ପୋଷ୍ୟ ସନ୍ତାନ ହୋଇ ବାଙ୍ଗାଲୋର ଗଲା ବୋରୱେଲରୁ ଉଦ୍ଧାର ଶିଶୁକନ୍ୟା ‘ବିଜୟିନୀ’

ସମ୍ବଲପୁର : ଦିନେ ବୋରୱେଲ ଭିତରୁ ଉଦ୍ଧାର ହୋଇଥିଲା । ଜୀବନ ସହ ସଂଘର୍ଷ କରି ଦୀର୍ଘ ୬ ଦିନ ଧରି ଆଇସିୟୁରେ ରହି ବାହାରକୁ ବାହାରିଥିଲା । ଆଉ ଆଜି ଯିବ ବିଦେଶ । ସମ୍ବଲପୁର ଜିଲ୍ଲା ରେଙ୍ଗାଲି ବ୍ଲକ ଅନ୍ତର୍ଗତ ଲାରିପାଲି ଗ୍ରାମରେ ବୋରୱେଲ ଗାତରୁ ଉଦ୍ଧାର ହୋଇଥିବା ଶିଶୁକନ୍ୟା କଥା ଆମେ କହୁଛୁ ।  ଜୀବନ ଯୁଦ୍ଧରେ ବିଜୟୀ ହୋଇଥିବା ଏହି ନବଜାତ ଶିଶୁ କନ୍ୟାର ନା ଦିଆଯାଇଥିଲା ବିଜୟିନୀ ।

ଘଟଣା ପରେ ଧିରେ ଧିରେ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ଆସିଥିଲା ତାର । ପ୍ରିମ୍ୟାଚୋର ବେବି ହୋଇଥିବାରୁ ଡାକ୍ତର ମାନେ ଦିନ ରାତି ଏକ କରିଦେଇଥିଲେ ତାପାଇଁ । କହିବାକୁ ଗଲେ ଏକ ନୂଆ ଜୀବନ ଦେଇଥିଲେ ତାକୁ । ଉତ୍ସର୍ଗୀକୃତ ଚିକିତ୍ସା ପରେ ଶିଶୁଟିକୁ ସମ୍ବଲପୁର ରୁକ୍ମିଣୀ ଲାଠ ବାଲନିକେତନ ସ୍ଥିତ ସ୍ଵତନ୍ତ୍ର ଆଡପ୍ସନ୍ ଏଜେନ୍ସିରେ ରଖାଯାଇଥିଲା । ତେବେ ଉକ୍ତ ଶିଶୁ କନ୍ୟାଟିକୁ ପୋଷ୍ୟ ଭାବେ ଗ୍ରହଣ କରିବା ପାଇଁ ଦେଶ ତଥା ବିଦେଶରୁ ଅନେକ ଲୋକ ଆବେଦନ କରିଥିଲେ ।

ହେଲେ ଗତକାଲି ସମ୍ବଲପୁର ଜିଲ୍ଲାପାଳଙ୍କ ଆଦେଶ କ୍ରମେ ବାଙ୍ଗାଲୋରର ଦମ୍ପତି ପୋଷ୍ୟ ସନ୍ତାନ ଭାବେ ଶିଶୁଟିକୁ ଗ୍ରହଣ କରିଛନ୍ତି । ପୋଷ୍ୟ ସନ୍ତାନ ପାଇବା ପରେ ସେମାନେ ବି ବେଶ ଆନନ୍ଦିତ ଅଛନ୍ତି । ଦିନେ ଜନ୍ମକଲା ବାପା ମାଆ ତାକୁ ପର କରି ଦେଇଥିଲେ, ମରଣ ମୁହଁକୁ ଠେଲି ଦେଇଥିଲେ । ହେଲେ ଭଗବାନ୍ କିନ୍ତୁ ତାପାଇଁ କିଛି ଅଲଗା ଭାବିଥିଲେ । ଆଜି ବିଜୟିନୀ ପାଇଛି ତା ନୂଆ ଠିକଥା, ପାଇଛି ତା ପରିଚୟ । ଏଣିକି ବିଜୟିନୀ ଆଉ ଅନାଥ ନୁହଁ ।

ତେବେ ଖବର ଥାଉକି, ସମ୍ବଲପୁର ଜିଲ୍ଲା ରେଙ୍ଗାଲି ବ୍ଲକ ଅନ୍ତର୍ଗତ ଲାରିପାଲି ଗ୍ରାମରେ ୨୦୨୩ ଡିସେମ୍ବର ୧୨ ତାରିଖରେ ଏକ ନବଜାତ ଶିଶୁକନ୍ୟା ବୋରୱେଲ ଗାତରେ ଫସି ରହିଥିବା ଦେଖିବାକୁ ମିଳିଥିଲା। ଦୀର୍ଘ ୮ ଘଣ୍ଟାରୁ ଅଧିକ ସମୟ ଧରି ଚାଲିଥିବା ମାରାଥନ ଅପରେସନ ପରେ ସମ୍ବଲପୁର ଜିଲ୍ଲା ପ୍ରଶାସନ ତାଙ୍କୁ ଉଦ୍ଧାର କରିଥିଲା। ବିଜୟିନୀ ନାମକ ଶିଶୁଟିକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଭିମ୍ସାରର ସ୍ଵତନ୍ତ୍ର ନବଜାତକ ଯତ୍ନ ୟୁନିଟ୍ (ଏସ୍ଏନ୍ସିୟୁ)ରେ ଭର୍ତ୍ତି କରାଯାଇଥିବା ବେଳେ ଉତ୍ସର୍ଗୀକୃତ ଚିକିତ୍ସା ପରେ ଶିଶୁଟି ନୂଆ ଜୀବନ ପାଇଥିବାବେଳେ, ବତ୍ତର୍ତ୍ତମାନ ତାକୁ ତାର ବାପାମାଆର ପରିଚୟ ବି ମିଳିସାରିଛି ।

 

You might also like