳେଶ୍ୱରପୁର ମେଡିକାଲରେ ଭର୍ତ୍ତି କରିଥିଲା । ସେଠାରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ୪ ଜଣଙ୍କୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ଦୁର୍ଘଟଣା ପରେ ଗୋଟିଏ ଗାଡ଼ିର ଡ୍ରାଇଭର ଫେରାର ହୋଇ ଯାଇଛନ୍ତି ।