ଗିରଫ ହେଲେ କୁବେର ଆଇଟିଡିଏ ଅଧିକାରୀ, ଆୟ ବହିର୍ଭୁତ ସଂପତ୍ତି ଠୁଳ ଅଭିଯୋଗରେ ଧରିଲା ଭିଜିଲାନ୍ସ

 ସୁନ୍ଦରଗଡ଼: ଗିରଫ ହେଲେ କୁବେର ଆଇଟିଡିଏ ଅଧିକାରୀ ବିଶ୍ବଦର୍ଶୀ ସାହୁ । ସୁନ୍ଦରଗଡ଼ ଜିଲ୍ଲା ବଣାଇ ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା-ଆଇଟିଡିଏର ପ୍ରକଳ୍ପ ପ୍ରଶାସକ ହେଉଛନ୍ତି ବିଶ୍ବଦର୍ଶୀ ସାହୁ । ବିପୁଳ ପରିମାଣ ଆୟ ବହିର୍ଭୁତ ସଂପତ୍ତି ଠୁଳ ଅଭିଯୋଗରେ ତାଙ୍କୁ ଗିରଫ କରିଛି ଭିଜିଲାନ୍ସ । ଗିରଫ ପରେ ତାଙ୍କୁ ସୁନ୍ଦରଗଡ଼ ସ୍ବତନ୍ତ୍ର କୋର୍ଟକୁ ପଠାଇ ଦିଆଯାଇଛି ।

ପ୍ରକଳ୍ପ ପ୍ରଶାସକ ବିଶ୍ବଦର୍ଶୀ ସାହୁଙ୍କର ଭୁବନେଶ୍ବରରେ ଗୋଟିଏ ବହୁ ତଳ ବିଶିଷ୍ଟ କୋଠା ସହ ୨ଟି ଫ୍ଲାଟ ମଧ୍ୟ ରହିଛି । ଗୋଟିଏ ଫ୍ଲାଟ କିଣିବା ପାଇଁ ସେ ଦେଢ଼ କୋଟି ଟଙ୍କା ଅଗ୍ରୀମ ଦେଇଥିଲେ । ଏହାଛଡା ଭୁବନେଶ୍ବର ଓ ପୁରୀରେ ବିଶ୍ବଦର୍ଶୀ ସାହୁଙ୍କର ୯ ଟି ବହୁ ମୂଲ୍ୟ ପ୍ଲଟ ମଧ୍ୟ ଠାବ ହୋଇଛି । ରେଡ ବେଳେ ବିଶ୍ବଦର୍ଶୀ ସାହୁଙ୍କ ଘରୁ ୧୫୦ ଗ୍ରାମ ସୁନା ଓ ନଗଦ ୪ ଲକ୍ଷ ୫୧ ହଜାର ଟଙ୍କା ଜବତ କରିଛି ଭିଜିଲାନ୍ସ ।

ବିଭିନ୍ନ ବ୍ୟାଙ୍କ ଓ ବୀମାରେ ତାଙ୍କର ମଧ୍ୟ ୬୧ଲକ୍ଷରୁ ଅଧିକ ଟଙ୍କା ଜମା ରହିଥିବା ଜଣାଯାଇଛି । ଏହା ସହ ତାଙ୍କ ପତ୍ନୀଙ୍କ ନାଁରେ ବାପୁଜୀ ନଗର ଏସବିଆଇ ଶାଖାରେ ଏକ ଲକର ରହିଛି । ଆୟ ବହିର୍ଭୁତ ସଂପତ୍ତି ଠୁଳ ନେଇ ବିଶ୍ବଦର୍ଶୀ ସାହୁଙ୍କ ନାଁରେ ରାଉରକେଲା ଭିଜିଲାନସରେ ଏକ ମାମଲା ରୁଜୁ ହୋଇଛି । ବାବୁଙ୍କର ଏତେ ପରିମାଣର ସଂପତ୍ତି ଦେଖି ଭିଜିଲାନସ ଅଧିକାରୀ ବି ତାଜୁବ ହୋଇଯାଇଛନ୍ତି ।

Also read:ଭିଜିଲାନ୍ସ ଜାଲରେ ITDA ପିଏ, ୭ଟି ସ୍ଥାନରେ ଚାଲିଛି ରେଡ୍