ଯାଜପୁର: ୨୩ ତାରିଖରୁ ବାଳାଶ୍ରମ ପଡିଆରେ ଆରମ୍ଭ ହେବା ରାଜ୍ୟସ୍ତରୀୟ ପୁସ୍ତକ ମେଳା, ଜିଲ୍ଲା ପ୍ରଶାସନ ତରଫରୁ ବ୍ୟାପକ ଆୟାଜନ
ଯାଜପୁର ଟାଉନ(କେନ୍ୟୁଜ୍): ଆସନ୍ତା ୨୩ ତାରିଖରୁ ଯାଜପୁର ବାଳାଶ୍ରମ ପଡିଆ ରେ ଆରମ୍ଭ ହେବାକୁ ଯାଉଛି ରାଜ୍ୟସ୍ତରୀୟ ପୁସ୍ତକ ମେଳା । ଯାଜପୁର ଜିଲା ପ୍ରଶାସନ, ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ସହିତ ଅନନ୍ୟା ସାହିତ୍ୟ ସଂସଦର ମିଳିତ ଉଦ୍ୟମରେ ହେବାକୁ ଥିବା ଏହି ପୁସ୍ତକ ମେଳା ୩୦ ତାରିଖ ପର୍ଯ୍ୟନ୍ତ ଚାଲିବ । ଏହି ପୁସ୍ତକମେଳା କୁ ସରସ ସୁନ୍ଦର କରିବା ପାଇଁ ଜିଲାପାଳଙ୍କ ସମିଳନୀ କକ୍ଷରେ ଏକ ସାମ୍ୱାଦିକ ସମିଳନୀ ଆୟୋଜନ କରାଯାଇଥିଲା ।
ଉପଜିଲ୍ଲାପାଳ ନାରାୟଣ ଚନ୍ଦ୍ର ଧଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ପୁସ୍ତକମେଳାରେ ୯୦ଟି ଷ୍ଟଲ ଖୋଲାଯିବାର ସୂଚନା ମିଳିଛି । ଏହି ମେଳାରେ ରାଜ୍ୟ ଓ ରାଜ୍ୟ ବାହାରର ପ୍ରକାଶକ ଏବଂ ବିତରକ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଏଥିସହ ପ୍ରତ୍ୟେହ ସଂଧ୍ୟାରେ ଆୟୋଜିତ ହେବ ସାହିତ୍ୟ ଆଲୋଚନା ଚକ୍ର,ପୁସ୍ତକ ଉନ୍ମୋଚନ,ନୃତ୍ୟ,ଚିତ୍ରଙ୍କନ ପ୍ରତିଯୋଗିତା ଓ କୁଇଜ କାର୍ଯ୍ୟକ୍ରମ। ରାଜ୍ୟର ପ୍ରତିଷ୍ଠିତ ସାହିତ୍ୟିକ ଓ ବୁଦ୍ଧିଜିବି ମାନେ ଏଥିରେ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି । ଏଥିସହିତ ବିଭିନ୍ନ କ୍ଷେତ୍ରରେ କୃତୀତ୍ୱ ଅର୍ଜନ କରିଥିବା ବ୍ୟକ୍ତି ବିଶେଷଙ୍କୁ ସମ୍ବର୍ଦ୍ଧିତ କରିବାର କାର୍ଯ୍ୟକ୍ରମ ରହିଛି । ଅନ୍ୟମାନଙ୍କ ମଧ୍ୟରେ ଜିଲା ସଂସ୍କୃତି ଅଧିକାରୀ ସନ୍ତୋଷ କୁମାର ସେଠୀ, ଅନନ୍ୟା ସାହିତ୍ୟ ସଂସଦର ସଭାପତି ସନ୍ତୋଷ କୁମାର ନନ୍ଦ, ସମ୍ପାଦକ କାନହୁ ଚରଣ ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ ।